ପୂର୍ବରୁ ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୋଳ ସହିତ ୮ଟି ସହର ଯଥା-ପୁରୀ, ରାଉରକେଲା (ରାଉରକେଲା ଇସ୍ପାତ ନଗରୀ ସମେତ), ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଟାଉନ୍ ଓ ଯାଜପୁର ରୋଡ଼୍କୁ ରାଜ୍ୟ ସରକାର ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଥିଲେ ।
ଆଜି ଏହାକୁ ପରିବର୍ଦ୍ଧିତ କରାଯାଇ ଆଉ ୯ଟି ଜିଲ୍ଲା ଯଥା-ପୁରୀ, ନୟାଗଡ଼, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର ଏବଂ ଝାରସୁଗୁଡ଼ା ଆଦି ଜିଲ୍ଲାକୁ ୨୪ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଥିବା ସୁବ୍ରତ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
୨୪ ତାରିଖ ପୂର୍ବାହ୍ନ ୧୧ଟା ସମୟରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ । ସମସ୍ତ ସହରାଞ୍ଚଳରେ ସିଟି ବସ୍ ସେବା ୨୩/୦୩/୨୦୨୦ ମଧ୍ୟରାତ୍ରିଠାରୁ ବନ୍ଦ ରହିବ ।
କୌଣସି ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬୭୯୮ଟି ଗ୍ରାମପଞ୍ଚାୟତରେ ସବୁପ୍ରକାର ମୌଳିକ ସୁବିଧା ଥାଇ ୭୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି । ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ଜଣେ ପଦବୀଧାରୀ ଅଧିକାରୀଙ୍କୁ ପ୍ରତି ଗ୍ରାମପଞ୍ଚାୟତ ପାଇଁ ନୋଡାଲ୍ ଅଫିସର ଭାବେ ଘୋଷିତ କରାଯାଇଛି ।
ଆବଶ୍ୟକ ସମୟରେ ଖାଦ୍ୟ, ଶଯ୍ୟା, ବେଡ୍ସିଟ୍ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ସେବା ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମୌଳିକ ସୁବିଧା ଯଥା-ପାନୀୟ ଜଳ, ଶୌଚାଳୟ, ବିଦୁ୍ୟତ ସଂଯୋଗ ଏବଂ ସମସ୍ତ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବିଡ଼ିଓମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୦ ଲକ୍ଷ ଟଙ୍କା ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ କ୍ଷମତା ପ୍ରଦାନ କରାଯାଇଛି ।
ପଞ୍ଚାୟତିରାଜ ବ୍ୟବସ୍ଥାର ସମସ୍ତ ପ୍ରତିନିଧିଙ୍କୁ କୋଭିଡ-୧୯ ସଂର୍ପକରେ ଥିବା ୭ଟି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଲକ୍ ଡାଉନ୍ ଘୋଷିତ ଅଞ୍ଚଳରେ ଅବସ୍ଥିତ ଏସ୍.ଟି., ଏସ୍.ସି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସଗୁଡ଼ିକରେ ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ସ୍କଲାରସିପ୍ ଟଙ୍କା ଅଗ୍ରୀମ ବଣ୍ଟନ କାର୍ଯ୍ୟ ଶେଷ ହେବ । ୨୫ ମାର୍ଚ୍ଚ ୨୦୨୦ ସନ୍ଧ୍ୟା ୬ଟା ସୁଦ୍ଧା ଅନ୍ତେବାସୀମାନଙ୍କୁ ସେମାନଙ୍କ ପିତାମାତା/ଅଭିଭାବକ/ସେମାନଙ୍କର ପ୍ରତିନିଧିମାନେ ଛାତ୍ରାବାସରୁ ସାଥିରେ ନେଇଯିବେ । ପିତାମାତା/ଅଭିଭାବକ/ପ୍ରତିନିଧିମାନେ ଏଥିପାଇଁ ନିଜେ ନିଜେ ବେସରକାରୀ ଗାଡ଼ିର ବନ୍ଦୋବସ୍ତ କରିବେ । ଏଥିପାଇଁ ସେମାନଙ୍କୁ ସଂପୃକ୍ତ ପ୍ରଧାନଶିକ୍ଷକ/ଶିକ୍ଷକମାନେ ଏକ ପ୍ରମାଣପତ୍ର ଦେବେ । ପ୍ରମାଣପତ୍ରରେ ଉକ୍ତ ଯାନଟି ପିଲାମାନଙ୍କୁ ଘରକୁ ନେବା ପାଇଁ ବ୍ୟବହୃତ ହୋଇଛି ବୋଲି ଦର୍ଶା ଯାଇଥିବ, ଫଳରେ ଲକ୍ ଡାଉନ୍ ସମୟରେ ଯାନବାହନ ଚଳାଚଳ କଟକଣାରୁ ସେହି ଯାନଗୁଡ଼ିକ ମୁକ୍ତ ରହିବ ।
ନିକଟରେ ଉଜ୍ବେକିସ୍ତାନରୁ ଫେରିଥିବା ଜଣେ ବ୍ୟକ୍ତି ସରକାରଙ୍କ କୋଭିଡ୍-୧୯ କ୍ୱାରାଣ୍ଟାଇନ୍ ଗାଇଡ୍ଲାଇନ୍କୁ ଉଲ୍ଲଂଘନ କରିଥିବା କାରଣରୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ବିବରଣୀ ଅନୁଯାୟୀ ଏବଂ ପୁଲିସ୍ର ପ୍ରାରମ୍ଭିକ ତଦନ୍ତ ଅନୁସାରେ ସମ୍ବଲପୁରର ଧନୁପାଲି ଥାନାରେ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୧୮୮/୨୭୧ରେ ଏକ ମାମଲା ରୁଜୁ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯାଇଛି ।
ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ଅପ୍ରେଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେକ୍ ହୋମ୍ ରାସନ୍ ବାବଦରେ ଛତୁଆ, ଲଡ଼ୁ ଆଦି ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କୁ ଅଙ୍ଗନବାଡ଼ି କର୍ମୀ/ସହାୟିକାମାନେ ସେମାନଙ୍କ ଘରେ ପହଞ୍ଚାଇବେ । ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ ।
ଓଡ଼ିଶାରେ ୮୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ସେଥିରୁ ୨ଟି ପଜିଟିଭ୍ ଚିହ୍ନଟ ହୋଇଛି । ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣଙ୍କ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍ପିଟାଲ୍ରେ ଦିଆ ଯାଉଥିବା ସାଧାରଣ ଖାଦ୍ୟ ଖାଉଛନ୍ତି । ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି । ୯ଟି ମନିଟରିଂ ଟିମ୍ ଏଥି ପାଇଁ କାର୍ଯ୍ୟ କରୁଛନ୍ତି ।
ବର୍ତ୍ତମାନ ସୁଦ୍ଧା ୩୬୬୭ ଜଣ ୧୦୪ ହେଲ୍ପ ଲାଇନ୍ ଜରିଆରେ ପଞ୍ଜୀକରଣ କରିଛନ୍ତି । କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛି ।
ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ହୋମ୍ କ୍ୱାରାଣ୍ଟାଇନ୍ରେ ରହୁଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଯିବାକୁ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ଯେପରି ହୋମ କ୍ୱରାଣ୍ଟାଇନ୍/ପୃଥକବାସରେ ରହିବେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।