କରୋନା ମାଡ଼ ସହିତ ଏବେ ଦୁଧ ଚାଷୀଙ୍କ ଉପରେ ମାଡ଼ ବସିଛି । ଋଣ କରି ଗୋପାଳନ କରୁଥିବା ଚାଷୀମାନଙ୍କ ଦୁଧ ଓମ୍ଫେଡ୍ ପୂର୍ଣ୍ଣ ମାତ୍ରାରେ ସଂଗ୍ରହ କରିପାରୁନଥିବାରୁ ପାଖାପାଖି ୩ ଲକ୍ଷ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ।
ଓମ୍ଫେଡ୍ ଦୈନିକ ପ୍ରାୟ ସାଢ଼େ ୫ ଲକ୍ଷ କିଲୋ ଦୁଧ ଚାଷୀମାନଙ୍କ ଠାରୁ ସଂଗ୍ରହ କରିଥାଏ । ସଂଗୃହୀତ ଦୁଧକୁ ପ୍ଲାଣ୍ଟରେ ପ୍ରୋସେସିଂ ଓ ପ୍ୟାକେଟିଂ କରି ବଜାରକୁ ଛଡ଼ା ଯାଇଥାଏ । କରୋନା ପରିପ୍ରେକ୍ଷୀରେ ଭୁବନେଶ୍ୱର ସମେତ ଯେଉଁସବୁ ସ୍ଥାନରେ ଲକ୍ ଡାଉନ୍ ହୋଇଛି ସେଠାରେ ଓମ୍ଫେଡ୍ ପାର୍ଲରରେ ଦୁଧ ବିକ୍ରି ହୋଇପାରିବ ବୋଲି କୁହାଯାଉଥିଲେ ମଧ୍ୟ ଆତଙ୍କରେ ଅନେକ ସ୍ଥଳରେ ଲୋକେ ବାହାରୁ ନ ଥିବାରୁ ପ୍ରତିଦିନ ଯେତେ ଦୁଧ ବିକ୍ରି ହେଉଥିଲା ଏବେ ତାହା ହୋଇପାରୁନାହିଁ । ଏଣେ ଓମ୍ଫେଡ୍ ପ୍ଲାଣ୍ଟରେ ଅଧିକ ଦୁଧ ମହଜୁଦ ଥିବାରୁ ଚାଷୀଙ୍କଠାରୁ ବ୍ୟାପକ ଅଞ୍ଚଳରେ ଦୁଧ ସଂଗ୍ରହ ବନ୍ଦ ରହିଛି ।
ଓମ୍ଫେଡ୍ ଦୋକାନଗୁଡ଼ିକରେ ଦୁଧ ସହିତ ଦହି, ପନିର୍, ମିଠା ଦୁଧ, ମିଠା ଦହି, ବସାଦହି, ଆଇସ୍କ୍ରିମ୍ ଆଦି ଓମ୍ଫେଡ୍ ସାମଗ୍ରୀ ବିକ୍ରୟ କରାଯାଇଥାଏ । କିନ୍ତୁ ଥଣ୍ଡା, କାଶ, କଫ ଆଦି ପ୍ରତି ସତର୍କ ରହିବା ପାଇଁ ସଚେତନ କରାଯାଉଥିବା ପରିପ୍ରେକ୍ଷୀରେ ଖାଉଟିମାନେ ଦହି, ଆଇସ୍କ୍ରିମ୍ ଆଦି କିଣିବାକୁ ପଛାଉଛନ୍ତି । ଫଳରେ ଓମ୍ଫେଡ୍ ଏବେ ଗୁରୁତର ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାକୁ ଦୁଧ ଯୋଗାଉଥିବା ଚାଷୀମାନଙ୍କ ସମସ୍ୟା ଢେର୍ ବଢ଼ିଛି । ତିନିଦିନ ଧରି ପିପିଲି, ଡେଲାଙ୍ଗ ସମେତ ରାଜ୍ୟର ବହୁ ଅଞ୍ଚଳରୁ ଚାଷୀଙ୍କଠାରୁ ଓମ୍ଫେଡ୍ ଦୁଧ ସଂଗ୍ରହ କରୁନଥିବା ପରିପ୍ରେକ୍ଷୀରେ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।
ଓମ୍ଫେଡ୍ ପାର୍ଲରଗୁଡ଼ିକରେ କେବଳ ଦୁଧ ଓ ଦୁଧଜାତ ସାମଗ୍ରୀ ବିକ୍ରୟ ହେବ ବୋଲି କୁହାଯାଇଥିବା ବେଳେ ରାଜଧାନୀ ସମତେ ଅନେକ ସ୍ଥାନରେ ଏହି ପାର୍ଲରରେ ଚା, କଫି, ବିଡ଼ି, ସିଗାରେଟ, ପାନ ମସଲା, ଗୁଟ୍ଖା ଆଦି ଉପଲବ୍ଧ ହେଉଛି । ଏ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯିବାରେ ଜଣେ ବରିଷ୍ଠ ଅଧିକାରୀ ଦୁଧ ସଂଗ୍ରହଜନିତ ସମସ୍ୟାକୁ ସ୍ୱୀକାର କରି କରୋନା ଏକ ଅନ୍ତର୍ଜାତୀୟ ସମସ୍ୟା ହୋଇଥିବା ପରିପ୍ରେକ୍ଷୀରେ ଏହି ସମସ୍ୟା ସୃଷ୍ଟି ହୋଇଥିବା ସ୍ୱୀକାର କରିଛନ୍ତି । ତେବେ ଯେଉଁ ଓମ୍ଫେଡ୍ ପାର୍ଲରଗୁଡ଼ିକରେ ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରି ଚା, ସିଗାରେଟ୍, ଖଇନି, ପାନମସଲା ଆଦି ବିକ୍ରି କରାଯାଉଛି ତାହାର ତନଖି କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।