କରୋନା ଭଳି ବିପତ୍ତି ସମୟରେ ଓମ୍ଫେଡ୍ର ଲୁଚକାଳି ଖେଳ ଏବେ ଦୁଗ୍ଧଚାଷୀଙ୍କ ପାଇଁ କାଳ ହୋଇଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ୧୦ଲକ୍ଷ ଦୁଗ୍ଧଚାଷୀ ଦୁର୍ଦ୍ଦିନ ଭିତରକୁ ଠେଲିହୋଇ ଯାଉଛନ୍ତି ବୋଲି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘର ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି ।
ଶ୍ରୀ ବେହେରା କହିଛନ୍ତି ଯେ ଜନତା କର୍ଫ୍ୟୁ ପରଠାରୁ ଓମ୍ଫେଡ୍ ମନଇଚ୍ଛା ଦୁଗ୍ଧ ସଂଗ୍ରହ କରୁଛି । ଶୁକ୍ରବାର ସଂଧ୍ୟାରେ ଦୁଗ୍ଧ ସମବାୟ ସମିତିକୁ କ୍ଷୀର ଆଣି ଆସିଥିବା ଚାଷୀମାନେ ହତାଶ ହୋଇ ଫେରିଛନ୍ତି । ଶନିବାର ସକାଳ ବେଳା ମଧ୍ୟ ଓମ୍ଫେଡ୍ ଦୁଗ୍ଧ ନେବନାହିଁ ବୋଲି ସମିତି ଗୁଡିକୁ ଜଣାଇ ଦେଇଛି ।
ଗୋଟିଏ ପଟେ ଲକ୍ଡାଉନ୍ ଯୋଗୁଁ ରାଜ୍ୟରେ ମିଠା ଦୋକାନ ବନ୍ଦ ଥିବାରୁ ଛେନା କାରବାର ହୋଇପାରୁ ନାହିଁ । ଏଥିଯୋଗୁଁ ଦୁଗ୍ଧ ବଳକା ହେଉଥିବାବେଳେ ଓମ୍ଫେଡ୍ ବି ଏହାକୁ ସଂଗ୍ରହ କରୁନାହିଁ । କେବଳ ଓମ୍ଫେଡ୍ ନୁହେଁ ଅନ୍ୟାନ୍ୟ ଘରୋଇ ଦୁଗ୍ଧ କମ୍ପାନୀ ଗୁଡିକ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଠାରୁ କ୍ଷୀଣ କିଣୁ ନାହାନ୍ତି । ଚାଷୀଙ୍କ ଠାରୁ ଦୁଗ୍ଧ କିଣିବାପାଇଁ କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସ୍ପଷ୍ଟ ନିର୍ଦ୍ଦେଶକୁ ମଧ୍ୟ ଏମାନେ ମାନୁ ନଥିବା ଶ୍ରୀ ବେହେରା କହିଛନ୍ତି ।
ଲକ୍ ଡାଉନ୍ ସମୟରେ ଦୁଗ୍ଧ ଓ ଦୁଗ୍ଧଜାତି ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନଥିବାବେଳେ ଓମ୍ଫେଡ୍ର ଏଭଳି ବ୍ୟବହାର ଏବେ ଚାଷୀଙ୍କୁ ହତାଶ କରିଛି । ଗୁଣ୍ଡଦୁଗ୍ଧ ପ୍ରସ୍ତୁତି କାରଖାନା ନଥିବାରୁ କର୍ତ୍ତୃପକ୍ଷ ଦୁଗ୍ଧ ସଂଗ୍ରହ କରୁନାହାନ୍ତି । ଅନ୍ୟପଟେ ଲକ୍ ଡାଉନ୍ ସାଙ୍ଗକୁ ସହରର ଚା’ ଦୋକାନ ଗୁଡିକ ବନ୍ଦ ରହୁଥିବାରୁ ଯେତେ ପରିମାଣରେ ଦୁଗ୍ଧ ବିକ୍ରି ହେବାକଥା ତାହା ହୋଇପାରୁ ନାହିଁ ।
ଗାଁ ଗହଳର ଦୁଗ୍ଧ ଚାଷୀମାନେ ଏବେ ବିପୁଳ ପରିମାଣର ଦୁଗ୍ଧକୁ କ’ଣ କରିବେ ତାହା ଜାଣି ପାରୁନାହାନ୍ତି । କାରାଣ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ଦୋକାନ ବଜାର ବନ୍ଦ ରହିଛି । ଗାଁରେ ଘରେ ଘରେ ବୁଲି ଦୁଗ୍ଧ ବିକ୍ରି କଲେ ବି ତାହା ବଳି ପଡୁଛି । ତେଣୁ ଏଭଳି ସ୍ଥିତିରେ ଦୁଗ୍ଧ ଚାଷୀମାନଙ୍କ ପାଇଁ ସରକାର ତୁରନ୍ତ କ୍ଷତିପୂରଣ ଘୋଷଣା କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ବଳକା ଦୁଗ୍ଧର ଦର ତୁରନ୍ତ ଚାଷୀଙ୍କୁ ପ୍ରଦାନ କରା ନଗଲେ ଗାଈଗୋରୁଙ୍କ ମୁହଁରେ ଚାଷୀମାନେ ମୁଠାଏ ଦାନା ଦେଇ ପାରିବେନାହିଁ ବୋଲି ସେ ମତ ଦେଇଛନ୍ତି ।