କରୋନା ମୁକାବିଲା ସମୟରେ ହଠାତ୍ ଦିନର ତାପମାତ୍ରା ବୃଦ୍ଧି ଅଂଶୁଘାତ ଆଶଙ୍କା ସୃଷ୍ଟି କରିଥିବାରୁ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି । ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସ୍ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।
ଶ୍ରୀ ଜେନା ଦର୍ଶାଇଛନ୍ତି ଯେ ପୂର୍ବରୁ ଗ୍ରୀଷ୍ମଋତୁରେ ସତର୍କ ରହିବାପାଇଁ କୁହାଯାଇଥିବାବେଳେ ବର୍ତ୍ତମାନ ହଠାତ୍ ତାପମାତ୍ରା ବୃଦ୍ଧି ପାଇଥିବାରୁ ଏହା ମଣିଷଙ୍କ ଠାରୁ ଆରମ୍ଭ କରି ପଶୁଙ୍କ ଉପରେ ପ୍ରଭାବ ପକାଉଛି । ଗତ କିଛିଦିନ ହେଲା ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ନିମୟିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯଦି ଏଭଳି ସ୍ଥିତି ଜାରି ରୁହେ ତେବେ ଭାରତୀୟ ପାଣିପାଗ ବିଭାଗ ଏହାକୁ ଗ୍ରୀଷ୍ମପ୍ରଦାହ ଭାବେ ଘୋଷଣା କରିପାରନ୍ତି ।
ଜିଲ୍ଲାପାଳମାନେ ଏହା ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଏଥିରେ ଜଡିତ ଥିବା ବିଭାଗ ଗୁଡିକୁ ନେଇ ନିୟମିତ ଭାବେ ଜିଲ୍ଲା, ସବ୍ଡିଭିଜନ ଓ ବ୍ଲକ ସ୍ତରରେ ଗ୍ରୀଷ୍ମ ପ୍ରଦାହ ଯୋଜନା-୨୦୨୦ ପାଇଁ ଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍ଓପି) ନେଇ ଆଲୋଚନା କରିବା ଆବଶ୍ୟକ । ନହେଲେ କରୋନା ମୁକାବିଲା ସମୟରେ ଗ୍ରୀଷ୍ମପ୍ରଦାହ ଆମ ପାଇଁ ସମସ୍ୟା ଉପୁଯାଇବ ।
ଓସ୍ଡମା ପକ୍ଷରୁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଗ୍ରୀଷ୍ମପ୍ରଦାହ କାର୍ଯ୍ୟ ଯୋଜନା – ୨୦୨୦ ପଠାଯାଇଥିବାବେଳେ ଏଥିରେ ବିଭିନ୍ନ ବିଭାଗର ଦାୟିତ୍ୱ ଓ ସମନ୍ୱୟ ରକ୍ଷାକରି କିଭଳି ପଦକ୍ଷେପ ଗ୍ରହଣ କରାଯିବ ତାହା ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ଅଂଶୁଘାତ ମୁକାବିଲା କାର୍ଯ୍ୟରେ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ସେ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି ।