କରୋନା ପାଇଁ ମାର୍ଚ୍ଚ ୩୧ ତାରଖ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳକୁ ଭାରତୀୟ ରେଳବାଇ ବାତିଲ କରିଦେଇଛି । କୋଲକତା ମେଟ୍ରୋ ସମେତ ସମସ୍ତ ପ୍ରିମିୟମ ଓ ଏକ୍ସପ୍ରେସ୍ ଟ୍ରେନ ଗଡିବ ନାହିଁ । ତେବେ ଅତ୍ୟାବଶକୀୟ ସାମଗ୍ରୀ ପରିହବନ ପାଇଁ ମାଲଗାଡି ଗୁଡିକ ଚଳାଚଳ କରିବ ବୋଲି କୁହାଯାଇଛି ।
ଭାରତୀୟ ରେଳବାଇ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି କରୋନା ସତର୍କତା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ମାର୍ଚ୍ଚ ୩୧ ତାରିଖ ରତ୍ରୀ ୧୨ଟା ପର୍ଯ୍ୟନ୍ତ କୌଣସି ରେଳଗାଡି ଗଡିବ ନାହିଁ ।
ତେବେ ଯେଉଁ ରେଳଗାଡି ଗୁଡିକ ୨୨ତାରିଖ ଭୋର ୪ଟା ପୂର୍ବରୁ ଚଳାଚଳ କରୁଛନ୍ତି ସେମାନଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯିବାକୁ ଦିଆଯିବ । ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସହିତ ସେମାନେ କିଭଳି ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ତାହାର ବନ୍ଦୋବସ୍ତ କରାଯାଇଛି ।
ସେହିଭଳି ବାତିଲ ହୋଇଯାଇଥିବା ରେଳଗାଡି ଗୁଡିକରେ ଟିକଟ ବୁକିଂ କରିଥିବା ଯାତ୍ରୀମାନେ ସେମାନଙ୍କର ପୂରା ଭଡା ଫେରସ୍ତ ପାଇବେ । ଭଡା ଫେରସ୍ତ ପାଇବାର ସମୟକୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଯାତ୍ରୀମାନେ ଯେଭଳି ସହଜରେ ସୋମନଙ୍କ ଭଡା ଅର୍ଥ ଫେରିପାଇବେ ରେଳବାଇ ପକ୍ଷରୁ ବ୍ୟବସ୍ଥା ହୋଇଛି ।