ସାରା ରାଜ୍ୟରେ ଲକ୍ଡାଉନ୍ ଯୋଗୁଁ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଗଲେଣି । ଗୋଟିଏ ପଟେ ମୂଲିଆ ମିଳୁନଥିବାବେଳେ ଅନ୍ୟପଟେ ଧାନକଟା ଯନ୍ତ୍ର ଆସିପାରୁ ନଥିବାରୁ ସେମାନେ କଭଳି ପାଚିଲା ଧାନ ଅମଳ କରିବେ ସେହି ଚିନ୍ତାରେ ପଡିଛନ୍ତି ।
ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ଏବେ ଏଭଳି ସମସ୍ୟା ଦେଖା ଦେଇଛି । ସପ୍ତାହକ ମଧ୍ୟରେ ଶହ ଶହ ଏକର ଜମିରୁ ଧାନ କାଟିବାକୁ ପଡିବ । ଏଥିପାଇଁ ଆବଶ୍ୟକ ପଡୁଛି ଧାନକଟା ଯନ୍ତ୍ର । ରାଜ୍ୟର ବିଭିନ୍ନ ସ୍ଥାନ ଯଥା ବୌଦ, ବଲାଙ୍ଗିର,ଜୁନାଗଡ, ଭବାନୀପାଟଣା ସହିତ କଟକ ଓ ଭୁବନେଶ୍ୱରରୁ ଏଠାକୁ ଧାନକଟା ଯନ୍ତ୍ର ଆସିଥାଏ ।
ଏହାର ପରିବହନ ପାଇଁ ଟ୍ରକ ଓ ଟ୍ରାକ୍ଟରର ଦରକାର ହୋଇଥାଏ । ତେବେ କରୋନା ଯୋଗୁଁ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହୋଇଥିବାବେଳେ ଏହି ଯନ୍ତ୍ର କିଭଳି ଆସିବ ତାହାକୁ ନେଇ ଚିନ୍ତାବଢିବାରେ ଲାଗିଛି । କେବଳ ଧାନକଟା ଯନ୍ତ୍ର ନୁହେଁ ଏହାକୁ ଚଳାଇବାପାଇଁ ଅପରେଟରମାନେ ପଞ୍ଜାବ ହରିଆନା ଆଦିରୁ ଆସିଥାନ୍ତି ।
ବର୍ତ୍ତମାନ ଲକ୍ଡାଉନ୍ ଯୋଗୁ ମୂଲିଆମାନେ ଘରୁ ବାହାରୁ ନଥିବାବେଳେ ଧାନକଟା ଯନ୍ତ୍ର କିମ୍ବା ଅପରେଟରମାନେ ଆସିପାରୁ ନାହାନ୍ତି । ଏପରିକି ଭୟରେ ଟ୍ରାକ୍ଟର ବି ଚାଷ ବିଲକୁ ଯାଇପାରୁ ନାହିଁ । ତେଣୁ ଏଭଳି ସ୍ଥିତିରେ ପାଚିଲା ଧାନ କିଭଳି ଅମଳ କରାଯିବ ତାହା ଉପରେ ବିଚାର ଲାଗି ଚାଷୀମାନେ ମତ ଦେଉଛନ୍ତି ।
ଅନ୍ୟାନ୍ୟ ଜରୁରୀ ସେବାଭଳି ଧାନ କଟକଟା ଯନ୍ତ୍ର ପରିବହନକୁ ଅନୁମତି ଦିଆଗଲେ ସୁରୁଖୁରୁରେ ଫସଲ ଅମଳ ହୋଇପାରିବ । କାରଣ ଏଥିରେ ମାତ୍ର ଜଣେ କିମ୍ବା ଦୁଇଜଣ ବ୍ୟକ୍ତି ଧାନ ଅମଳରେ ନିୟୋଜିତ ହେବେ । ତେଣୁ ଫସଲ ଉଜୁଡିବା ପୂର୍ବରୁ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ଲାଗି ଦାବି ହେଉଛି ।