ରାଜଧାନୀର ରାଜମହଲ ଛକ ଏବେ ରିଲିଫ ବଣ୍ଟନର କେନ୍ଦ୍ରସ୍ଥଳ ପାଲଟିଛି । ବଦାନ୍ୟ ଅନୁଷ୍ଠାନ ଓ ବ୍ୟକ୍ତିମାନେ ଏଠାକୁ ଆସି ଅସହାୟମାନଙ୍କୁ ଖାଦ୍ୟ ବାଣ୍ଟୁଥିବାବେଳେ ଖାଦ୍ୟ ଆଶାରେ ଦିନକୁ ଦିନ ଏଠାରେ ଭିଡ ବଢିବାରେ ଲାଗିଛି । ନିକଟସ୍ଥ ବସ୍ତି ଅଞ୍ଚଳରୁ ବି ଲୋକେ ଖାଦ୍ୟ ନେବାକୁ ଏଠାରେ ଆସି ରୁଣ୍ଡ ହେଉଛନ୍ତି ।
ଲକ୍ ଡାଉନ୍ ସମୟରେ ଭୋକିଲାଙ୍କୁ ଖାଦ୍ୟ ଦେବାପାଇଁ ଅଣ୍ଟା ଭିଡିଥିବା ସଂସ୍ଥା ଓ ବ୍ୟକ୍ତିମାନେ ରାଜମହଲ ଛକର ଫ୍ଲାଇଓଭର ତଳ ଅଞ୍ଚଳକୁ ବାଛିଛନ୍ତି । ଦିନ ୧୧ଟା ପରଠାରୁ ଏଠାରେ ଏକ ପ୍ରକାର ରିଲିଫ ମେଳା ଚାଲୁଛି । ଉଭୟ ଦାତା ଓ ଭୋକିଲା ଜନତାଙ୍କ ଭିଡ ଲାଗି ରହୁଛି । ଲୋକଙ୍କର ଏଠାରେ ଠେଲା ପେଲା ଅବସ୍ଥା ଦେଖି ଆଜି ପୁଲିସ୍କୁ ହସ୍ତକ୍ଷେପ କରିବାକୁ ପଡୁଥିବା ଦେଖିବାକୁ ମିଳିଥିଲା ।
ତେବେ ସବୁଠାରୁ ବଡ କଥା ହେଉଛି ଯେ ଖାଦ୍ୟ ଆଶାରେ ଏଠାକୁ ଆସୁଥିବା ଅନେକ ବ୍ୟକ୍ତି ଖାଇବା ବଦଳରେ କିଭଳି ଅଧିକ ଖାଦ୍ୟ ସଂଗ୍ରହ କରି ନେଇଯିବେ ସେଥିପାଇଁ ଠେଲାପେଲା ହେଉଛନ୍ତି । ଯିଏ ବାଣ୍ଟିବାକୁ ଆସିଲା ତାହାଠାରୁ ଖାଦ୍ୟ ପୁଡିଆଟିଏ ନେଇ ନିକଟରେ ରଖିଦେଇ ପୁଣି ଆସି ଛିଡା ହୋଇ ଯାଉଛନ୍ତି । ଫଳରେ ଯେଉଁମାନେ ପ୍ରକୃତରେ ଭୋକିଲା ସେମାନେ ଅନେକ ସମୟରେ ବଞ୍ଚିତ ହେଉଛନ୍ତି ।
ଖାଦ୍ୟ ବଣ୍ଟନ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଯଦି ବସ୍ତି ଅଞ୍ଚଳକୁ ଯାଇ ବାଣ୍ଟନ୍ତେ ବା ସହରର ବିଭିନ୍ନ ସ୍ଥାନରେ ଭୋକିଲା ଥିବା ଲୋକଙ୍କୁ ଖୋଜି ଖୋଜି ଖାଦ୍ୟ ଦିଅନ୍ତେ ତେବେ ରାଜମହଲର ଛକରେ ଏଭଳି ଭିଡ ସୃଷ୍ଟି ହୁଅନ୍ତା ନାହିଁ ବୋଲି ମତ ପ୍ରକାଶ ପାଉଛି । ଏହା ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଲକ୍ ଡାଉନ୍ ଘୋଷଣା ହୋଇଛି ତାହାକୁ ଏହି ରିଲିଫ ମେଳା ଏକ ପ୍ରକାର ବାଟବଣା କରିଦେଉଛି । ତେଣୁ ଖାଦ୍ୟ ବଣ୍ଟନ ସମୟରେ ଲୋକଙ୍କ ଭିତରେ କିଭଳି ଦୂରତ୍ୱ ରହିବ ଦାତାମାନେ ସେ ଦିଗରେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଉଛି ।