ଜନତା କର୍ଫ୍ୟୁ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଉଥିବା କର୍ମଚାରୀଙ୍କୁ ସମ୍ମାନ ଜଣାଇ ଆଜି ରାଜ୍ୟର ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଆଡେ ଲୋକେ ଘଣ୍ଟି ବଜାଇ ଓ ତାଳି ମାଡ କରି ସମ୍ମାନ ଜଣାଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଚାରୀଙ୍କ ସମ୍ମାନାର୍ଥେ ଘଣ୍ଟା ବଜାଇ ଥିବାବେଳେ ଲୋକସେବା ଭବନରେ ମଧ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଣ୍ଟି ବଜାଇଥିଲେ ।
ଆଜି ଓଡିଶା ସମେତ ସମଗ୍ର ଦେଶରେ ସକାଳ ୭ଟାରୁ ରାତ୍ରୀ ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ହୋଇଥିବାବେଳେ ସେବା ପ୍ରଦାନକାରୀ କର୍ମଚାରୀଙ୍କ ପ୍ରତି ସମ୍ମାନ ଜଣାଇ ସଂଧ୍ୟା ୫ଟାରେ ଘଣ୍ଟି ବଜାଇ କିମ୍ବା ତାଳି ବଜାଇ ସମ୍ମାନ ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ ।
ଜନତା କର୍ଫ୍ୟୁ ପ୍ରତି ସମଗ୍ର ରାଜ୍ୟରେ ଅଭୂତପୂର୍ବ ସମର୍ଥନ ମିଳିଥିବା କର୍ଫ୍ୟୁ ସମୟ ସମାପ୍ତ ହେବାର ୪ଘଣ୍ଟା ପୂର୍ବରୁ ଲୋକେ ନିଜ ନିଜ ଘର ସମ୍ମୁଖରେ ଛିଡାହୋଇ ଘଣ୍ଟି ଘଣ୍ଟା ଆଜି ବଜାଇଥିଲେ । କେତେକ ସ୍ଥାନରେ ମହିଳାମାନେ ଶଙ୍ଖ ଫୁଙ୍କୁଥିବାବେଳେ ଅନ୍ୟମାନେ ତାଳି ବଜାଉଥିବା ଦେଖିବାକୁ ମିଳିଥିଲା ।
ଲୋକସେବାଭବନର ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ କିଶୋର ଧଳ, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସୁବ୍ରତ ବାଗ୍ଚୀ ପ୍ରମୁଖ ଉପସ୍ଥିତ ରହି ଘଣ୍ଟି ବଜାଇଥିଲେ ଓ ତାଳି ମାରିଥିଲେ ।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଠିକ୍ ସଂଧ୍ୟା ୫ଟାରେ ରାଜଧାନୀର ସବୁଆଡେ ଘଣ୍ଟି ଘଣ୍ଟା ଧ୍ୱନି ସାଙ୍ଗକୁ ଶଙ୍ଖନାଦ ଏକ ଭିନ୍ନ ପରିବେଷ ସୃଷ୍ଟି କରିଥିଲା । ଉଲ୍ଲେଖନୀୟ କି ସମଗ୍ର ରାଜ୍ୟରେ ଜନତା କର୍ଫ୍ୟୁ ପାଳନ ହେଉଥିବାବେଳେ ଡାକ୍ତର, ନର୍ସ, ଜଳଯୋଗାଣ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନେ କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଣ ଅବ୍ୟାହତ ରଖିଥିଲେ ।