ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ନଭେମ୍ବର ସୁଦ୍ଧା କରୋନା ଟୀକା

ଆସନ୍ତା ନଭେମ୍ବର ସୁଦ୍ଧା କରୋନା ପ୍ରତିଷେଧକ ଟୀକା ବଜାରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି । ଏ କ୍ଷେତ୍ରରେ ଦେଶ ବିଦେଶରେ ଯେତେ ଗବେଷଣା ଚାଲିଛି ସେଥିରୁ ସବୁଠାରୁ ଆଗରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଆଲର୍ଜୀ ଆଣ୍ଡ ଇମ୍ୟୁନ ଡିଜିଜେସ୍‍, କାଲିଫର୍ଣ୍ଣିଆ ଓ ଚିକାଗୋ ବିଶ୍ୱବିଦ୍ୟାଳୟ ଏବଂ ଫାର୍ମାସିଟ୍ୟୁକାଲ କମ୍ପାନୀ ମୋଡେର୍ଣ୍ଣାର ପ୍ରଚେଷ୍ଟା ।

ଆମେରିକାରେ ଏହି ଟୀକା ଗବେଷଣା କାର୍ଯ୍ୟରେ ନିୟୋଜିତ ଥିବା ବୈଜ୍ଞାନିକ ଗୋଷ୍ଠୀରେ ଅଛନ୍ତି ଓଡ଼ିଶାର ଯୁବ ବିଜ୍ଞାନୀ ଡ. ସ୍ୱୟମ୍‍ ପ୍ରକାଶ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‍ଓ)ର ତଥ୍ୟ ଉଦ୍ଧାର କରି ସେ କହିଛନ୍ତି ଯେ ଏବେ ପୃଥିବୀର ବିଭିନ୍ନ ଦେଶରେ ୧୬୫ଟି କୋଭିଡ୍‍-୧୯ ଟୀକା ପ୍ରସ୍ତୁତ ଲାଗି ଗବେଷଣା ଚାଲିଛି । ଏଥିରୁ ୨୬ଟି କ୍ଲିନିକାଲ ଗବେଷଣା ବିଭିନ୍ନ ସ୍ତରରେ ରହିଥିବା ବେଳେ ଆଉ ୧୩୯ଟି ଗବେଷଣା ପ୍ରି-କ୍ଲିନିକାଲ ସ୍ତରରେ ରହିଛି । କ୍ଲିନିକାଲ ଗବେଷଣା ମଧ୍ୟରୁ କେତେକ ପ୍ରଥମ ଓ ଦ୍ୱିତୀୟ ଫେଜ୍‍ରେ ଥିବା ବେଳେ ଅନ୍ୟୁନ ୪ଟି ଦେଶରେ ଏହି ଗବେଷଣା ତୃତୀୟ ଫେଜ୍‍ରେ ରହିଛି ।

ଆମେରିକାର ମୋଡେର୍ଣ୍ଣା କମ୍ପାନୀ ଟୀକା ଗବେଷଣାରେ କାଲିଫର୍ଣ୍ଣିଆ ଓ ଚିକାଗୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ଟୀକା ଖୁବ୍‍ଶୀଘ୍ର ଉପଲବ୍ଧ ହେବ ବୋଲି ଏହି ଗବେଷକ ଗୋଷ୍ଠୀ ବେଶ୍‍ ଆଶାବାଦୀ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଇମ୍ୟୁନୋ ଜେନିଟିଷ୍ଟ ଭାବରେ ଡ. ସ୍ୱୟମ୍‍ ପ୍ରକାଶ ଏହି ଗବେଷଣା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଉଛନ୍ତି ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟଳୟ ଆଷ୍ଟ୍ରାଜେନିକା ସହଯୋଗରେ ଟୀକା ଗବେଷଣା କାମରେ ବେଶ୍‍ ଆଗେଇଥିବା ବେଳେ ଚୀନ୍‍ର ବୈଜ୍ଞାନିକମାନେ ମଧ୍ୟ ଶୀଘ୍ର ଟୀକା କାଢ଼ିବା ପାଇଁ ଲାଗି ପଡ଼ିଛନ୍ତି । ଭାରତରେ ଭାରତ ବାୟୋଟେକ୍‍ ଆଇସିଏମ୍‍ଆର୍‍ ସହାୟତାରେ ବି ଟୀକା ପ୍ରସ୍ତୁତି କାମରେ ଲାଗିଛି । ଦେଶ ବିଦେଶରେ ବହୁ ବୈଜ୍ଞାନିକ ମଧ୍ୟ ଦିନରାତି ଏକ କରି କୋଭିଡ୍‍ ଟୀକା କିଭଳି ଶୀଘ୍ର ଉପଲବ୍ଧ ହେବ ସେ କାମରେ ମାତିଛନ୍ତି । ମୋଟାମୋଟି ଭାବେ ଆମେରିକା, ଇଂଲଣ୍ଡ, ଭାରତ ଓ ଚୀନ୍‍ରେ କରୋନା ଟୀକା ଗବେଷଣା କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଏହାଛଡ଼ା ସିଙ୍ଗାପୁର, ତାଇୱାନ, ଅଷ୍ଟ୍ରେଲିଆ, ବ୍ରାଜିଲ, ରୁଷିଆ, ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ ଆଦି ଦେଶରେ ବି କୋଭିଡ୍‍-୧୯ ଟୀକା କାଢ଼ିବା ଲାଗି ଜୋରଦାର୍‍ ଉଦ୍ୟମ ଚାଲିଛି । କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ଅନ୍ୟୁନ ୬ ପ୍ରକାରର କୋଭିଡ୍‍ ଟୀକା ବିକଶିତ ହେଉଥିବା ବେଳେ ଅନ୍ୟ ରାଷ୍ଟ୍ରମାନଙ୍କରେ ବି ଏ କାମ ଆଗେଇ ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ଗତ ନଭେମ୍ବରରେ ଚୀନ୍‍ର ଉହାନ୍‍ ସହରରେ ଆବିଷ୍କୃତ ହୋଇଥିବା କରୋନା ଭୂତାଣୁ କେବେ ସୁଦ୍ଧା ସମଗ୍ର ବିଶ୍ୱର ପାଖାପାଖି ୨ କୋଟି ଲୋକଙ୍କୁ ସଂକ୍ରମିତ ହେଲାଣି ଓ ଏଥିରେ ୭ ଲକ୍ଷ ଲୋକ ମଲେଣି । କରୋନାକୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ଉଦ୍ୟମ ଚାଲିଛି । ଏହାଛଡ଼ା କରୋନା ରୋଗୀଙ୍କ ପାଇଁ କେଉଁ ଔଷଧ କାମ କରୁଛି ସେ ସମ୍ପର୍କରେ ବି ଗବେଷଣା ଅବ୍ୟାହତ ରହିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020