କରୋନା ସଂକ୍ରମଣ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳ ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲର ପ୍ରମୁଖ ଅଂଶୀଦାରମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ଏହି ମହାମାରୀର ଗମ୍ଭୀର ବିପଦକୁ ବ୍ୟାପକ ଭାବେ ବୁଝିବା ଲାଗି ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ । ଏ ଦିଗରେ ସଚେତନତା ସୃଷ୍ଟି କରିବାରେ ଚ୍ୟାନେଲଗୁଡ଼ିକ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ ।
ସେ ସାମ୍ବାଦିକ, କ୍ୟାମେରାମ୍ୟାନ ଓ ଟେକ୍ନନିସିଆନମାନଙ୍କ ସମର୍ପଣ ଭାବନା ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ଯେଉଁମାନେ ଦେଶର ବିଭିନ୍ନ କ୍ଷେତ୍ରକୁ ଯାଇ ତଥା ନ୍ୟୁଜ ରୁମରେ ରହି କଠିନ ପରିଶ୍ରମ କରୁଛନ୍ତି । ସେମାନଙ୍କର ଏହି କଠିନ ପରିଶ୍ରମକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ସେବାର ଆଖ୍ୟା ଦେଇଥିଲେ । ସେ କେତେକ ଚ୍ୟାନେଲର ଅଭିନବ ଉପାୟ ଯେପରିକି ଘରେ ଥାଇ ସମ୍ବାଦ ପରିବେଷଣ କରିବାର ବ୍ୟବସ୍ଥା କରାଯିବାକୁ ମଧ୍ୟ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ‘କୋଭିଡ-୧୯’କୁ ଏକ ଜୀବନକାଳୀନ ଆହ୍ୱାନ ଭାବେ ଆଖ୍ୟା ଦେଇ କହିଥିଲେ ଯେ ଅଭିନବ ଏବଂ ନୂଆ ଉପାୟରେ ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି । ଆମ ସମ୍ମୁଖରେ ଏକ ଦୀର୍ଘ ଲଢ଼େଇ ରହିଛି । ତେଣୁ ‘ସାମାଜିକ ଦୂରତା ବା ପରସ୍ପର ଠାରୁ ଦୂରରେ ରହିବା’ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଅତ୍ୟନ୍ତ ଜରୁରି । ଏଥିପାଇଁ ଚ୍ୟାନେଲଗୁଡ଼ିକ ପାଇଁ ଏହା ଆବଶ୍ୟକ ଯେ ସେମାନେ ନୂଆ ଘଟଣାକ୍ରମ ଏବଂ ପ୍ରମୁଖ ସରକାରୀ ନିର୍ଣ୍ଣୟ ସମ୍ପର୍କରେ ସାଧାରଣ ଜନତାଙ୍କୁ ତୁରନ୍ତ ଏବଂ ଅତି ପେସାଦାର ଢଙ୍ଗରେ ସାଧାରଣ ଜନତାଙ୍କ ବୁଝିବା ଭଳି ଭାଷାରେ ବୁଝାଇବା ଜରୁରି ।
ଗୋଟିଏ ପଟେ ବେପରୁଆ ମନୋଭାବ ପୋଷଣ ନକରିବା ଓ ସତର୍କ ରହିବା ଲାଗି ଲୋକମାନଙ୍କୁ ପରାମର୍ଶ ଦେବା ଏବଂ ଅନ୍ୟପଟେ ସକାରାତ୍ମକ ସଂଚାର ବା ସମ୍ବାଦ ଜରିଆରେ ଲୋକମାନଙ୍କ ମଧ୍ୟରେ ରହିଥିବା ନିରାଶାବାଦ ଓ ଭୟ ଦୂର କରିବା ଚ୍ୟାନେଲଗୁଡ଼ିକର ଦାୟିତ୍ୱ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସର୍ବଦା ଉତ୍ସାହିତ କରିବା ଅତ୍ୟନ୍ତ ଜରୁରି କାରଣ ସେମାନେ ହିଁ ଏହି ଲଢ଼େଇରେ ନେତୃତ୍ୱ ନେଉଛନ୍ତି ।
ଆବଶ୍ୟକ ସୂଚନା ଏବଂ ମତାମତ ସଂଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ହେଉଛନ୍ତି ସମାଚାର ଚ୍ୟାନେଲ । ସରକାର ଏସବୁ ମତାମତ ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି । କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ସମ୍ବାଦଦାତା ଏବଂ ସାମ୍ବାଦିକମାନଙ୍କୁ ସ୍ୱତନ୍ତ୍ର ବୁମ ମାଇକ ପ୍ରଦାନ କରିବା ଏବଂ ସାକ୍ଷାତକାର ନେବା ସମୟରେ ଅତି କମରେ ୧ ମିଟର ଦୂରତା ବଜାୟ ରଖିବା ଭଳି ସତର୍କତା ଅବଲମ୍ବନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।
ବିଜ୍ଞାନ ସମ୍ବନ୍ଧୀୟ ରିପୋର୍ଟ ବା ସୂଚନା ଅଧିକରୁ ଅଧିକ ଲୋକମାନଙ୍କ ନିକଟରେ ପହଁଚାଇବା ଏବଂ ସମ୍ପୂର୍ଣ୍ଣ ସଠିକ ସୂଚନା ରଖୁଥିବା ଲୋକମାନଙ୍କୁ ଆଲୋଚନାରେ ସାମିଲ କରିବା ଏବଂ ଭୁଲ ସୂଚନା ପ୍ରସାର ସମସ୍ୟାରୁ ବର୍ତିବା ଲାଗି ସେ ପରାମର୍ଶ ଦେଇଥିଲେ । ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ନାଗରିକମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ସେ ଆଲୋକପାତ କରିଥିଲେ ।
ଏହି ଗମ୍ଭୀର ଆହ୍ୱାନର ମୁକାବିଲା କରିବା ଲାଗି ଗଣମାଧ୍ୟମ ଜଗତର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ମହାମାରୀର ମୁକାବିଲା ଦିଗରେ ମିଳିମିଶି କାର୍ଯ୍ୟ କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ।
ସାଧାରଣ ଜନତାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରି ଏହି ପ୍ରତିନିଧିମାନେ ତାଙ୍କୁ ରାଷ୍ଟ୍ରକୁ ଆହୁରି ଅଧିକ ଥର ସମ୍ବୋଧିତ କରିବା ଲାଗି ଅନୁରୋଧ କରିଥିଲେ । ଏହି ପ୍ରତିନିଧିମାନେ କହିଥିଲେ ଯେ ସମ୍ବାଦଦାତାଙ୍କ ଯାଂଚ କରିବା ଲାଗି ଏଭଳି ସ୍ୱତନ୍ତ୍ର ବିଭାଗ ପ୍ରତିଷ୍ଠା କରାଯାଇପାରିବ ଯେଉଁଥିରେ ଡାକ୍ତର ୨୪ ଘଂଟା ଉପଲବ୍ଧ ରହିଥିବେ । ଏହାଦ୍ୱାରା ମହାମାରୀ ସହ ଜଡ଼ିତ ଗୁଜବର ମୁକାବିଲା ଦିଗରେ ସହାୟତା ମିଳିପାରିବ । ଏହି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଏବଂ ବହୁମୂଲ୍ୟ ସୂଚନା ଦେବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।