ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆହାର କେନ୍ଦ୍ର ଏବେ ସାହାରା

ଲକ ଡାଉନ୍‍ ସମୟରେ ଦୋକାନ ବଜାର ସବୁକିଛି ବନ୍ଦ ଥିବାବେଳେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ଏବେ ଆହାର କେନ୍ଦ୍ର ଗୁଡିକ ସାହାରା ପାଲଟିଛି । ରାଜ୍ୟର ୩୦ଟି ଜିଲ୍ଲାରେ ଡାକ୍ତରଖାନା ପରିସର ଓ ଏହାର ଆଖପାଖରେ ଥିବା ୬୭ଟି ଆହାର କେନ୍ଦ୍ର ମାଧ୍ୟମରେ ଦୈନିକ ପ୍ରାୟ ୨୭ହଜାର ଲୋକଙ୍କୁ ଖାଦ୍ୟ ଯୋଗାଯାଉଛି ।

କରୋନା ପାଇଁ ରାଜ୍ୟ ସରକାର ଆହାର କେନ୍ଦ୍ର ଉପରେ କଟକଣା ଲଗାଇଥିବାବେଳେ ଡାକ୍ତରଖାନା ପରିସର ଓ ଏହା ନିକଟରେ ଥିବା ଆହାର କେନ୍ଦ୍ରର ଗୁରୁତ୍ୱକୁ ଉପଲବ୍ଧି କରି ତାହାକୁ ଖୋଲା ରଖିବାପାଇଁ ସ୍ଥିର କରିଥିଲେ । ତଦନୁଯାୟୀ ଏହି ୬୭ଟି ଆହାର କେନ୍ଦ୍ରରେ ନିୟମିତ ଭାବେ ଖାଦ୍ୟ ପରିବେଷଣ ହେଉଥିବା ସୂଚନା ମିଳିଛି ।

ଗତକାଲି ଏହି ସମସ୍ତ ଆହାର କେନ୍ଦ୍ରରେ ଦିନବେଳା ପ୍ରାୟ ୨୭ହଜାର ଲୋକ ଖାଦ୍ୟ ଗ୍ରହଣ କରିଥିଲେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ କେନ୍ଦ୍ରରେ ରାତ୍ରୀକାଳୀନ ଖାଦ୍ୟ ବି ଯୋଗାଇ ଦିଆଯାଉଛି । ଏଠାରେ କେବଳ ରୋଗୀଙ୍କ ସମ୍ପର୍କୀୟ ନୁହେଁ ବହୁ ଗରିବ ଲୋକେ ବି ଏହି ବନ୍ଦ ସମୟରେ ଖାଦ୍ୟ ପାଇପାରୁଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଆହାର କେନ୍ଦ୍ରରେ ସର୍ତକତା ପାଳନ କରାଯାଇଛି । ବିଶେଷକରି ଲୋକମାନେ ଦୂରତା ରକ୍ଷାକରି ଧାଡିରେ ଆସିବା, ଆହାର କେନ୍ଦ୍ର ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ବାହାରେ ରଖାଯାଇଥିବା ସାବୁନ୍‍ରେ ଭଲ ଭାବେ ହାତ ଧୋଇବା, ପଇସାକୁ କାହା ହାତକୁ ନଦେଇ ଉଦ୍ଦିଷ୍ଟ ବାକ୍ସରେ ପକାଇବା, ଖାଇବା ସମୟରେ ଦୂରତ୍ୱ ରକ୍ଷା କରିବା ଆଦିର ବ୍ୟବସ୍ଥା ହୋଇଛି । ଆହାର ଖାଇଲା ପରେ ଲୋକେ କେନ୍ଦ୍ର ପରିସରରେ ହାତ ନଧୋଇ ଯେଭଳି ବାହାରେ ଆସି ଦୂରତା ରକ୍ଷାକରି ହାତ ଧୋଇବେ ସେଥିପାଇଁ ସ୍ୱତନ୍ତ୍ର ହାତଧୁଆ ବ୍ୟବସ୍ଥା ହୋଇଛି ।

ଚଳାଯାଉଥିବା ଆହାର କେନ୍ଦ୍ର ଗୁଡିକ ମଧ୍ୟରୁ ପଶ୍ଚିମ ଓଡିଶା ତୁଳନାରେ ଉପକୂଳ ଓଡିଶାରେ ଅଧିକ ଲୋକେ ଆସି ଖାଦ୍ୟ ଗ୍ରହଣ କରୁଛନ୍ତି । ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ମଧ୍ୟ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ସଂଖ୍ୟାରେ ଲୋକେ ଆହାର କେନ୍ଦ୍ରକୁ ଆସୁଛନ୍ତି ।

ଲକ୍‍ ଡାଉନ ସରିବା ପର୍ଯ୍ୟନ୍ତ ଏହି ସମସ୍ତ ୬୭ଟି ଆହାର କେନ୍ଦ୍ରରେ ଲୋକଙ୍କୁ କିଭଳି ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସୁରକ୍ଷିତ ଭାବେ ଉନ୍ନତମାନର ଖାଦ୍ୟ ପରିବେଷଣ କରାଯିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023