ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଭାରତଛାଡ଼ ଆନ୍ଦୋଳନରେ ୧୫୦ରୁ ଅଧିକ ସହିଦ

ଅଠସ୍ତରୀ ବର୍ଷ ତଳର ଗୌରବାବହ ସ୍ମୃତିବହନ କରୁଥିବା ଭାରତଛାଡ଼ ଆନ୍ଦୋଳନ ଏବେ ବି ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଏ ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ଆହ୍ୱାନକୁ ଗ୍ରହଣ କରି ଓଡ଼ିଶାରେ ଦେଢ଼ଶହରୁ ଅଧିକ ସଂଗ୍ରାମୀ ସହିଦ ହୋଇଥିଲେ । ତେବେ ଚଳିତବର୍ଷ କରୋନା ମହାମାରୀ ପରିପ୍ରେକ୍ଷୀରେ ଅଗଷ୍ଟ ୯ର ଏହି ଐତିହାସିକ ଦିବସର ସ୍ମୃତିରୋମନ୍ଥନ ଫିକା ପଡ଼ିଯାଇଛି ।

ଦେଶ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ୧୯୪୨ ଅଗଷ୍ଟ ୮ ତାରିଖ ରାତିରେ ବମ୍ବେଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ଗାନ୍ଧୀଜୀ ଇଂରେଜଙ୍କୁ ‘ଭାରତଛାଡ଼’ ଡାକରା ଦେଇଥିବା ବେଳେ ଏହି ନିର୍ଣ୍ଣାୟକ ଲଢ଼େଇ ପାଇଁ ଦେଶବାସୀଙ୍କୁ ‘କର ବା ମର’ ଆହ୍ୱାନ ଦେଇଥିଲେ ।

ଏହି ଆହ୍ୱାନ ଓଡ଼ିଶା ସମେତ ସମଗ୍ର ଦେଶରେ କମ୍ପନ ସୃଷ୍ଟି କରିଥିଲା । ୧୯୪୨ ଅଗଷ୍ଟ ୨୮ ତାରିଖରେ ବର୍ତ୍ତମାନର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ନିକଟରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ପୁଲିସର ଗୁଳିଚାଳନା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଏକ ମିଛ ମାମଲାରେ ଛନ୍ଦି ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ଲକ୍ଷ୍ମଣ ନାୟକଙ୍କୁ ୧୯୪୩ ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଜେଲ୍‍ରେ ଫାଶୀ ଦିଆଯାଇଥିଲା ।

ସେହି ମାସ ୨୪ ତାରିଖରେ ବର୍ତ୍ତମାନର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡ଼ାହାଣ୍ଡିଠାରେ ସ୍ୱାଧୀନତା ପାଇଁ ବାହାରିଥିବା ଏକ ଶାନ୍ତିପୂର୍ଣ୍ଣ ଶୋଭଯାତ୍ରା ଉପରେ ତୁରୀ ନଦୀ କୂଳରେ ଗୁଳିଚାଳନା କରାଯିବାରୁ ୧୯ ଜଣ ସହିଦ ହୋଇଥିଲେ । ତେବେ ପୁଲିସର ଏହି ବର୍ବରୋଚିତ ଗୁଳିକାଣ୍ଡରେ ଆଉ କେତେ ଶୋଭାଯାତ୍ରାକାରୀ ନଈରେ ଭାସିଗଲେ ତା’ର ହିସାବ ନ ଥିଲେ ମଧ୍ୟ ଆଉ ୧୭ ଜଣ ଗୁଳିମାଡ଼ରେ ଆହତ ହୋଇଥିଲେ ବୋଲି ସରକାରୀ ଦସ୍ତାବିଜରୁ ଜଣାପଡ଼େ । ସେହିପରି ବର୍ତ୍ତମାନର ଯାଜପୁର ଜିଲ୍ଲା ଅନ୍ତର୍ଗତ କାଇପଡ଼ା-କଳାମାଟିଆଠାରେ ପୁଲିସର ଗୁଳିଚାଳନାରେ ୪ ଜଣ ସହିଦ ହୋଇଥିବା ବେଳେ ୧୯ ଜଣ ସଂଗ୍ରାମୀ ଗୁରୁତର ଭାବେ ଆହତ ହୋଇଥିଲେ ।

ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଇରମ୍‍ଠାରେ ଭାରତଛାଡ଼ ଆନ୍ଦୋଳନ କାଳରେ ୧୯୪୨ ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶ୍‍ ପୁଲିସ ଅନ୍ୟ ଏକ ଜାଲିଆନାୱାଲାବାଗ କାଣ୍ଡ ସୃଷ୍ଟି କରିଥିଲା । ସ୍ୱାଧୀନତା ପ୍ରେମୀମାନେ ଏକ ପଡ଼ିଆରେ ସଭାରେ ସମବେତ ହୋଇଥିବା ବେଳେ ସେଠାରେ ଆଖିବୁଜା ଗୁଳିଚାଳନା କରାଯିବାରୁ ଜଣେ ମହିଳାଙ୍କ ସମେତ ୨୯ ଜଣ ସହିଦ ହୋଇଥିଲେ ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲୁଣିଆଠାରେ ବି ଭାରତଛାଡ଼ ଆନ୍ଦୋଳନ ସମୟରେ ୧୯୪୨ ସେପ୍ଟେମ୍ବର ୨୨ରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ ।

ସେହିପରି ତୁଡ଼ିଗଡ଼ିଆ-ଖଇରାଡିହିଠାରେ ସେହିମାସ ୨୮ ତାରିଖରେ ଘଟିଥିବା ଅନ୍ୟ ଏକ ପୁଲିସ ଗୁଳିକାଣ୍ଡରେ ୩ ଜଣ ସଂଗ୍ରାମୀ ମଧ୍ୟ ସହିଦ ହୋଇଥିଲେ । ପୁରୀ ଜିଲ୍ଲାର ନିମାପଡ଼ାଠାରେ ପୁଲିସ ଗୁଳିମାଡ଼ରେ ଜଣେ ସହିଦ ହୋଇଥିବା ବେଳେ ଢେଙ୍କାନାଳ, ନୟାଗଡ଼, ନୀଳଗିରି ଓ ତାଳଚେର ଗଡ଼ଜାତ ଅଞ୍ଚଳରେ ପୁଲିସର ଗୁଳି ଓ ଆକାଶମାର୍ଗରୁ ବୋମାମାଡ଼ରେ ମଧ୍ୟ ବହୁ ସଂଗ୍ରାମୀ ମୃତାହତ ହୋଇଥିଲେ । ଗାନ୍ଧୀଜୀଙ୍କ ୧୫୦ ବର୍ଷ ଜନ୍ମବାର୍ଷିକୀ ଅବସରରେ ଏ ବର୍ଷ ରାଜ୍ୟ ସରକାର ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ସ୍ମୃତି ରୋମନ୍ଥନ ପାଇଁ ବ୍ୟାପକ କାର୍ଯ୍ୟକ୍ରମର ପ୍ରସ୍ତାବ ରଖିଥିଲେ ମଧ୍ୟ କରୋନା ମହାମାରୀ ଯୋଗୁ ଗଣ ଉତ୍ସବ ସ୍ଥଗିତ ରହିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020