କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୭ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛି । ଆଜି ସୁଦ୍ଧା ଓଡ଼ିଶାରେ ୨୫୬ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୮୯ ନମୁନାର ରିପୋର୍ଟ ହସ୍ତଗତ ହୋଇଥିବା ସୁବ୍ରତ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି ରିପୋର୍ଟ ଅନୁଯାୟୀ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ପୂର୍ବରୁ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍ପିଟାଲ୍ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି । ତୃତୀୟ ପଜିଟିଭ୍ ଙ୍କର ଗତକାଲି କୋଭିଡ୍-୧୯ ଲକ୍ଷଣ ଦେଖାଦେଇଛି ଏବଂ ସେ ଚିକିତ୍ସାଧୀନ ଅଛନ୍ତି । ସେ ମଧ୍ୟ ସାଧାରଣ ଖାଦ୍ୟ ଖାଉଛନ୍ତି ।
ପ୍ରଥମ ୨ ପଜିଟିଭ୍ଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି । ସମସ୍ତଙ୍କ ସହ ଯୋଗାଯୋଗ ହୋଇସାରିଛି । ତୃତୀୟ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରାଯାଉଛି । ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୪୪୯୫ ଜଣ ୧୦୪ ହେଲ୍ପ ଲାଇନ୍ ଏବଂ ପୋର୍ଟାଲ୍ ଜରିଆରେ ପଞ୍ଜୀକରଣ
କରିଛନ୍ତି ।
ବିଭିନ୍ନ ରାଜ୍ୟରୁ ଓଡ଼ିଶାରେ ପହଞ୍ଚିଥିବା ପ୍ରାୟ ୫୫୪୭ ଶ୍ରମଜୀବୀଙ୍କ ପାଇଁ ଲକ୍ ଡାଉନ୍ ସମୟରେ ୩୬ଟି ଶିବିରରେ ଖାଦ୍ୟପେୟ ଓ ରହଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଏହି ଶ୍ରମଜୀବୀମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, କେରଳ, ତେଲେଙ୍ଗାନା, ପଞ୍ଜାବ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ଆସିଛନ୍ତି ।
କୋଭିଡ୍-୧୯ ଅସାଧାରଣ ପରିସ୍ଥିତିରେ ରାଜ୍ୟର ଗଣମାଧ୍ୟମ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରୁଛନ୍ତି ଏବଂ କଠିନ ପରିଶ୍ରମ କରି ଜନସାଧାରଣଙ୍କ ନିକଟରେ ସମସ୍ତ ସମ୍ବାଦକୁ ସଠିକ୍ ଭାବରେ ପରିବେଷଣ କରି ନିଜର ଗୁରୁଦାୟିତ୍ୱ ନିର୍ବାହ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମର ଏହି ସହଯୋଗକୁ ପ୍ରଶଂସା କରିବା ସହ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।