ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଉଦାହରଣ ପାଲଟିଲେ ଶାନ୍ତିଲତା

କୋଭିଡ ମହାମାରୀ ସମୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଜଣେ କ୍ଷେତ୍ର କର୍ମକର୍ତ୍ତାଙ୍କ କର୍ତ୍ତବ୍ୟନିଷ୍ଠା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଦାୟିତ୍ୱ ନିର୍ବାହ ପାଇଁ ସେ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଏବଂ ଆଦରର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିଜର ବ୍ୟକ୍ତିଗତ ଦୁଃଖ ଏବଂ ସମସ୍ୟାକୁ ପଛରେ ପକାଇ ସେ ଯେଭଳି ଭାବେ ନିଜ ଅଞ୍ଚଳବାସୀଙ୍କ ନିରବରେ ସେବା କରି ଚାଲିଛନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରୁ ପ୍ରଶଂସା ସାଉଁଟିଛନ୍ତି ।

ଏହି ମହିଳା ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକର ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳ ଧୋବିଘାଟ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଶାନ୍ତିଲତା ମାଝୀ । ଏହି ଅନୁସୂଚିତ ଜନଜାତି ମହିଳାଙ୍କ ବୟସ ୬୦ ବର୍ଷ । ୪ଟି ପୁଅ ଏବଂ ତିନି ଝିଅଙ୍କୁ ନେଇ ତାଙ୍କର ପରିବାର । ସ୍ୱଳ୍ପ ଜମିରେ ଚାଷବାସ ହିଁ ତାଙ୍କ ପରିବାରର ଏକମାତ୍ର ଜୀବିକା । ଝିଅମାନେ ଏବଂ ଗୋଟିଏ ପୁଅ ବାହା ହୋଇସାରିଛନ୍ତି ।

ବୋଡେନ୍‌ ବ୍ଲକ୍‌ ହେଉଛି ଜିଲ୍ଲାର ସବୁଠାରୁ ଉଚ୍ଚତାରେ ଥିବା ଏକ ବିପଦସଂକୁଳ ଅଞ୍ଚଳ । ଶାନ୍ତିଲତାଙ୍କ ନିଜ ଗାଁ ସହଜପାଣିରୁ ଧୋବିଘାଟ ଅଙ୍ଗନବାଡ଼ି କେନ୍ଦ୍ରର ଦୂରତା ୩ କିମିରୁ ଅଧିକ । ଆଖପାଖରେ କୌଣସି ଜନବସତି, ଦୋକାନ ବଜାର ନାହିଁ । ଗାଁରେ ୫୬ ଟି ପରିବାରରେ ସ୍ତ୍ରୀ ପୁରୁଷ ମିଶି ପ୍ରାୟ ୨୩୦ ଜଣ ବାସ କରନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପାଖାପାଖି ୨୨ ଜଣ ଶିଶୁ ପଞ୍ଜିକୃତ ହୋଇଛନ୍ତି । ଗାଁରେ ପ୍ରାୟ ୫ ଜଣ ଗର୍ଭବତୀ ମହିଳା ଏବଂ ୧୦ ଜଣ ପ୍ରସୂତୀ ମହିଳା ଅଛନ୍ତି ।

ପାଦରେ ଚାଲି ଚାଲି ଶାନ୍ତିଲତା ଘରକୁ ଘର ପହଞ୍ଚି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶୁଖିଲା ରାସନ ବଣ୍ଟନ କରୁଛନ୍ତି । ବଣ୍ଟନ କାର୍ଯ୍ୟରେ ତାଙ୍କ ନାତି ତାଙ୍କୁ ସାହାଯ୍ୟ କରୁଛନ୍ତି । ତାଙ୍କ ଗାଁ ପାଖରେ ମଧ୍ୟ କୌଣସି ଜନବସତି ନାହିଁ । ଅତିରିକ୍ତ ପୁଷ୍ଟିସାଧନ ପାଇଁ ରାଜ୍ୟ ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ଏ ଅଞ୍ଚଳ ପାଇଁ ଶାନ୍ତିଲତା ଜଣେ ମାତ୍ର ଅଙ୍ଗନବାଡ଼ି କର୍ମୀ । ନିକଟରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି ।

ପରିବାରରେ ମଧ୍ୟ ଅନେକ ସମସ୍ୟା ରହିଛି । କିନ୍ତୁ ନିଜର ସମସ୍ତ ବ୍ୟକ୍ତିଗତ ସମସ୍ୟାକୁ ପଛରେ ପକାଇ ସେ ଲୋକଙ୍କ ନିକଟରେ ପହଞ୍ଚିବାକୁ ତାଙ୍କର ପରମ କର୍ତ୍ତବ୍ୟ ଭାବେ ଗ୍ରହଣ କରିନେଇଛନ୍ତି । ନିୟମିତ ଭାବେ ଟୀକାକରଣ, ମମତା ଦିବସ ପାଳନ ସହ ଅଙ୍ଗନବାଡ଼ିର ସମସ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି । କୋଭିଡ୍‌ ସଚେତନତା ସୃଷ୍ଟି କରୁଛନ୍ତି । ସେ ଅଞ୍ଚଳରେ ସରକାରୀ ଦାୟିତ୍ୱରେ ଆସୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ଯଥାସାଧ୍ୟ ସହଯୋଗ କରିବା ସହ ସେମାନଙ୍କୁ ନିଜ ଅଞ୍ଚଳର ଭୌଗୋଳିକ ସ୍ଥିତି ଆଧାରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଛନ୍ତି । ୧୯୮୬ ମସିହାରୁ ଅଙ୍ଗନବାଡ଼ି କର୍ମୀ ଭାବେ ୩୫ ବର୍ଷଧରି ନିରବଚ୍ଛିନ୍ନ ଭାବେ ସେ ଜଣେ କର୍ତ୍ତବ୍ୟପରାୟଣ, ପରିଶ୍ରମୀ କାର୍ଯ୍ୟକର୍ତ୍ତା ଭାବେ ସେବା ପ୍ରଦାନ କରିଆସୁଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଶାନ୍ତିଲତାଙ୍କ ଏହି ଉତ୍ସର୍ଗୀକୃତ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରି କହିଛନ୍ତି ଶାନ୍ତିଲତାଙ୍କ ପରି ଶହ ଶହ ଅଙ୍ଗନବାଡ଼ି କର୍ମୀ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି କୋଭିଡ୍‌-୧୯ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପାଇଁ ରାଜ୍ୟରେ ବିକାଶ ପ୍ରକ୍ରିୟାର ଦୁଇଟି ପ୍ରମୁଖ ଅଙ୍ଗ ମା’ ଏବଂ ଶିଶୁମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ଓ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପହଞ୍ଚିପାରିଛି । ଶାନ୍ତିଲତାଙ୍କ ଉଦାହରଣ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରୁ ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020