ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଉପନିର୍ବାଚନ ଏସିଡ୍‍ ଟେଷ୍ଟ

ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରୁ କ୍ଷମତା ଦଖଲ କରିବ ବୋଲି ନିକଟରେ ଘେଶଷଣା କରିଥିବା ବେଳେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ପାଇଁ ହେବାକୁ ଯାଉଥିବା ଉପନିର୍ବାଚନ ଏହି ଦଳ ପାଇଁ ‘ଏସିଡ୍‍ ଟେଷ୍ଟ’ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି ।

ବାଲେଶ୍ୱର ଲୋକସଭା ଆସନ ବିଜେପି ଅକ୍ତିଆର କରିଛି । ଏଠାରୁ ଜିଣି ବିଜେପି ନେତା ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ବାଲେଶ୍ୱର ସଦର ବିଧାନସଭା ଆସନ ଗତ ନିର୍ବାଚନରେ ବିଜେଡିଠାରୁ ବିଜେପି ଛଡ଼ାଇ ନେଇଥିଲା । ଦଳର ପ୍ରାର୍ଥୀ ମଦନମୋହନ ଦତ୍ତ ଏଠାରୁ ବିଧାୟକ ଭାବେ ଜିଣିଥିଲେ । ନିକଟରେ ବିଧାୟକ ଶ୍ରୀ ଦତ୍ତଙ୍କ ଦେହାନ୍ତ ହୋଇଯିବାରୁ ବାଲେଶ୍ୱର ବିଧାନସଭା ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି ।

ବାଲେଶ୍ୱର ବିଧାନସଭା ଆସନକୁ ନିଜ ଅକ୍ତିଆରରେ ରଖିବା ଏବଂ ଏଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଢ଼ଙ୍ଗୀଙ୍କ ଦବ୍‍ଦବା ଜାହିର୍‍ କରିବା ବିଜେପି ପାଇଁ ବଡ଼ ଆହ୍ୱାନ ହୋଇଛି । ନିକଟରେ ଅନୁଷ୍ଠିତ ବିଜେପିର ଏକ ଭର୍ଚୁଆଲ୍‍ ବୈଠକରେ କେନ୍ଦ୍ରୀୟ ସଭାପତି ଜେ.ପି ନଡ୍ଡା ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ଶାସନ କ୍ଷମତାକୁ ଆସିବ । ଏଥିପାଇଁ ଦଳର କର୍ମକର୍ତ୍ତା ଓ କର୍ମୀମାନଙ୍କୁ ସେ ଗୁରୁମନ୍ତ୍ର ମଧ୍ୟ ପଢାଇଛନ୍ତି ।

ଏ ପରିପ୍ରେକ୍ଷୀରେ ବାଲେଶ୍ୱର ଆସନକୁ ବିଜେପି ନିଜ କବ୍‍ଜାରେ ରଖି ଏଠାରେ ତାହାର ଦବ୍‍ଦବା ଜାହିର୍‍ କରିପାରୁଛି କି ନାହିଁ ଏବଂ ଏହି ଆସନକୁ ବିଜେପିଠାରୁ ବିଜେଡି ଛଡ଼ାଇ ନେବାରେ କେତେଦୂର ସକ୍ଷମ ହେଉଛି ତାହା ଉପରେ ସମସ୍ତଙ୍କ ନଜର । ଏହାଛଡ଼ା ଏଠାରୁ କଂଗ୍ରେସ ବି ପୂର୍ଣ୍ଣ ଶକ୍ତି ଖଟାଇ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିସାରିଛି ।

ତିର୍ତ୍ତୋଲ ବିଧାନସଭା ଆସନଟି ବିଜେଡି କବ୍‍ଜାରେ ଥିଲା । ଜଗତସିଂହପୁର ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଗତ ନିର୍ବାଚନରେ ତିର୍ତ୍ତୋଲରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଷ୍ଣୁଙ୍କ ପାରମ୍ପରିକ ସଂରକ୍ଷିତ ଆସନ ଜଗତସିଂହପୁରରେ ଅଣସଂରକ୍ଷିତ ଘୋଷିତ ହେବା ପରେ ବିଷ୍ଣୁ ସେଠାରୁ ୨୦୧୪ରେ ହାରିଥିଲେ । ତେବେ ୨୦୧୯ରେ ତିର୍ତ୍ତୋଲ ସଂରକ୍ଷିତ ଆସନରୁ ବିଜେଡି ପ୍ରାର୍ଥୀ ଭାବେ ସେ ବିଜୟଲାଭ କରିଥିଲେ ।

ତିର୍ତ୍ତୋଲ ଆସନ ପୁଣି ବିଜେଡି ନିଜ କବ୍‍ଜାରେ ରଖିବ ବୋଲି ଏକପ୍ରକାର ଦୃଢ଼ ନିଶ୍ଚିତ ଥିବା ବେଳେ ଆଗାମୀ ଦିନରେ ଓଡ଼ିଶାରେ ଶାସନ ଗାଦି ଦଖଲ କରିବ ବୋଲି ବିଜେପି ଦମ୍ଭୋକ୍ତି ପ୍ରକାଶ କରିଥିବା ଦୃଷ୍ଟିରୁ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଏହି ଦଳ ପାଇଁ ଏସିଡ୍‍ ଟେଷ୍ଟ ହେବାକୁ ଯାଉଛି । ତିର୍ତ୍ତୋଲ ଆସନ ଏକଦା କଂଗ୍ରେସର ବରିଷ୍ଠ ନେତା ବସନ୍ତ କୁମାର ବିଶ୍ୱାଳଙ୍କ ଗଡ଼ ଥିଲା । ତେବେ ଏହା ସଂରକ୍ଷିତ ରହିବା ପରେ ଅଣକଂଗ୍ରେସ ପ୍ରାର୍ଥୀ ଜିଣିବା ସହଜ ହେଉଥିଲେ ମଧ୍ୟ ଏଥର କଂଗ୍ରେସ ସେଠାରୁ ଜୋରଦାର୍‍ ଟକ୍କର୍‍ ଉପନିର୍ବାଚନରେ ଦେବାକୁ ଯାଉଛି ।

ବାଲେଶ୍ୱରରେ ଦିବଙ୍ଗତ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ଓ ତିର୍ତ୍ତୋଲରେ ଦିବଙ୍ଗତ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ନିଜ ନିଜ ଦଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କର୍ମୀ ମହଲରେ ଆଲୋଚନା ଚାଲୁଥିଲେ ମଧ୍ୟ ଶେଷ ନିଷ୍ପତ୍ତି ଉଭୟ ଦଳର ମୁଖିଆମାନଙ୍କ ଉପରେ ନିର୍ଭର କରୁଛି । ତେବେ ଏହି ଦୁଇ ଆସନରୁ ପ୍ରାର୍ଥୀ ହେବା ଲାଗି ଦୁଇଟି ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଏବଂ ଆଞ୍ଚଳିକ ଦଳ ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବି ଚାଲିଛି ।

ରାଜ୍ୟରେ ୨୦ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡି ଲକ୍ଷ୍ମୀପୁର ଓ ତଲସରା ବିଧାନସଭା ଉପନିର୍ବାଚନକୁ ଛାଡ଼ିଦେଲେ ଅନ୍ୟ ସବୁ ଉପନିର୍ବାଚନରେ ଜିଣିଥିବା ଦୃଷ୍ଟିରୁ ଏଥର ବି ବାଲେଶ୍ୱର ଓ ତିର୍ତ୍ତୋଲକୁ କବ୍‍ଜା କରିବା ପାଇଁ ସାଙ୍ଗଠନିକ ପ୍ରସ୍ତୁତି ଜୋରଦାର୍‍ ଚଳାଇଛି । (ତଥ୍ୟ) 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020