ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କରୋନା ଯୁଦ୍ଧରେ ୧୧ ଶିକ୍ଷକ ସହିଦ

କରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଅନ୍ୟୁନ ୨୭ ଜଣ କରୋନା ଯୋଦ୍ଧା ଓଡ଼ିଶାରେ ପ୍ରାଣବଳୀ ଦେଇସାରିଲେଣି । ଏମାନଙ୍କ ମଧ୍ୟରୁ କେବଳ ୧୧ ଜଣ ହେଉଛନ୍ତି ଶିକ୍ଷକ ।

ସରକାରୀ ତଥ୍ୟ ମୁତାବକ ଗଜପତି ଜିଲ୍ଲାରେ ଆଜି ସୁଦ୍ଧା ୧୫ ଜଣ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି । ଏମାନେ ହେଲେ ଏଡିଏମ୍‍ କରୁଣାକର ରାଇକା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ।

ରାଜ୍ୟରେ ଆଜିସୁଦ୍ଧା କରୋନାରେ ୨୪୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଏଥିରୁ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୨୩ । ଏହି ଜିଲ୍ଲାରେ ୨୫ ଜଣ କରୋନା ଯୋଦ୍ଧାଙ୍କ ମୁଣ୍ଡ ଏପର୍ଯ୍ୟନ୍ତ ଏହି ମହାମାରୀ ନେଇସାରିଛି । ଏମାନଙ୍କ ଭିତରୁ କେବଳ ୧୧ ଜଣ ହେଉଛନ୍ତି ଶିକ୍ଷକ । କବିସୂର୍ଯ୍ୟନଗର ବ୍ଲକ୍‍ର ଶିକ୍ଷକ ସୀମାଞ୍ଚଳ ଶତପଥୀ, କୃଷ୍ଣ ଚରଣ ସେଠୀ, ଡି. ରାମେଶ୍ୱର ଆଚାରୀ, ଲକ୍ଷ୍ମୀନାରାୟଣ ଶତପଥୀ କରୋନା ପ୍ରତିରୋଧ କାମରେ ଲିପ୍ତ ଥିବା ବେଳେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।

ସେହିପରି ଆସିକା ଅଞ୍ଚଳର ଜଣାଶୁଣା ଶିକ୍ଷକ ସିଦ୍ଧାର୍ଥ ଶେଖର ପାଢ଼ୀ ଓ ଗୌର ବେହେରା ଏବଂ ଦିଗପହଣ୍ଡିର ଶିକ୍ଷକ ବଂଶୀଧର ବେହେରା, ସୋରଡ଼ାର ଶିକ୍ଷକ ଭାସ୍କର ସାହୁ ଓ ପୁରୁଷୋତ୍ତମପୁରର ଶିକ୍ଷକ ପି. ବିଜୟଲକ୍ଷ୍ମୀ କରୋନା କାର୍ଯ୍ୟରେ ସରକାରୀ ଭାବେ ଲିପ୍ତ ଥିବା ବେଳେ ପ୍ରାଣ ହରାଇଛନ୍ତି । ସେହିପରି କରୋନା ପ୍ରତିରୋଧ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିବା ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶିକ୍ଷକ ସବିତା ପଟ୍ଟନାୟକ ଓ ବଶିଷ୍ଠ କୁମାର ପ୍ରହରାଜ ମଧ୍ୟ ଏହି ମହାମାରୀରେ ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି ।

କରୋନାର ହଟ୍‍ସ୍ପଟ୍‍ ଗଞ୍ଜାମ ଜିଲ୍ଲାରେ କରୋନା ବିରୋଧୀ ସଂଗ୍ରାମରେ ବଳି ପଡ଼ିଛନ୍ତି ଧରାକୋଟର କନିଷ୍ଠ ଯନ୍ତ୍ରୀ ପି. ସୁରେଶ କୁମାର, ଏଏସ୍‍ଆଇ ରବୀନ୍ଦ୍ର ନାଥ ବେହେରା, କନଷ୍ଟେବଳ ଗୋଲଖ ନାୟକ, ହୋମ୍‍ଗାର୍ଡ ଏସ୍‍. ନରସିଂହ ଦାସ, ଅଙ୍ଗନବାଡ଼ି କର୍ମୀ ଭାରତୀ ସ୍ୱାଇଁ, ଆସିଡିଏସ୍‍ ସୁପର ଭାଇଜର କେ.ଏ ପାତ୍ର, ବ୍ରହ୍ମପୁର ପୌର ନିଗମର କର୍ମଚାରୀ ଉପେନ୍ଦ୍ର ମାଝୀ ଓ କୈଳାସ ଚନ୍ଦ୍ର ନାୟକ, ହିଞ୍ଜିଳିକାଟୁର ଟିକସ କଲେକ୍ଟର ଧନୁର୍ଦ୍ଧର ସ୍ୱାଇଁ । ଏମାନଙ୍କ ଛଡ଼ା କରୋନା ଯୁଦ୍ଧରେ ସମ୍ପୃକ୍ତି ଥାଇ ସରପଞ୍ଚ ମନୋଜ କୁମାର ସ୍ୱାଇଁ ମଧ୍ୟ ପ୍ରାଣବଳି ଦେଇଛନ୍ତି ।

ସେହିପରି ବୁଗୁଡ଼ାର ପଞ୍ଚାୟତ ଏକ୍ସଟେନ୍‍ସନ୍‍ ଅଫିସର ଶେଷଦେବ ବେହେରା, ମୋହନାର ଲାବୋରେଟୋରୀ ଟେକ୍ନିସିଆନ୍‍ ଅର୍ଜୁନ କୁମାର ବେହେରା, ଜଗନ୍ନାଥପ୍ରସାଦର ସେକ୍ସନ ଅଫିସର ଅରୁଣ କୁମାର ବେହେରା ଓ ବାଲିପଦରର ଆର୍‍ଆଇ ଅଫିସ ପିଅନ ରମେଶ ଚନ୍ଦ୍ର ପଣ୍ଡା ମଧ୍ୟ ଏହି ଯୁଦ୍ଧରେ ସହିଦ ହୋଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସମଗ୍ର ରାଜ୍ୟରେ କରୋନା ବ୍ୟାପୁଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ୨୫ ଜଣ ଓ ଗଜପତିର ଦୁଇ ଜଣ କରୋନା ଯୋଦ୍ଧା ସହିଦ ହୋଇଛନ୍ତି । ସବୁଠାରୁ ଉଦ୍‍ବେଗଜନକ ବିଷୟ ହେଉଛି ଗଞ୍ଜାମ ଜିଲ୍ଲାରେ ୧୧ ଜଣ ଶିକ୍ଷକ କରୋନା ପ୍ରତିରୋଧ ଅଭିଯାନରେ ଲିପ୍ତ ଥିବା ବେଳେ ପ୍ରାଣ ହରାଇବା । ମୋଟାମୋଟି ଭାବେ ଯେତେ କରୋନା ଯୋଦ୍ଧା ପ୍ରାଣ ହରାଉଛନ୍ତି ସେମାନଙ୍କ ଭିତରେ ରାଜ୍ୟରେ ଶିକ୍ଷକଙ୍କ ସଂଖ୍ୟା ସର୍ବାଧିକ ।

ଏମାନଙ୍କ ମଧ୍ୟରୁ ଅନେକ କ୍ୱାରେଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ବେଳେ ଆଉ କେତେକ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ଓ ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ଆଦିରେ କାମ କରୁଛନ୍ତି । ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କରି ଆର୍ଥିକ ସହାୟତା ରାଜ୍ୟ ସରକାର ଦେଉଛନ୍ତି । ସମଗ୍ର ରାଜ୍ୟରେ ଏବେ ୨ ଲକ୍ଷରୁ ଅଧିକ କରୋନା ଯୋଦ୍ଧା କାର୍ଯ୍ୟରତ ଥିବା ଜଣାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020