ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କରୋନା ପାଇଁ ଗୁରୁ ଦିବସ ଖାଁ ଖାଁ

ଗୁରୁ ଦିବସ ସମ୍ପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ସହ ବିଶେଷ ଆଲେଖ୍ୟମାନ ପ୍ରକାଶ ପାଇଥିବା ବେଳେ ଶିକ୍ଷାନୁଷ୍ଠାନ କରୋନା କଟକଣା ପାଇଁ ବନ୍ଦ ଥିବାରୁ ଆଜି ରାଜ୍ୟରେ ଗୁରୁପୂଜନ କାର୍ଯ୍ୟକ୍ରମ ପ୍ରାୟ କୌଣସି ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହୋଇପାରିନାହିଁ । ଅନ୍ୟପକ୍ଷରେ ଶ୍ରେଣୀକକ୍ଷରେ ଶିକ୍ଷାଦାନ ବନ୍ଦ ଥିବା ବେଳେ ସ୍ମାର୍ଟଫୋନ୍‍ ମାଧ୍ୟମରେ ଯେଉଁ କେତେଜଣ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଗୁରୁଙ୍କ ବଦଳରେ ଆଜି ସ୍ମାର୍ଟଫୋନ୍‍ ପୂଜା କରିଥିବା ଜଣାପଡ଼ିଛି ।

ବିଶିଷ୍ଟ ଦାର୍ଶନିକ, ଶିକ୍ଷାବିତ୍‍ ଓ ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍ଙ୍କ ଜନ୍ମ ଦିବସକୁ ଆମ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁପୂଜନ ଉତ୍ସବ ମନାଇଥାନ୍ତି ଓ କେତେକ ସ୍ଥଳରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି । ଏ ବର୍ଷ କିନ୍ତୁ ଏ ପରମ୍ପରା ବହୁ ସ୍ଥାନରେ ବ୍ୟାହାତ ହୋଇଥିବା ବେଳେ ଉଚ୍ଚଶ୍ରେଣୀର କେତେକ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଘରକୁ ଯାଇ କିମ୍ବା ଫୋନ୍‍ ମାଧ୍ୟମରେ ଆଶୀର୍ବାଦ ଲୋଡ଼ିଥିବା ଦେଖିବାକୁ ମିଳିଛି ।

ଏବେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ଖାଲିପଡ଼ିଛି । ସ୍ମାର୍ଟଫୋନ୍‍ ମାଧ୍ୟମରେ ଶିକ୍ଷାଦାନ ହୋଇପାରୁଥିବାରୁ ଆଗାମୀ ଦିନରେ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ପଡ଼ିବ କି ନାହିଁ ସେଥିଘେନି ମଧ୍ୟ ପ୍ରଶ୍ନ ଉଠିଲାଣି ।

ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ସଂଖ୍ୟାଧିକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀକକ୍ଷ ଓ ଜଣେ କରି ଶିକ୍ଷକ ନାହାନ୍ତି । ଏଥିଯୋଗୁ ବହୁ ପିଲାଙ୍କର ପାଠରେ ମୂଳଦୁଆ ଦୁର୍ବଳ ହୋଇଯାଉଛି । ଫଳରେ ପ୍ରଥମରୁ +୨ ପର୍ଯ୍ୟନ୍ତ ପ୍ରାୟ ୬୫ ଲକ୍ଷ ଛାତ୍ରଛାତ୍ରୀଙ୍କର ଭାଗ୍ୟ ଓ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ଓଡ଼ିଆ ମାଧ୍ୟମ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ବର୍ଷକୁ ବର୍ଷ କମି କମି ଆସୁଛି । ଗତ ୫ ବର୍ଷ ମଧ୍ୟରେ ସରକାର ପାଖାପାଖି ୪ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୧୩ ହଜାର ଲେବୁଲ-୪ ପ୍ରଧାନଶିକ୍ଷକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ୪ହଜାରରୁ ଅଧିକ ଲେବୁଲ-୩ ପ୍ରଧାନଶିକ୍ଷକ ପଦବୀ ଖାଲିପଡ଼ିଛି ।

ହାଇସ୍କୁଲଗୁଡ଼ିକରେ ବି ଅବସ୍ଥା ସାଙ୍ଘାତିକ । ପର୍ଯ୍ୟାପ୍ତ ସଂଖ୍ୟକ ଗଣିତ, ବିଜ୍ଞାନ ଓ ଇଂରାଜୀ ଶିକ୍ଷକ ନ ଥିବାରୁ ଅନ୍ୟ ଶିକ୍ଷକମାନେ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପାଖାପାଖି ଅଧା ହାଇସ୍କୁଲରେ ନିୟମିତ ପ୍ରଧାନଶିକ୍ଷକ ନାହାନ୍ତି । ପ୍ରାଥମିକଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ୪୦ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଶିକ୍ଷକ ସଙ୍ଗଠନଗୁଡ଼ିକ କହୁଛନ୍ତି । ଯୁକ୍ତ ୨ କଲେଜଗୁଡ଼ିକ ଲାଗି ମଞ୍ଜୁରୀପ୍ରାପ୍ତ ଅଧ୍ୟକ୍ଷ ପଦବୀ ନାହିଁ । ଭାରପ୍ରାପ୍ତ ଅଧ୍ୟକ୍ଷରେ ଯୁକ୍ତ ୨ କଲେଜ ଚାଲୁଛି । ଏହାଛଡ଼ା ଏଠାରେ ବି ହଜାର ହଜାର ଶିକ୍ଷକ ପଦବୀ ଖାଲିପଡ଼ିଛି ।

ରାଜ୍ୟରେ ଥିବା ୫୨ଟି ସରକାରୀ ଡିଗ୍ରୀ କଲେଜ ମଧ୍ୟରୁ ୪୦ଟିରୁ ଅଧିକରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଭୁବନେଶ୍ୱରରୁ ଭବାନୀପାଟଣା ପର୍ଯ୍ୟନ୍ତ ସରକାରୀ କଲେଜଗୁଡ଼ିକରେ ଅଧ୍ୟାପକ ମରୁଡ଼ି ଅବସ୍ଥା ଉକ୍ରଟ । ୬ଟି ସରକାରୀ ବିଶ୍ୱବିଦ୍ୟାଳୟ ଏବେ କାମଚଳା କୁଳପତିଙ୍କୁ ଚାଲିଥିବା ବେଳେ ଏଗୁଡ଼ିକରେ ବି ୫୦୦ରୁ ଅଧିକ ଶିକ୍ଷକ ଓ ୧୨୦୦ରୁ ଅଧିକ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି । ବୈଷୟିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ମରୁଡ଼ି ଅତି ସାଙ୍ଘାତିକ ଅବସ୍ଥାରେ ରହିଛି । ଏ ପରିପ୍ରେକ୍ଷୀରେ ବ୍ୟାପକ ସଂଖ୍ୟକ ଗୁରୁ ପଦବୀ ବର୍ଷ ବର୍ଷ ଧରି ଖାଲି ରହୁଥିବା ବେଳେ ଗୁରୁ ଦିବସ ପାଳନ କାହା ପାଇଁ ବୋଲି ଶିକ୍ଷାବିତ୍‍ମାନେ ପ୍ରଶ୍ନ ଉଠାଉଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020