ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଶିଶୁଙ୍କୁ ସୁରକ୍ଷା ଦିଅ

ସମଗ୍ର ଦେଶ କରୋନା ଯୋଗୁଁ ଲକ୍‍ ଡାଉନ୍‍ ହୋଇଥିବାବେଳେ ଏହି ସମୟରେ ଅସହାୟ ଶିଶୁମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ କହିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‍ସିପିସିଆର) । କମିଶନ କହିଛନ୍ତି ଯେ ଦେଶର ଗଳିକନ୍ଦିରେ ଅନେକ ଶିଶୁ ଅଛନ୍ତି । ଏମାନଙ୍କ ମଧ୍ୟରେ ପିତୃମାତୃହୀନ, ହଜି ଯାଇଥିବା ଶିଶୁ ଓ ଘର ଛାଡି ପଳାଇ ଆସିଥିବା ପିଲାଙ୍କ ସହିତ ଭିକ୍ଷାବୃତ୍ତି କରୁଥିବା ପିଲା ବି ରହିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଏକୁଟିଆ ରହୁଥିବାବେଳେ ଆଉ କେତେକ ପରିବାର ସହିତ ରହୁଛନ୍ତି ।

ବର୍ତ୍ତମାନ ସ୍ଥିତିରେ ଏମାନଙ୍କ ପାଇଁ ପଦକ୍ଷେପ ଗ୍ରହଣ ଲାଗି ଏନ୍‍ସିପିସିଆର ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି । ଏଥି ମଧ୍ୟରେ ଶିଶୁ ମଙ୍ଗଳ ପୁଲିସ୍‍ ଅଫିସର (ସିଡବ୍ଲ୍ୟୁପିଓ) ମାନେ ନିଜ ନିଜ ଅଞ୍ଚଳରେ ଏପରି ଶିଶୁ ସଂକ୍ରାନ୍ତରେ ସୂଚନା ସଂଗ୍ରହ କରିବେ । ସେହିଭଳି ଚାଇଡଲାଇନ୍‍ କର୍ତ୍ତୃପକ୍ଷଙ୍କ ମଧ୍ୟ ଏଭଳି ଶିଶୁମାନଙ୍କୁ ସିଡବ୍ଲ୍ୟୁପିଓମାନଙ୍କ ନଜରକୁ ଆଣିବାକୁ ଅନୁରୋଧ କରାଯାଇଛି । ଏଭଳି ଶିଶୁଙ୍କୁ ପାଇଲେ ତୁରନ୍ତ ସେମାନଙ୍କ ନାମ,ବୟସ, ଠିକଣା, ଏକୁଟିଆ ରହୁଛନ୍ତି କିମ୍ବା ପରିବାର ସହିତ ଅଛନ୍ତି ତାହାର ବିସ୍ତୃତ ସଗ୍ରହ କରି ସ୍ଥାନୀୟ ଶିଶୁ ମଙ୍ଗଳ କମିଟିକୁ ଅବଗତ କରାଯିବ ।

ସିଡବ୍ଲ୍ୟୁପିଓମାନେ ପ୍ରତ୍ୟେକ ଶିଶୁଙ୍କର ଡାକ୍ତରୀ ପରୀକ୍ଷାର ବନ୍ଦୋବସ୍ତ କରିବେ । ଯଦି କାହାଠାରେ କରୋନା ଲକ୍ଷଣ ଦେଖାଯାଏ ଓ ତାଙ୍କୁ ମେଡିକାଲ ସହାୟତା ଆବଶ୍ୟକ ହୁଏ ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି ମାର୍ଗଦର୍ଶିକା ପାଳନ ଲାଗି କୁହାଯାଇଛି । ଏ କ୍ଷେତ୍ରରେ ସହାୟତା ପାଇଁ ଏନ୍‍ଜିଓମାନଙ୍କୁ ସାମିଲ ଲାଗି କୁହାଯାଇଛି । ସେହିଭଳି ଶିଶୁମାନଙ୍କୁ ଖାଦ୍ୟ, ଜଳ, ଲୁଗାପଟା, ପରିଷ୍କାର ପରିଚ୍ଛନ୍ନତା, ମୌଳିକ ଡାକ୍ତରୀ ଚିକିତ୍ସା ଆଦି ନିଶ୍ଚିତ କରିବାପାଇଁ ଏନ୍‍ସିପିସିଆର ପରାମର୍ଶ ଦେଇଛନ୍ତି । ଏ କ୍ଷେତ୍ରରେ ଶିଶୁ ଓ ସେମାନଙ୍କ ପରିବାର ଗୁଡିକୁ ଆବଶ୍ୟକ ସହାୟତା ପାଇଁ ସ୍ଥାନୀୟ ଏନ୍‍ଜିଓମାନଙ୍କ ସହଯୋଗ ନେବାକୁ କୁହାଯାଇଛି ।

ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ଝିଅପିଲାମାନଙ୍କୁ ପଠାଯିବ । ସେଠାରେ ସେମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି । ଯଦି ଝିଅଟି ଚାଲାଣ ହେଉଥିବା ଅବସ୍ଥାରେ ଠାବ ହେବ ତେବେ ତାକୁ ତୁରନ୍ତ ଖାଦ୍ୟ, ଆଶ୍ରୟସ୍ଥଳ, ପୋଷାକ, ମେଡିକାଲ ସହାୟତା ସହିତ ପରାମର୍ଶ ଦିଆଯିବା । ଏହା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଉଜ୍ୱଳା ଯୋଜନାରେ ଯୋଗାଇବାକୁ କୁହାଯାଇଛି । ଯେଉଁଠାରେ ଶିଶୁଙ୍କ ପରିବାର ମଜୁରିଆ ଭାବେ କାର୍ଯ୍ୟ କରୁଥିବେ ସେଠାରେ ଆବଶ୍ୟକତାକୁ ଦେଖି ସେହି ପରିବାର ଲାଗି ସ୍ଥାନୀୟ ପଞ୍ଚାୟତ କିମ୍ବା ପୌର କର୍ତ୍ତୃପକ୍ଷଙ୍କ ସହାୟତାରେ ଖାଦ୍ୟ, ଆଶ୍ରୟସ୍ଥଳ ଓ ମେଡିକାଲ ସୁବିଧା କରିବାକୁ କୁହାଯାଇଛି । ଏହି ସମସ୍ତ ପ୍ରକ୍ରିୟାକୁ ଜିଲ୍ଲାପାଳ ପରିଚାଳନା କରିବେ ।

ଯେଉଁ ଶିଶୁମାନେ ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ଅଛନ୍ତି ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ଏହି ଶିଶୁମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ କୁହାଯାଇଛି । ଅନୁଷ୍ଠାନର କର୍ମଚାରୀମାନଙ୍କୁ ନିୟମିତ ଭାବେ କରୋନା ବିରୁଦ୍ଧରେ କିଭଳି ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ ସଚେତନ କରାଯିବ । ଅନୁଷ୍ଠାନରେ ଥିବା ଶିଶୁ ଓ କର୍ମଚାରୀମାନଙ୍କୁ ଘର ଭିତରେ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିଭଳି ଅନୁଷ୍ଠାନରେ ଆବଶ୍ୟକ ମୁତାବକ ଔଷଧ ରଖାଯିବ । ଜଣେ ହେଲେ ପିଲା ଏଭଳି ବିପଦଜନକ ପରିସ୍ଥିତିରେ ଯେଭଳି ଗଳି କନ୍ଦିରେ ନବୁଲନ୍ତି ସେ ଦିଗରେ ପଦକ୍ଷେପ ନେବାକୁ ଏନ୍‍ସିପିସିଆର ପକ୍ଷରୁ କୁହାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023