ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଯୋଗୁଁ ଓଡିଶାରେ କରୋନାର ସ୍ଥିତି ଏକ ପ୍ରକାର ସ୍ଥିର ରହିଥିବାବେଳେ ବିଶ୍ୱରେ ଏହା କିନ୍ତୁ ମହାମାରୀର ରୂପ ନେଇ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ଦେଶର ଅଗ୍ରଣୀ ରାଜ୍ୟ ତୁଳନାରେ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ଆଗୁଆ ପଦକ୍ଷେପ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏବେ ଅନୁକରଣୀୟ ହୋଇଛି ।
ଓଡିଶାରେ ଏଯାବତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ସୀମିତ ଥିବାବେଳେ ଜଣେ ହେଲେ କେହି ମରି ନାହାନ୍ତି । ସମଗ୍ର ଦେଶରେ କିନ୍ତୁ ଆଜି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ଥିବାବେଳେ ମୃତ୍ୟୁସଂଖ୍ୟା ୨୫ରେ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଦିଲ୍ଲୀ ଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘେନି ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି ।
ଚଳିତମାସ ୧୭ ତାରିଖ ବେଳକୁ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨ଲକ୍ଷ ଥିବାବେଳେ ଆଜି ସନ୍ଧ୍ୟାସୁଦ୍ଧା ଏହି ସଂଖ୍ୟା ୬ଲକ୍ଷ ୮୦ହଜାରକୁ ଟପିଛି । ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ୫ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତେବେ ଆଶ୍ୱାସନାର କଥା ହେଉଛି ଯେ ଭାରତ ସମେତ ବିଭିନ୍ନ ଦେଶରେ ପାଖାପାଖି ଦେଢ ଲକ୍ଷ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଉଦ୍ବେଗର କଥା ହେଉଛି ଯେ ଚଳିତ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ହଜାର ଥିବାବେଳେ ଆଜି ସୁଦ୍ଧା ଏହା ୩୧,୭୭୧ରେ ପହଞ୍ଚିଛି । କରୋନାର ପ୍ରତିଷେଧକ ଓ ଚିକିତ୍ସା ପାଇଁ ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚଳାଇଛନ୍ତି । ଇତି ମଧ୍ୟରେ କମ୍ ସମୟରେ ପରୀକ୍ଷା ହୋଇ ପାରୁଥିବା କରୋନା କିଟ୍ ଉଦ୍ଭାଦିତ ହୋଇଛି ।
ତେବେ କରୋନାର ଔଷଧ ଓ ପ୍ରତିଷେଧକ ଟୀକା ପାଇଁ ବୈଜ୍ଞାନିକମାନେ ଯେଉଁ ଅଭିଯାନ ଚଳାଇଛନ୍ତି ତାହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିବା ଲାଗି ଅତି କମରେ ଆଉ ୬ମାସ ସମୟ ଲାଗିପାରେ ବୋଲି କୁହାଯାଉଛି । ବିଶେଷକରି ଆସନ୍ତା ଏପ୍ରିଲ ମାସରେ କରୋନା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ଢେର ଅଧିକ ବଢିବ ବୋଲି ବିଜ୍ଞାନ ସମ୍ମତ ଆକଳନ କରାଯାଇଥିବା ପରିପ୍ରେକ୍ଷୀରେ ସଫଳ ଲକ୍ ଡାଉନ୍ ଓ ବ୍ୟକ୍ତିଗତ ସ୍ତରରେ ସାନିଟାଇଜେସନ ଏବଂ ସଚେତନତା କରୋନା ପ୍ରସାରଣ ରୋକିବାରେ ଅନେକ ମାତ୍ରାରେ ସହାୟକ ହେବ ବୋଲି ଦେଶ ବିଦେଶର ବିଶେଷଜ୍ଞମାନେ ଗୁରୁତ୍ୱଆରୋପ କରି ଆସୁଛନ୍ତି ।
କେବଳ ବ୍ୟକ୍ତିଗତ ସମ୍ପର୍କ ନୁହେଁ ପବନରେ ବି କରୋନା ଅନ୍ୟ ଜଣଙ୍କୁ ସଂକ୍ରମିତ ହୋଇପାରେ । ତେବେ ବାୟୁମଣ୍ଡଳରେ କରୋନା ଭୂତାଣୁ ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହୁଥିବା ପରିପ୍ରେକ୍ଷୀରେ ଏଥିରୁ ବଞ୍ଚିବାପାଇଁ ନିହାତି ଦରକାର ନଥିଲେ ଘରୁ ନବାହାରିବା ଲାଗି ବାରମ୍ବାର ଚେତାଇ ଦିଆଯାଉଛି ।
ସର୍ବଶେଷ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ କାଗଜ,କାର୍ଡବୋଦ ଆଦିରେ କରୋନା ଭୂତାଣୁ ପ୍ରାୟ ୨୪ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରୁଥିବାବେଳେ ତମ୍ବାରେ କିନ୍ତୁ ସେମାନେ ୪ଘଣ୍ଟାରୁ ଅଧିକ ସମୟ ରହିପାରୁ ନାହାନ୍ତି । ଷ୍ଟେନଲେସ୍ ଷ୍ଟିଲ ସଂସ୍ପର୍ଶରେ ଆସୁଥିବା କରୋନା ଭୂତାଣୁ ୪୫ ଘଣ୍ଟା ସକ୍ରିୟ ରହୁଥିବାବେଳେ ପ୍ଲାଷ୍ଟିକ ସାମଗ୍ରୀରେ ଏମାନେ ୭୨ଘଣ୍ଟାରୁ ଅଧିକ କ୍ରିୟାଶୀଳ ରହିଥାନ୍ତି ବୋଲି ବୈଜ୍ଞାନିକମାନେକହୁଛନ୍ତି ।