ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ରାମ ଆମ ହୃଦୟରେ


ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି । ଦୀର୍ଘ ଦଶନ୍ଧି ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦେଖିଥିବା ସ୍ୱପ୍ନ ଶେଷରେ ସାକାର ହୋଇଛି । ପ୍ରଧାନମନ୍ତ୍ରୀ ଆଜି ବେଦ ମନ୍ତ୍ର ପାଠ ମଧ୍ୟରେ ୪୦ କିଲୋଗ୍ରାମ ଓଜନର ରୁପା ଇଟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ବୁଧବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରେ ପହଞ୍ଚିବା ପରେ ରାମ ଲାଲାଙ୍କୁ ଦର୍ଶନ ସହିତ ଆଳତି କରି ଫୁଲମାଳ ପିନ୍ଧାଇଥିଲେ । ମନ୍ଦିର ନିର୍ମାଣ ସ୍ଥଳିରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗଙ୍ଗଶିଉଳି ଚାରାରୋପଣ କରିଥିଲେ ।

ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ । ଭୂମି ପୂଜନ ଉତ୍ସବରେ ପ୍ରସ୍ତାବିତ ଗର୍ଭଗୃହ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ ।

ଭୂମି ପୂଜନ ଅବସରରେ ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଆଜି ପୂରା ଭାରତ ରାମମୟ ହୋଇଯାଇଛି । ପ୍ରଭୁ ରାମଙ୍କ ସତ୍ତା ବିଲୋପ ପାଇଁ ବହୁ ଉଦ୍ୟମ ସତ୍ତେ୍ୱ ସେ ଆମ ହୃଦୟରେ ବିରାଜମାନ । ରାମ ଆମ ହୃଦୟ ଓ ସଂସ୍କୃତିରେ ସର୍ବଦା ରହି ଆସିଛନ୍ତି ଏବଂ ରହିବେ । ରାମ ମନ୍ଦିର ନିର୍ମାଣ ଆମ ଦେଶର ଏକତାକୁ ଦର୍ଶାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଥିଲେ କେବଳ ପ୍ରଭୁ ରାମଙ୍କ ନଗରୀରେ ନୁହେଁ ସମଗ୍ର ବିଶ୍ୱରେ ଜୟ ଶ୍ରୀ ରାମ ଧ୍ୱନି ଗୁଞ୍ଜରିତ ହେଉଛି । ଦୀର୍ଘ ବର୍ଷ ଧରି ଶିବିରରେ ବାସ କରୁଥିବା ପ୍ରଭୁ ଶ୍ରୀ ରାମଙ୍କ ପାଇଁ ବିଶାଳ ମନ୍ଦିରଟିଏ ତୋଳାଯିବ । ଅଯୋଧ୍ୟାରେ ଭାରତ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରୁଛି । ଏଥିସହିତ ସବୁ ପ୍ରତୀକ୍ଷାର ଅବସାନ ଘଟିଛି । ଏହି ମନ୍ଦିର ଆମ ଭକ୍ତି, ଜାତୀୟ ଆବେଗର ସଙ୍କେତ ଓ କୋଟି କୋଟି ଜନତାଙ୍କ ସାମୁହିକ ପ୍ରତିବଦ୍ଧତାର ପ୍ରତୀକ ହେବା ସହିତ ଆଗାମୀ ବଂଶଧରଙ୍କୁ ଏହା ଉତ୍ସାହ ଦେବ ।

ରାମ ମନ୍ଦିର ନିର୍ମାଣ ଦ୍ୱାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ବରଂ ଏହାର ପୁନରାବୃତ୍ତି ହେଉଛି । ନାବିକ ଜନଜାତି ଯେମିତି ପ୍ରଭୁ ଶ୍ରୀରାମଙ୍କୁ ସହାୟକ ହୋଇଥିଲେ, ଗୋବର୍ଦ୍ଧନ ଉଠାଇବାରେ ପିଲାଏ ଯେମିତି ପ୍ରଭୁ କୃଷ୍ଣଙ୍କୁ ସାହାଯ୍ୟ କରିଥିଲେ ସେଭଳି ସମସ୍ତଙ୍କ ଉଦ୍ୟମରେ ମନ୍ଦିର ନିର୍ମାଣ ସମାପନ ହେବ ।

ରାମ ମନ୍ଦିର ନିର୍ମାଣ ସ୍ୱପ୍ନ ସାକାର ହେବା ଦେଖିପାରିନଥିବା ପୂର୍ବପିଢିଙ୍କ ସ୍ୱପ୍ନ ପୂରଣ କରିଥିବାରୁ ପ୍ରଥମେ ବକ୍ତବ୍ୟ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଆହୁରି ମଧ୍ୟ କହିଲେ ଯେ ବିବାଦ କିଭଳି ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଭାବେ ସମାଧାନ ହୋଇପାରେ ତାହା ନ୍ୟାୟପାଳିକା ବିଶ୍ୱକୁ ଦେଖାଇ ଦେଇଛି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କହିଥିଲେ ଯେ ସମଗ୍ର ଦେଶରେ ଆଜି ଆନନ୍ଦର ଲହରୀ । ଯୁଗ ଯୁଗର ଆଶା ପୂର୍ଣ୍ଣ ହେବାର ଆନନ୍ଦ ଅନୁଭୂତ ହେଉଛି । ଭାରତକୁ ଆତ୍ମନିର୍ଭର କରିବାକୁ ଯେଉଁ ଆତ୍ମବିଶ୍ୱାସର ଆବଶ୍ୟକତା ଥିଲା ତାହାର ଆଜି ଅୟରାମ୍ଭ ହୋଇଛି ବୋଲି ସେ କହିଥିଲେ ।

ରାମ ମନ୍ଦିର ନିର୍ମାଣ ଲାଗି ୨୦/୩୦ ବର୍ଷ ଲାଗିବ ବୋଲି ଆରଏସଏସ ଜାଣିଥିଲା । ଶେଷରେ ତିନି ଦଶନ୍ଧି ପରେ ସ୍ୱପ୍ନ ସାକାର ହେଲା । ଆମ ଦେଶ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ । ଆମ ଦେଶବାସୀଙ୍କର ଏହି ସ୍ୱଭାବ ସବୁ ସମସ୍ୟା ସମାଧାନର ଉପାୟ ବତାଇ ଦେଇଛି ବୋଲି ସେ କହିଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020