ଦୀର୍ଘ ଦଶନ୍ଧି ପରେ ଓଡିଶା ବିଧାନସଭାର ଅଧିବେଶନ ବିଧାନସଭା ସଚିବାଳୟ ବାହାରେ ଅନୁଷ୍ଠିତ ହେବାକୁ ଯାଉଛି । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହେବାପରେ ୧୯୩୭ରେ ଓଡିଶା ବିଧାନସଭା ପାଇଁ ପ୍ରଥମ ନିର୍ବାଚନ ହୋଇଥିଲା । ସେତେବେଳେ ନବଗଠିତ ଓଡିଶା ପ୍ରଦେଶର ରାଜଧାନୀ କଟକରେ ଥିଲା । ଏମିତିକି ଛୋଟଲାଟ୍ ବା ରାଜ୍ୟପାଳ ମଧ୍ୟ କଟକରେ ରହୁଥିଲେ ।
ଯେଉଁଠି ଏବେ କଟକ ଶଶୁଭବନ ଚାଲିଛି ସେହିଠାରେ ଛୋଟ ଲାଟ୍ଙ୍କ ନିବାସ ଥିଲା । ରାଜ୍ୟ ସଚିବାଳୟ କଟକରେ ବିଭିନ୍ନ ସ୍ଥାନରେ ଚାଲୁଥିଲା । ବିଧାନସଭା ଭବନ ନିର୍ମିତ ହୋଇନଥିବା ପରିପ୍ରେକ୍ଷୀରେ ରେଭେନ୍ସା କଲେଜରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଓ ବିଶ୍ୱନାଥ ଦାସଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ବିଧାନସଭା ଅଧିବେଶନ ବସୁଥିଲା ।
ହରେକୃଷ୍ଣ ମହତାବଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଓଡିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ପରେ ପରେ ରାଜ୍ୟ ବିଧାନସଭା ଅଧିବେଶନ ମଧ୍ୟ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା । ବର୍ତ୍ତମାନର ଗୀତଗୋବିନ୍ଦ ସଦନ ନିକଟରେ ଥିବା ସର୍ଦ୍ଦାର ପଟେଲ ହଲ୍ରେ ବିଧାନସଭା ଅଧିବେଶନ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବି ଚାଲୁଥିଲା ।
ପରବର୍ତ୍ତୀ ସମୟରେ ବର୍ତ୍ତମାନର ବିଧାନସୌଧ ସଚିବାଳୟ ମର୍ଗରେ ନିର୍ମିତ ହେବା ପରଠାରୁ ଏହିଠାରେ ହିଁ ବିଧାନସଭା ଅଧିବେଶନ ଲଗାତାର ଭାବେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ବସୁଥିଲା । ପ୍ରାୟ ୬୦ବର୍ଷର ବ୍ୟବଧାନରେ ପୁଣି ରାଜ୍ୟ ବିଧାନସଭାର ଅଧିବେଶନ ଅନ୍ୟଏକ ସ୍ଥାନରେ ମାର୍ଚ୍ଚ ୩୦ ତାରିଖରେ ବସିବାକୁ ଯାଉଛି ।
ଜଣେ କରୋନା ସଂକ୍ରମିତ ବ୍ୟକ୍ତି ବିଧାନସଭା ଡିସ୍ପେନସରୀରେ ଚିକିତ୍ସିତ ହୋଇଥିବା ପରିପ୍ରେକ୍ଷୀରେ ବିଧାନସଭା ସଚିବାଳୟର କର୍ମଚାରୀମାନଙ୍କୁ କ୍ୱାରେନଣ୍ଟାଇନ୍ରେ ରହିବାପାଇଁ ଘୋଷଣା କରିବା ସହିତ ବିଧାନସଭା ସମେତ ସମଗ୍ର ସୌଧକୁ ଶୋଧନ କରିବାଲାଗି ବାଚସ୍ପତି କହିଛନ୍ତି ।
ଚଳିତ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ବିଧାନସୌଧରେ ଆରମ୍ଭ ହୋଇଥିଲା । ତେବେ କରୋନା ପରିପ୍ରେକ୍ଷୀରେ ଏହି ଅଧିବେଶନକୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା । ଅର୍ଥ ବିଲ୍ ଗୃହୀତ ନହେଲେ ରାଜ୍ୟରେ ଆର୍ଥିକ ସମସ୍ୟା ଉପୁଜିବା ଆଶଙ୍କା ଥିବା ପରିପ୍ରେକ୍ଷୀରେ ଲୋକସେବା ଭବନର କନ୍ଭେନସନ ହଲ୍ରେ ମାର୍ଚ୍ଚ ୩୦ ରେ ବିଧାନସଭାର ଅଧିବେଶନ ଏଥିପାଇଁ ଅନୁଷ୍ଠିତ ହେବ । ତେବେ ଏଥିଲାଗି ପ୍ରତି ରାଜନୈତିକଦଳ ଏକ ତୃତୀୟାଂଶ ସଂଖ୍ୟକ ସଦସ୍ୟଙ୍କୁ ଅଧିବେଶନରେ ଭାଗ ନେବାପାଇଁ ପଠାଇବାକୁ ବାଚସ୍ପତି କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ସ୍ୱତନ୍ତ୍ର ଓଡିଶା ଗଠନ ପୂର୍ବରୁ ଓଡିଶା ବିହାର ସହିତ ଥିବାବେଳେ ପାଟନାରେ ଓ ବେଙ୍ଗଲ ସହିତ ଥିବାବେଳେ କଲିକତାରେ ବିଧାନସଭା ଅଧିବେଶନ ବସୁଥିଲା ଏବଂ ରାଜ୍ୟର ଦକ୍ଷିଣାଞ୍ଚଳ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିବା ସମୟରେ ଏହି ବୈଠକ ମାଡ୍ରାସରେ ଅନୁଷ୍ଠିତ ହେଉଥିଲା । ତେବେ ଭୁବନେଶ୍ୱରରେ ବିଧାନସୌଧ ଦୀର୍ଘବର୍ଷ ଚାଲିବାପରେ ଭାରତଛାଡ ଆନ୍ଦୋଳନର ୭୫ବର୍ଷ ପୂର୍ତ୍ତି ଅବସରରେ ଏହାର ଏକ ସ୍ୱତନ୍ତ୍ର ଅଧିବେଶନ ସର୍ଦ୍ଦାର ପଟେଲ ହଲରେ ବସିଥିଲା ।