ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ମାଗଣା ପରୀକ୍ଷା ପାଇଁ ହଲାପଟା

ସରକାରୀ ଡାକ୍ତରଖାନାରେ କୋଭିଡ ପରୀକ୍ଷା ପାଇଁ ତିନି ତିନି ଥର ଦଉଡିବାକୁ ପଡୁଛି । ଏହା ପରେ ବି ଗୋଟିଏ ଦିନରେ କରୋନା ପରୀକ୍ଷା ସମ୍ଭବପର ହେଉନାହିଁ । ଫଳରେ ଜରୁରୀ ଆବଶ୍ୟକ କରୁଥିବା ଲୋକେ ବେସରକାରୀ ସଂସ୍ଥାରେ ପଇସା ଦେଇ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି ।

ପ୍ରାୟ ସପ୍ତାହେ ହେଲା ଏଭଳି ସ୍ଥିତି ଦେଖିବାକୁ ମିଳିଛି ନୀଳାଦ୍ରିବିହାର ଅଞ୍ଚଳରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏଠାରେ ମାଗଣା କରୋନା ପରୀକ୍ଷାର ବ୍ୟବସ୍ଥା ହୋଇଛି । ତେବେ ପରୀକ୍ଷା କରିବାକୁ ହେଲେ ସକାଳ ୬ଟାରୁ ଯାଇ ନିଜ ନାମ ପଞ୍ଜିକରଣ କରିବାକୁ ପଡୁଛି । ପଞ୍ଜିକରଣ ପରେ ଦିନ ସାଢେ ୮ଟା ବେଳକୁ ଆସି ଟୋକନ ନେଇଯିବା ପାଇଁ କୁହାଯାଉଛି । ଟୋକନ ଦେବାପରେ ପୁଣିଥରେ ଦିନ ସାଢେ ୧୧ଟାରେ ଆସିବାକୁ କୁହାଯାଉଛି । ତେବେ ଏଥିରେ ବି ସର୍ତ୍ତ ରହିଛି । ଦିନ ସାଢେ ୧୧ଟାରେ ଟୋକନ ଧରି ଆସିଥିବା ବ୍ୟକ୍ତିଙ୍କ ନମ୍ବର ଯଦି ୪୦ଜଣଙ୍କ ଭିତରେ ଥିବ ତେବେ ତାଙ୍କର ପରୀକ୍ଷା ହେବ । ନଚେତ ତା’ ପରଦିନ ଆସିବାକୁ ପଡିବ ।

ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୈନିକ ଶହ ଶହ ଲୋକ ଆସି କରୋନା ପରୀକ୍ଷା ପାଇଁ ଜମାହେଉ ଥିବାରୁ ଅଧିକାଂଶ ଫେରୁଛନ୍ତି । ଏହାଛଡା କରୋନା ସନ୍ଦେହରେ ଯେଉଁମାନେ ନିଜର ପରୀକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ତିନିଥର ଯିବାକୁ ପରାମର୍ଶ ମିଳିବାପରେ ସେମାନେ ବି ଭୟରେ ଯାଉ ନାହାନ୍ତି । ଏହାଛଡା ଡାକ୍ତରଖାନା ପରିସରରେ ଲୋକେ ଯେଭଳି ମେଳା ଭଳି ଆସି ଜମା ହେଉଛନ୍ତି ସେଠାକୁ ଭଲ ଲୋକ ଗଲେ ମଧ୍ୟ କୌଣସି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଯିବାର ସମ୍ଭାବନା ରହିଛି ।

ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଯୋଗୁଁ ନୀଳାଦ୍ରିବିହାର ଅଞ୍ଚଳର ବହୁ ଲୋକେ ଏବେ ରାଜଧାନୀର ବିଭିନ୍ନ ବେସରକାରୀ ପରୀକ୍ଷାକେନ୍ଦ୍ରରେ ଅର୍ଥ ଶ୍ରାଦ୍ଧକରି ନିଜ ନିଜର କରୋନା ପରୀକ୍ଷା କରିବାକୁ ଯାଉଛନ୍ତି । ଏହାଦ୍ୱାରା କେବଳ ଅର୍ଥ ଶ୍ରାଦ୍ଧ ହେଉନାହିଁ, ବୟସ୍କ ଲୋକଙ୍କୁ ବହୁ ଦୂର ମଧ୍ୟ ଯିବାକୁ ପଡୁଛି ।

ଗୋଟିଏ ପଟେ ସରକାରୀ ଡାକ୍ତରଖାନାକୁ କୋଭିଡ ପରୀକ୍ଷାପାଇଁ ବାରମ୍ବାର ଆସିବାକୁ ପଡୁଥିବାବେଳେ ଅନ୍ୟ ପଟେ ରାଜଧାନୀରେ କୋଭିଡ ପରୀକ୍ଷା ପାଇଁ ଅନୁମତି ପାଇଥିବା ସଂଖ୍ୟାଧିକ ଘରୋଇ ପରୀକ୍ଷାକେନ୍ଦ୍ରର ଟେଲିଫୋନ୍‍ ଅଚଳ । ଯେଉଁମାନଙ୍କର ମୋବାଇଲ୍‍ ଫୋନ୍‍ ୱେବସାଇଟ୍‍ରେ ଦିଆଯାଇଛି ତାହା ବନ୍ଦ ରହୁଛି ନହେଲେ ସମ୍ପୃକ୍ତ ବ୍ୟକ୍ତି କଲ୍‍ ଗ୍ରହଣ କରୁନାହାନ୍ତି । ଏଥିଯୋଗୁଁ କରୋନା ପରୀକ୍ଷା ପାଇଁ ଲୋକେ ଠିକଣା ସୂଚନା ନପାଇ ହଇରାଣ ହରକତ ହେବାରେ ଲାଗିଛନ୍ତି । ବେସରକାରୀ ପରୀକ୍ଷା କେନ୍ଦ୍ର ତ ଦୂରରକଥା ଆଇଏଲଏସ୍‍ ଓ ଆରଏମ୍‍ଆରସିର ଟେଲିଫୋନ୍‍ ମଧ୍ୟ କାର୍ଯ୍ୟ କରୁନଥିବା ଘେନି ଅଭିଯୋଗ ହେଉଛି ।

ତେଣୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକେ କିଭଳି ବିନା ବାଧାରେ ଗୋଟିଏ ଥରରେ ଯାଇ କରୋନା ପରୀକ୍ଷା କରିବେ କର୍ତ୍ତୃପକ୍ଷ ତାହା ଉପରେ ଦୃଷ୍ଟି ଦେବାପାଇଁ ଦାବି ହେଉଛି । ଏହା ନହେଲେ ଅନେକ ସନ୍ଦିଗ୍ଧ ବାରମ୍ବାର ଡାକ୍ତରଖାନା ଦଉଡି ଶେଷରେ କରୋନା ରୋଗୀ ପାଲଟିବା ଏକ ପ୍ରକାର ନିଶ୍ଚିତ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020