ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଟୀକା ପରୀକ୍ଷଣ ବନ୍ଦ ପରେ ଲୋକେ ହତାଶ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣା ଆଧାରରେ ବହୁରାଷ୍ଟ୍ରୀୟ କମ୍ପାନୀ ଆଷ୍ଟ୍ରାଜେନିକା ଭାରତର ଅଗ୍ରଣୀ ଟୀକା ତିଆରି ସଂସ୍ଥା ପୁଣେର ସେରମ ଇନ୍‍ଷ୍ଟିଟ୍ୟୁଟ ମାଧ୍ୟମରେ ଭାରତରେ କରୋନା ପ୍ରତିଷେଧକ କୋଭି ସିଲ୍ଡ ଟୀକା ପ୍ରସ୍ତୁତିପାଇଁ ଯେଉଁ ଅଭିଯାନ ଚଳାଇଥିଲା ତାହାକୁ ଧକ୍କା ଲାଗିବା ଫଳରେ କରୋନା ପାଇଁ ଆତଙ୍କିତ ଲୋକଙ୍କ ମନରେ ଭୟ ବଢିବାରେ ଲାଗିଛି ।

ଏହି ସଂସ୍ଥା ଅକ୍ଟୋବର-ନଭେମ୍ବର ସୁଦ୍ଧା ବଜାରକୁ ଟୀକା ଛାଡିବ ବୋଲି ପୂର୍ବରୁ ଆଶା କରାଯାଉଥିବା ପରିପ୍ରେକ୍ଷୀରେ ଆଗତୁରା ଓଡିଶା ପକ୍ଷରୁ ସେରମର କର୍ମକର୍ତ୍ତାଙ୍କୁ ଟୀକା ଯୋଗାଇବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଏବେ ବ୍ରିଟେନରେ ଏହି ଟୀକା ନେଇ ଜଣେ ଗୁରୁତର ହେବାରୁ ପରୀକ୍ଷଣ ବନ୍ଦ ରହିଛି । ଏ ପରିପ୍ରେକ୍ଷୀରେ କୋଭି ସିଲ୍ଡ ପ୍ରସ୍ତୁତି ଲାଗି ଭାରତରେ ଯେଉଁ ଅଭିଯାନ ଚାଲିଥିଲା ତାହା ବି ସ୍ଥଗିତ ରହିଛି । ଆଷ୍ଟ୍ରାଜେନିକା ଅପେକ୍ଷାକୃତ କମ୍‍ ଦାମ୍‍ରେ ଏହି ଟୀକା ଆଗୁଆ ଯୋଗାଇବା ସମ୍ଭାବନା ଥିବାରୁ ଓଡିଶା ସମେତ ଦେଶର ପ୍ରାୟ ସବୁ ରାଜ୍ୟ ପୁଣେ ଆଡକୁ ଅନାଇଥିଲେ ।

କୋଭି ସିଲ୍ଡର ପରୀକ୍ଷଣ ସାମୟିକ ଭାବେ ବନ୍ଦ ରଖାଯାଇଥିବାବେଳେ ହାଇଦ୍ରାବାଦର ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କୋଭାକ୍ସିନ ଉପରେ ଏବେ ଦେଶର ସବୁ ରାଜ୍ୟଙ୍କ ନଜର । କିନ୍ତୁ କୋଭାକ୍ସିନର ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହେଲେ ଏହା ୨୦୨୧ର ପ୍ରଥମ ଭାଗରେ ବଜାରକୁ ଆସିପାରେ । ସେତେବେଳ ପର୍ଯ୍ୟନ୍ତ କରୋନା ଯଦି ତାହାର କରାଳ କାୟା ବିସ୍ତାର କରିଚାଲେ ତେବେ ସ୍ଥିତି ନିୟନ୍ତ୍ରଣ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରେ ବଡ ଆହ୍ୱାନ ହୋଇପାରେ ।

ଅନ୍ୟ ପକ୍ଷରେ ଆମେରିକା, ଚୀନ୍‍, ଜର୍ମାନୀ ଆଦି ଦେଶର ବୈଜ୍ଞାନିକମାନେ କରୋନା ନିୟନ୍ତ୍ରଣ ପାଇଁ କାଢୁଥିବା ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏକ ପ୍ରକାର ଶେଷ ହେବାକୁ ଯାଉଛି । ଏହି ଦେଶ ଗୁଡିକ ବିକାଶ କରୁଥିବା ଟୀକା ବି ମାସେ ଦୁଇମାସ ମଧ୍ୟରେ ମିଳିବାର ସମ୍ଭାବନା ନାହିଁ । ଋଷ୍‍ର ଟୀକା ପରୀକ୍ଷଣ ଏଯାବତ୍‍ ଚୂଡାନ୍ତ ହୋଇନାହିଁ । ଆଉ ଅନେକ ଦେଶରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ପରୀକ୍ଷଣ ରହିଛି । ବିଶ୍ୱର ବିଭିନ୍ନ ଦେଶରେ କୋଭିଡ ପାଇଁ ଅନ୍ୟୁନ ୧୬୫ଟି ଟୀକା ପ୍ରସ୍ତୁତି ଚାଲିଥିବାବେଳେ ଏଥିରୁ ପ୍ରାୟ ୨୬ଟି ଆଗୁଆ ପର୍ଯ୍ୟାୟରେ ରହିଛନ୍ତି ।

ବିଶ୍ୱରେ ଏଯାବତ୍‍ ୨କୋଟି ୮୧ଲକ୍ଷ ଲୋକ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସଂଖ୍ୟା ୬୬ଲକ୍ଷ ଓ ଭାରତରେ ୪୫ଲକ୍ଷରେ ପହଞ୍ଚିଛି । କରୋନା ଏଯାବତ୍‍ ବିଶ୍ୱରେ ୯ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଥିବାବେଳେ ଭାରତରେ ଏହା ୭୫ହଜାରରୁ ଅଧିକ ମୁଣ୍ଡ ଗଡାଇଲାଣି । ଓଡିଶାରେ ଏବେ ଦିନକୁ ୩ରୁ ୪ହଜାର ପର୍ଯ୍ୟନ୍ତ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମୋଟାମୋଟି ଭାବେ ଆଜି ସୁଦ୍ଧା ରାଜ୍ୟରେ ପ୍ରାୟ ଏକ ଲକ୍ଷ ୪୦ହଜାର କରୋନା ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ଏଥିରେ ୫୯୧ଜଣ ମରିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଉଛି ।

ତେବେ ଓଡିଶାପାଇଁ ଆଶ୍ୱାସନାର କଥା ହେଉଛି ଯେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏଯାବତ୍‍ ଅନ୍ୟୁନ ଏକ ଲକ୍ଷ ୫ହଜାର ସୁସ୍ଥହୋଇ ସାରିଥିବାବେଳେ ଆଜିର ଦିନରେ ୩୩ହଜାରରୁ ଅଧିକ ସଂକ୍ରମିତ ବିଭିନ୍ନ ଡାକ୍ତରଖାନାରେ ଓ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି । ଟୀକା ଆସିବାକୁ ଆଉ ୪/୫ମାସ ସମୟ ଲାଗିପାରେ ଏବଂ ଏହି ସମୟ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଲୋକେ ସଂଯମ ହୋଇ କୋଭିଡ ଗାଇଡଲାଇନ୍‍ର ସଠିକ ଅନୁପାଳନ କଲେ ସଂକ୍ରମଣ ସଂଖ୍ୟା ରୋକାଯାଇ ପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020