ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

୧୫ ତାରିଖ ସୁଦ୍ଧା ଦେଢ଼ଲକ୍ଷ ଟପିବ

ରାଜ୍ୟରେ ପ୍ରତିଦିନ ଯେଉଁ ହାରରେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହା ଅବ୍ୟାହତ ରହିଲେ ଚଳିତମାସ ୧୫ ତାରିଖ ବେଳକୁ ଓଡ଼ିଶାରେ ମୋଟ୍‍ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୮ହଜାରରେ ପହଞ୍ଚିଯିବ ବୋଲି ଆଶଙ୍କା କରାଯାଉଛି ।

ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ମୋଟ୍‍ ୧,୦୩,୦୯୨ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧,୨୪,୦୩୧ରେ ପହଞ୍ଚିଛି । ଏହି ଧାରା ଅବ୍ୟାହତ ରହିଲେ ଚଳିତମାସ ମଧ୍ୟଭାଗ ବେଳକୁ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬୮ ହଜାର ହୋଇପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନିତ ହୋଇଥିଲେ ଗତ ମାର୍ଚ୍ଚ ୧୫ ତାରିଖରେ । ଏପ୍ରିଲ୍‍ ଶେଷ ବେଳକୁ ଏହି ସଂଖ୍ୟା ବଢ଼ି ୧୪୨ରେ ପହଞ୍ଚିଥିଲା । ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଲକ୍‍ଡାଉନ୍‍ ଲାଗୁ ହେବା ବେଳକୁ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ରେ ସୀମିତ ଥିଲା । ତେବେ ଦେଢ଼ମାସ ଭିତରେ ଏହା ବୃଦ୍ଧି ପାଇ ୩୧ ମଇ ବେଳକୁ ୧୯୪୮ରେ ପହଞ୍ଚିଥିଲା । ଏହାପରେ ଜୁନ୍‍ ଶେଷ ବେଳକୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୬୫ ଥିବା ବେଳେ ଜୁଲାଇ ଶେଷ ବେଳକୁ କିନ୍ତୁ ଏହା ଦ୍ରୁତ ବୃଦ୍ଧି ପାଇ ୩୧,୮୭୭ ହୋଇଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଲକ୍‍ଡାଉନ୍‍ ଘୋଷଣା ବେଳକୁ ଓଡ଼ିଶାରେ କେବଳ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍‍ଏମ୍‍ଆର୍‍ସି)ରେ କୋଭିଡ୍‍ ଟେଷ୍ଟର ସୁବିଧା ଥିଲା । ଇତିମଧ୍ୟରେ ପ୍ରାୟ ସବୁ ଜିଲ୍ଲାରେ କୋଭିଡ୍‍ ଟେଷ୍ଟ ହୋଇପାରୁଛି । ଏମିତିକି ଅନେକ ବେସରକାରୀ ସଂସ୍ଥା ବି ଏହି ପରୀକ୍ଷା କରୁଛନ୍ତି । ଏବେ ଦିନକୁ ହାରାହାରି ଲକ୍ଷେ କରୋନା ଟେଷ୍ଟ ହେଉଥିବା ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନିତ ହେଉଛନ୍ତି । ତେବେ ସଙ୍ଗରୋଧ ବାହାରେ ଡେର୍‍ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନିତ ହେଉଥିବା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

ଗତ ଏପ୍ରିଲ୍‍ ଶେଷ ସୁଦ୍ଧା ଓଡ଼ିଶାରେ କରୋନାରେ ଜଣେ ମାତ୍ର ଲୋକ ମରିଥିବା ବେଳେ ଜୁନ୍‍ ଶେଷ ବେଳକୁ ୨୫ ଓ ଜୁଲାଇ ଶେଷ ବେଳକୁ ଏହି ସଂଖ୍ୟା ୧୭୭ ଥିଲା । ତେବେ ଚଳିତ ସେପ୍ଟେମ୍ବର ୫ ତାରିଖ ବେଳକୁ ଓଡ଼ିଶାରେ କରୋନା ୫୩୮ଟି ମୁଣ୍ଡ ନେଇସାରିଥିବା ବେଳେ ସମଗ୍ର ଦେଶରେ କରୋନା ମୃତ୍ୟୁସଂଖ୍ୟା ୭୦,୬୨୬ରେ ପହଞ୍ଚିଛି ।

ରାଜ୍ୟର ଜନସଂଖ୍ୟା ପ୍ରାୟ ୪ କୋଟି ୬୦ଲକ୍ଷ ହେବ ବୋଲି କୁହାଯାଉଥିବା ବେଳେ ଏଯାବତ୍‍ ଓଡ଼ିଶାରେ ପ୍ରାୟ ୨୧ ଲକ୍ଷ ଲୋକଙ୍କର କରୋନା ପରୀକ୍ଷା ହୋଇଛି । ଯେତେ ଅଧିକ ପରୀକ୍ଷା ହେବ ସେତେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ସ୍ୱାଭାବିକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଏବେ ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲମାନ ଖୋଲିସାରିଛି ଓ ସେଥିରେ ୭୮୪୩ଟି ଶଯ୍ୟା ଥିବା ବେଳେ ୮୩୮ କରୋନା ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ମଧ୍ୟ ରହିଛି । ଏହାଛଡ଼ା ସରକାରଙ୍କ ପରିଚାଳିତ କୋଭିଡ୍‍ କେୟାର ସେଣ୍ଟରଗୁଡ଼ିକରେ ୧୯,୫୩୦ଟି ଶଯ୍ୟା ଅଛି । ଏବେ ଯେତେ କରୋନା ପଜିଟିଭ ଚିହ୍ନିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରଖାନା ନ ଯାଇ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେବା ଉପରେ ଗୁରୁତ୍ୱ ଦେଉଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020