ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱନା କ୍ରମେ ‘ଜନତା କର୍ଫ୍ୟୁ’କୁ ଓଡ଼ିଶାର ଜନସାଧାରଣ ଅନୁଶାସନ ଓ ଶାଳୀନତାର ସହିତ ଏପର୍ଯ୍ୟନ୍ତ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହିତ ସରକାରଙ୍କ ଘୋଷିତ ‘ସଂପୂର୍ଣ୍ଣ ତାଲାବନ୍ଦ’ (ଲକ୍ ଡାଉନ୍)କୁ ସଫଳ କରିବାକୁ ଅନୁରୂପ ସହଯୋଗ କାମନା କରିଥିବା ସୁବ୍ରତ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୩୧ ମାର୍ଚ୍ଚ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ କରିବା ନିମନ୍ତେ ରେଳବାଇ ବୋର୍ଡ ଘୋଷଣା କରିଛନ୍ତି । ବାଟରେ ଥିବା ଟ୍ରେନ୍ଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନୁମତି ଦିଆଯାଇଛି ।
ରାଜ୍ୟରୁ ଯାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳକୁୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି । ମାର୍ଚ୍ଚ ୨୩ ତାରିଖ ପୂର୍ବାହ୍ନ ୧୧ଟା ପରେ ଓଡ଼ିଶାକୁ ବାହାର ରାଜ୍ୟର କୌଣସି ବସ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ମାର୍ଚ୍ଚ ୨୩ ତାରିଖ ପୂର୍ବାହ୍ନ ୧୧ଟା ପରେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ କୌଣସି ଆନ୍ତଃରାଜ୍ୟ ବସ୍ ଚଳାଚଳ କରିବ ନାହିଁ ।
ଦ୍ରବ୍ୟ ଓ ସେବା ନିମନ୍ତେ ଓଡ଼ିଶା ସରକାର ଏକ ରାଜ୍ୟସ୍ତରୀୟ ମନିଟରିଂ ୟୁନିଟ୍ ଗଠନ କରିଛନ୍ତି । ଏହି କମିଟି ଆବଶ୍ୟକତା ଆକଳନ କରିବା ସହିତ ବିଭିନ୍ନ ଦ୍ରବ୍ୟର ପରିବହନକୁ ତଦାରଖ କରିବ ଏବଂ ପ୍ରତିବନ୍ଧକ ଦୂର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହା ମଧ୍ୟ ବ୍ୟବସାୟୀ ଓ ପରିବହନସଂପୃକ୍ତ ବ୍ୟକ୍ତି(ଟ୍ରାନ୍ସପୋର୍ଟର) ଙ୍କୁ ନିଜ ନିଜ ସମସ୍ୟା ଉପସ୍ଥାପନ ଓ ସମାଧାନ ନିମନ୍ତେ ସୁଯୋଗ ଦେବ । କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ପରି ପରମିଟ୍ପ୍ରାପ୍ତ ସାମଗ୍ରୀର ପରିବହନ ଉପରେ କୌଣସି କଟକଣା ରହିବ ନାହିଁ । ପର୍ମିଟ୍ପ୍ରାପ୍ତ ଯାନବାହନଗୁଡ଼ିକ ବିନାବାଧାରେ ଚଳାଚଳ କରିପାରିବେ ।
ଗହଳିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ପାଇକାରୀ ଦୋକାନ(ହୋଲ୍ସେଲ୍ ମାର୍କେଟ୍)ଗୁଡ଼ିକ ପର୍ଯ୍ୟାୟକ୍ରମେ ସମୟସାରଣୀ ମୁତାବକ ୨୪ ଘଣ୍ଟା ଖୋଲା ରହିବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପୋଲିସ୍ ଓ ପରିବହନ ବିଭାଗର କ୍ଷେତ୍ର କର୍ମଚାରୀବୃନ୍ଦଙ୍କୁ ପର୍ମିଟ୍ପ୍ରାପ୍ତ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଚଳାଚଳକୁ ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଲକ୍ ଡାଉନ୍ ସଂପର୍କିତ ଆଦେଶନାମା ସଂଖ୍ୟା ୮୭୦୯ ତା ୨୧/୦୩/୨୦୨୦ ଅନୁସାରେ ସେମାନେ କାର୍ଯ୍ୟକରିବେ ।
ବ୍ୟବସାୟୀ/ ଦୋକାନୀ/ହୋଲ୍ସେଲ୍ରମାନେ ପର୍ମିଟ୍ପ୍ରାପ୍ତ ସାମଗ୍ରୀ ପରିବହନ ବାବଦରେ କୌଣସି ସମସ୍ୟା ଅଥବା ଆପତ୍ତିଅଭିଯୋଗ ନେଇ ସଂଯୋଗ ହେଲ୍ପଳାଇନ୍ ନଂ-୧୫୫୩୩୫ ବ୍ୟବହାର କରିପାରିବେ । ଏହି ହେଲ୍ପ ଲାଇନ୍ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଇ ସିଫଫ କାର୍ଯ୍ୟକରିବ ।
ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୭୬ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ସେଥିରୁ ୨ଟି ପଜିଟିଭ୍ ଚିହ୍ନଟ ହୋଇଛି । ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣଙ୍କ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍ପିଟାଲ୍ରେ ଦିଆ ଯାଉଥିବା ସାଧାରଣ ଖାଦ୍ୟ ଖାଉଛନ୍ତି
ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି । ୯ଟି ମନିଟରିଂ ଟିମ୍ ଏଥି ପାଇଁ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩୪୭୪ ଜଣ ୧୦୪ ହେଲ୍ପ ଲାଇନ୍ ଜରିଆରେ ପଞ୍ଜୀକରଣ କରିଛନ୍ତି । କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୮ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛି ।
ହୋମ୍ କ୍ୱାରାଣ୍ଟାଇନ୍ରେ ରହି ମାର୍ଗଦର୍ଶିକା ପାଳନ କରୁନଥିବା ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ନାମରେ ପୁରୀ ଘାଟ ପୋଲିସ ଫୌଜଦାରୀ ମାମଲା ରୁଜୁ କରିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ସୁରକ୍ଷା ଦୃଷ୍ଟିରୁ ପରିଚୟ ଗୋପନ ରଖାଯାଇଛି ।
କ୍ରୀଡ଼ା ଓ ଯୁବସେବା ବିଭାଗ ଅଧୀନରେ ଥିବା ସମସ୍ତ କ୍ରୀଡ଼ା ଛାତ୍ରାବାସ ମାର୍ଚ୍ଚ ୨୩ରୁ ମଇ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଅନ୍ତେବାସୀଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଭତ୍ତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷିତ ଭାବେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେମାନଙ୍କୁ ଖର୍ଚ୍ଚ ପ୍ରଦାନ କରାଯାଉଛି ।