ଲକ ଡାଉନ୍ ପାଇଁ ରାଜ୍ୟ ବାହାରେ ଅଟକି ରହିଥିବା ଓଡିଆମାନଙ୍କ ସହାୟତା ଲାଗି ଭୁବନେଶ୍ୱର ଠାରେ ଏକ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲରୁମ୍ ଖୋଲିବା ସହିତ ଜଣେ ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ଏହାକୁ ୨୪ ଘଣ୍ଟିଆ ଖୋଲା ରଖିବାପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହାଦ୍ୱାରା କେବଳ ବାହାରେ ଫସିଥିବା ଓଡିଆ ନୁହେଁ ରାଜ୍ୟ ଭିତରେ ଥିବା ଲୋକେ ବି ସେମାନଙ୍କ ସୁବିଧା ଅସୁବିଧା ସଂକ୍ରାନ୍ତରେ ଜଣାଇ ପାରିବେ ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ବନ୍ୟା ବାତ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେଭଳି ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସହିତ ଟୋଲ ଫ୍ରି ନମ୍ବର ଜାରି ହୁଏ କରୋନା ଭଳି ବିପତ୍ତି ସମୟରେ ଅନୁରୂପ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା ହେବା ଆବଶ୍ୟକ । ବର୍ତ୍ତମାନ ତେଲେଙ୍ଗାନା, ବାଙ୍ଗାଲୋର, ସୁରଟ ସମେତ ଦେଶର ବିଭିନ୍ନ ଭାଗରେ ଅଟକିଥିବା ରାଜ୍ୟର ବହୁ ଶ୍ରମିକ ବ୍ୟକ୍ତିଗତ ଭାବେ ଫୋନ୍ ମାଧ୍ୟରେ ସେମାନଙ୍କର ଅସୁବିଧା ଜଣାଉଛନ୍ତି । କିନ୍ତୁ ରାଜ୍ୟସ୍ତରୀୟ କଣ୍ଟ୍ରୋଲରୁମ୍ ହେଲେ ସେମାନଙ୍କ କଥା ସିଧାସଳଖ ଭାବେ ସରକାରଙ୍କ ନିକଟରେ ପହଞ୍ଚିପାରିବ ଓ ସରକାର ମଧ୍ୟ ସେମାନଙ୍କ ସହାୟତା ଲାଗି ତୁରନ୍ତ ପଦକ୍ଷେପ ନେଇପାରିବେ ।
ସେହିଭଳି ବିଭିନ୍ନ ମେଡିକାଲ କଲେଜରୁ ଅବସର ଗ୍ରହଣ କରିଥିବା ବରିଷ୍ଠ ଡାକ୍ତରମାନଙ୍କର ପରାମର୍ଶ ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ନେବାପାଇଁ ଶ୍ରୀ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଡାକ୍ତରମାନେ ସାମ୍ବାଦିକ ସମ୍ମିଳନୀକୁ ଆସି ରୋଗ ନିୟନ୍ତ୍ରଣ ସଂକ୍ରାନ୍ତରେ କହିଲେ ଲୋକେ ତାହାକୁ ଗ୍ରହଣ କରିବେ । କାରଣ ସାଧାରଣ ଲୋକେ ଡାକ୍ତରମାନଙ୍କ କଥାକୁ ମାନିଥାନ୍ତି । ଜାତୀୟ ସ୍ତରରେ ସରକାରୀ ପ୍ରେସ୍ ମିଟ୍ରେ ମଧ୍ୟ ବରିଷ୍ଠ ଡାକ୍ତରମାନେ ଆସି ସେମାନଙ୍କର ମତ ରଖିବା ସହିତ ଲୋକଙ୍କୁ ଭରସା ଦେଉଛନ୍ତି ।
ଆସନ୍ତା ଦୁଇ ତାରିଖରେ ପବିତ୍ର ରାମନବମୀ ପଡୁଥିବାରୁ ଏହା ଯେଭଳି ଅତି ନିରାଡମ୍ବର ଭାବେ ପାଳନ ହେବ ସେଥିପାଇଁ ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଯେଉଁଠାରେ ନିହାତି ଆବଶ୍ୟକ ସେଠାରେ ପୂଜକ ଓ ଭକ୍ତଙ୍କୁ ମିଶାଇ ଅତି ବେଶିରେ ୫/୬ ଜଣ ଉପସ୍ଥିତ ରହିବା ଆବଶ୍ୟକ । ଏହି ସମୟରେ ପୁଲିସ୍ ପ୍ରଶାସନ ଲୋକଙ୍କୁ ବୁଝାଇ ସୁଝାଇ ସହଯୋଗ କରିବାକୁ ସେ ଅନୁରୋଧ ଦେଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ଲକ ଡାଉନ ସମୟରେ ଲୋକଙ୍କୁ ଘରୁ ନବାହାରିବାପାଇଁ ଯେଉଁ ଅନୁରୋଧ କରିଛନ୍ତି ଗାଁ ଗହଳର ଲୋକେ ତାହାକୁ ଅତି ନିଷ୍ଠାର ସହିତ ପାଳନ କରୁଛନ୍ତି । ପୁଲିସ୍ ପ୍ରଶାସନ ମଧ୍ୟ ସକାଳୁ ରାତି ପର୍ଯ୍ୟନ୍ତ ଜଗି ରହୁଛନ୍ତି । ପୁଲିସ୍ ମାନେ ଏଥିପାଇଁ ଧନ୍ୟବାଦର ପାତ୍ର । ସେହିଭଳି ଡାକ୍ତରମାନେ ଯେଭଳି କରୋନା ମୁକାବିଲାରେ ସାମିଲ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଶ୍ରୀ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି ।
କରୋନା ସଂକ୍ରାନ୍ତରେ ରାଜ୍ୟ ସରକାର ଯେଭଳି ଭାବେ ଲୋକଙ୍କୁ ଅବଗତ କରିଆସୁଛନ୍ତି ତାହାକୁ ଶ୍ରୀ ମହାପାତ୍ର ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିବାବେଳେ ରାଜ୍ୟ ସରକାରଙ୍କ ମୁଖପାତ୍ରମାନେ କିନ୍ତୁ ୬ମାସର ସୂଚନା ଦେଉଛନ୍ତି । ଏହା ଫଳରେ ଲୋକେ ଭୟଭୀତ ହୋଇ ପଡୁଛନ୍ତି । ଉଦାହରଣ ଦେଇ ସେ କହିଛନ୍ତି ଯେ ତେଲେଙ୍ଗାନାର ମନ୍ତ୍ରୀ କେ.ଟି.ରାମାରାଓ ଗଣମାଧ୍ୟମକୁ ଆସି ଲୋକଙ୍କୁ ଯେଭଳି ଭରସା ଦେଲେ ତାହା ରାଜ୍ୟବାସୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏପ୍ରିଲ ୭ ତାରିଖ ମଧ୍ୟରେ ତେଲେଙ୍ଗାନା ସରକାର କରୋନାକୁ ନିନ୍ତ୍ରୟଣ କରିବେ ଓ ଏଥିରେ ରାଜ୍ୟବାସୀଙ୍କ ସହଯୋଗ ଆବଶ୍ୟକ ବୋଲି କହିବାପରେ ସେଠାକାର ଲୋକେମାନେ କରୋନା ମୁକାବିଲା ସେମାନଙ୍କ ନିଜ ଦାୟିତ୍ୱ ଭାବି ଏବେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଆମେ ସମସ୍ତେ ଏବେ ଗୋଟିଏ ଅଜଣା ଶତ୍ରୁ ବିରୁଦ୍ଧରେ ଲଢୁଛେ । ଗାଁ ଠୁ ସହର ପର୍ଯ୍ୟନ୍ତ ସବୁଆଡେ ବିପଦ ପଡିଛି । ଜୀବନରେ ଯାହା କେବେ ଦେଖାଯାଇ ନଥିଲା ତାହା ପ୍ରଥମଥର ଲୋକେ ଦେଖୁଛନ୍ତି । ଧୈର୍ଯ୍ୟର ସହ ସମସ୍ତ ସଂକୀର୍ଣ୍ଣତାରୁ ଉଦ୍ଧ୍ୱର୍କୁ ଉଠି ମିଳିତ ଭାବେ ଏହାର ମୁକାବିଲା ଆବଶ୍ୟକ । ସେହିଭଳି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯେଉଁ ଅନୁରୋଧ କରିଛନ୍ତି ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ତାହାକୁ ପାଳନ ଲାଗି ସେ ଆହ୍ୱାନ ଦେଇଛନ୍ତି ।