ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବ୍ରହ୍ମପୁର ଓ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ୍‍

ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ବୁର୍ଲାର ଭିମ୍‌ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ୱାରା ରାଜ୍ୟରେ ସମୁଦାୟ ୫ଟି ପ୍ଲାଜମା କେନ୍ଦ୍ର ପ୍ରତିଷ୍ଠା ହେଲା ।

ଏହାଦ୍ବାରା ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧାରେ ହୋଇପାରିବ । କୋଭିଡ ଯୁଦ୍ଧର ମୁଖ୍ୟ ମିଶନ ହେଉଛି ଲୋକଙ୍କ ଜୀବନର ସୁରକ୍ଷା। ଏ କ୍ଷେତ୍ରରେ ପ୍ଲାଜମା ଥେରାପି ବହୁତ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ପ୍ଲାଜମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍‌ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି ଏବଂ ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ପୁଣିଥରେ ନିବେଦନ କରିଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବରୁ କଟକର ଏସ୍‍ସିବି, ଭୁବନେଶ୍ୱରର କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲାର ଆଇଜିଏଚ୍‍ ଠାରେ ତିନୋଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇପାରିଛି । ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ସହିତ ରାଜ୍ୟର ସମୁଦାୟ ୫ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠିତ ହେଲା ।

ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ ଉପସ୍ଥିତ ଜଂଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଏହି ପ୍ଲାଜମା ବ୍ୟାଙ୍କ ଦ୍ବାରା ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ଏଣିକି ଆହୁରି ସୁବିଧାଜନକ ହେବ । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୦୦ ଜଣ ପ୍ଲାଜମା ଦାନ ପାଇଁ ଆଗେଇ ଆସିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ବୁର୍ଲାର ଭିମସାର ଠାରେ ଉପସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଥିଲେ ଯେ ପ୍ଲାଜମା ବ୍ୟାଙ୍କ ପାଇଁ ଆଜି ପଶ୍ଚିମ ଓଡିଶାର ଲୋକମାନଙ୍କ ମଧ୍ୟରେ ଆଶା ସୃଷ୍ଟି କରିଛି। କୋଭିଡ ରୋଗରେ ଲୋକଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ଲୋକମାନଙ୍କୁ ଭଗବାନ ଆଶୀର୍ବାଦ କରିବେ ଏବଂ କରୋନା ଯୁଦ୍ଧରେ ଚାଲିଥିବା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ନିଶ୍ଚୟ ସଫଳ ହେବ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଭିମସାର୍‌ର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ସଚିବ ମନୋଜ ମିଶ୍ର ଯୋଗ ଦେଇଥିଲେ। 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020