କରୋନା ସତର୍କତା ଦୃଷ୍ଟିରୁ ରାଜ୍ୟ ସରକାର ଘୋଷଣା କରିଥିବା ଚଳିତମାସ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ସମୟରେ ୨୫ଟି ବିଭାଗର କର୍ମଚାରୀାମନେ ଅଫିସ ଆସିବା ଆବଶ୍ୟକ ନାହିଁ । ଏହିସବୁ ବିଭାଗ ଜରୁରୀ ତାଲିକାରେ ନଥିବାରୁ କରୋନା ମୁକାବିଲା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କର୍ମଚାରୀମାନେ ଆବଶ୍ୟକ ସ୍ଥଳେ ଅଫିସର ଆସିବେ ଓ ଟେଲିଫୋନ୍ ଯୋଗେ ସୂଚନା ଦେବେ ।
ଲକ୍ ଡାଉନ୍ ସମୟରେ କେଉଁ କେଉଁ ବିଭାଗର କର୍ମଚାରୀମାନେ ଅଫିସର ଆସିବା ଆବଶ୍ୟକ ତାହାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ୩ଭାଗରେ ବିଭକ୍ତ କରାଯାଇଛି । ଜରୁରୀ, ଆଂଶିକ ଜରୁରୀ ଓ ବିନା ଜରୁରୀ ଭାବେ ବିଭାଗ ଗୁଡିକ ଚିହ୍ନଟ ହୋଇଛି ।
କରୋନା ପାଇଁ ଜରୁରୀ ବିଭାଗ ତାଲିକାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ପେସସନ ଅଭିଯୋଗ, ଗୃହ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସ୍ଡମା ଆଦି ରହିଛି । ଏହି ସବୁ ବିଭାଗର କର୍ମଚାରୀମାନେ ଦପ୍ତର ଆସିବେ । ତେବେ ବିଭାଗ ଅଧିନରେ ଥିବା ନିର୍ଦ୍ଦେଶାଳୟ ଓ ସଂସ୍ଥାର କର୍ମଚାରୀମାନେ ଆସିବେ କି ନାହିଁ ସେ ସଂକ୍ରାନ୍ତରେ ବିଭାଗୀୟ ସଚିବ ନିଷ୍ପତ୍ତି ନେବେ ।
ସେହିଭଳି ଆଂଶିକ ଜରୁରୀ ବିଭାଗ ତାଲିକାରେ ବାଣିଜ୍ୟ ଓ ପରିବହନ, ଇଲେକଟ୍ରୋନିକ ଓ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଏବଂ ପୂର୍ତ୍ତ ଆଦି ବିଭାଗ ରହିଛି । ଏହିସବୁ ବିଭାଗ ସଚିବଙ୍କ ସମେତ କେତେକ ପ୍ରମୁଖ ଅଧିକାରୀ ଦପ୍ତର ଆସିବେ ନାହିଁ ତାହା ସଚିବ ନିଜେ ନିଷ୍ପତ୍ତି ନେବେ । ତେବେ ବିଭାଗ ଅଧିନରେ ଥିବା ନିର୍ଦ୍ଦେଶାଳୟ ଓ ସଂସ୍ଥା ସଂକ୍ରାନ୍ତରେ ସଚିବ ନିଷ୍ପତ୍ତି ନେବାକୁ କୁହାଯାଇଥିବାବେଳେ ଉଦ୍ୟୋଗ ଗୁଡିକ ଅଳ୍ପ କର୍ମଚାରୀରେ ଚଳାଇବାକୁ କୁହାଯାଇଛି ।
ଏହି ଦୁଇ ତାଲିକାରେ ଥିବା ବିଭାଗକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୨୫ଟି ବିଭାଗର କର୍ମଚାରୀମାନେ ଦପ୍ତର ଆସିବା ଆବଶ୍ୟକ ନାହିଁ । ସେମାନଙ୍କ ସହିତ ଟେଲିଫୋନ୍ ଯୋଗେ ବିଭିନ୍ନ କାର୍ଯ୍ୟ ପାଇଁ ଯୋଗାଯୋଗ ରହିବ । ନୋଟିସ୍ ପାଇଲାମାତ୍ରେ ଏହି କର୍ମଚାରୀମାନେ ଦପ୍ତରରେ ହାଜର ହେବାକୁ କୁହାଯାଇଛି ।