ରାଜଧାନୀର ପରିବା ହାଟ ଗୁଡିକରେ ଆଜି ସରାକରଙ୍କ କଟକଣାକୁ ଅନେକ ଫୁ କରିଦେଇଛନ୍ତି । ସାତ ଜଣରୁ ଅଧିକ ଲୋକ ଏକାଠି ନହେବାପାଇଁ ଜାରି ନିର୍ଦ୍ଦେଶକୁ ହାଟରେ ଲୋକେ ମାନିବା ବଦଳରେ ଏକାଧିକ ଲୋକ ଚଢାଭିଡା ହୋଇ ପରିବା ବୋହି ନେଇଛନ୍ତି ।
ଗୋଟିଏ ସ୍ଥାନରେ ଜନସମାଗମ ଯୋଗୁଁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସାତ ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକାଠି ହେବା ଉପରେ କଟକଣା ଲଗାଇବା ସହିତ ରାଜଧାନୀରେ ଥିବା ଦୋକାନ ବଜାର ଗୁଡିକୁ ସଂଧ୍ୟାପରେ ବନ୍ଦ ରଖିଛନ୍ତି ।
ତେବେ ରବିବାର ଦିନ ଜନତା କର୍ଫ୍ୟୁ ଥିବା ଓ ଏହାର ପୂର୍ବଦିନ ସଂଧ୍ୟା ୬ଟାରେ ପରିବା ହାଟ ବନ୍ଦ ହେବାକୁ ଥିବାରୁ ଲୋକେ ଦିନବେଳା ଶହ ଶହ ସଂଖ୍ୟାରେ ହାଟକୁ ଛୁଟିଥିଲେ । କିଏ ଆଗୁଆ ପରିବା ନେଇ ଘରକୁ ଯିବ ସେଥିପାଇଁ ଚାଲିଥିଲା ପ୍ରତିଯୋଗିତା । ଯଦିଓ କିଛି ଲୋକ ମୁହଁରେ ମାସ୍କ ବାନ୍ଧିଥିଲେ କିନ୍ତୁ ଠେଲାପେଲା ହୋଇ ପରିବା କିଣୁଥିବା ଦେଖିବାକୁ ମିଳିଥିଲା ।
ଲୋକଙ୍କ ଗହଳି ଯୋଗୁଁ ଅବଶ୍ୟ କେଇ ଘଣ୍ଟା ଭିତରେ ହାଟ ପରିବା ଶୂନ୍ୟ ହୋଯାଇଥିଲା । ଏକ ନମ୍ବର, ଇନ୍ଦ୍ରଧନୁ ଆଦି ବଡ ବଡ ହାଟ ଠାରୁ ଆରମ୍ଭ କରି ଛୋଟ ଛୋଟ ପରିବା ଦୋକାନରେ ବି ଏଭଳି ଭିଡ ଲକ୍ଷ୍ୟ କରାଯାଇଥିଲା ।
ଅନ୍ୟ ପକ୍ଷରେ ରାଜଧାନୀର ବ୍ୟବସାୟୀମାନେ କିନ୍ତୁ ସରକାରଙ୍କ ନିୟମ ପାଳନ କରି ଅତ୍ୟାବଶକ ସେବା ବ୍ୟତିତ ଅନ୍ୟ ସବୁ ଦୋକାନ ବନ୍ଦ ରଖିଛନ୍ତି ।