ଆଜି ସୁଦ୍ଧା ଓଡ଼ିଶାରେ ୭୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେଥିରୁ ୬୯ଟି ରିପୋର୍ଟ ହସ୍ତଗତ ହୋଇଛି । ସେଥିରୁ ୨ଟି ପଜିଟିଭ୍ ଚିହ୍ନଟ ହୋଇଛି । ଗୋଟିଏ ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ସୁବ୍ରତ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣଙ୍କ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି । ୯ଟି ମନିଟରିଂ ଟିମ୍ ଏଥି ପାଇଁ କାର୍ଯ୍ୟ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏହି ଅସାଧାରଣ ପରିସ୍ଥିତିର ମୁକାବିଲା ପାଇଁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ପରିସ୍ଥିିତିର ମୁକାବିଲା ପାଇଁ ଆସନ୍ତା ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ଜିଲ୍ଲା ଯଥା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୋଳ ଏବଂ ଏହା ସହିତ ୮ଟି ସହର ଯଥା ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର ରୋଡ଼, ଯାଜପୁର ଟାଉନ୍ ଏବଂ ଭଦ୍ରକରେ ସଂପୂର୍ଣ୍ଣ ତାଲାବନ୍ଦ(ଲକ୍ ଡାଉନ୍) କାର୍ଯ୍ୟକାରୀ ହେବ ।
ଏହି ସମୟରେ ଏହି ସବୁ ସ୍ଥାନର ଜନସାଧାରଣ ନିଜ ନିଜ ଘରେ ରହିବେ ଏବଂ କେବଳ ଅତି ଜରୁରୀ ଆବଶ୍ୟକତାରେ ବାହାରକୁ ବାହାରିବେ । ଉକ୍ତ ସମୟ ମଧ୍ୟରେ ଔଷଧ ଦୋକାନ, ତେଜରାତି, ପରିବା, ମାଛ-ମାଂସ ଆଦିି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହିତ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ପେଟ୍ରୋଲ୍ ପମ୍ପ ଆଦି ଖୋଲା ରହିବ । ପ୍ରଶାସନ, ପୋଲିସ୍, ସ୍ୱାସ୍ଥ୍ୟ, ଅଗ୍ନିଶମ, ଓଡ୍ରାଫ୍, ବିଜୁଳି, ପାନୀୟ ଜଳ ଓ ପୌରାଞ୍ଚଳ ସେବା ଜାରି ରହିବ ।’ ଏହାର ଉଲ୍ଲଂଘନକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହି ସମୟରେ ଜନସାଧାରଣ ଧୈର୍ଯ୍ୟର ସହ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମହାମାରୀ ରୋଗ ଆଇନ-୧୮୯୭ର ଧାରା-୨ ଏବଂ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ନିୟମାବଳୀର ବିଧି-୧୭ ଅନୁସାରେ ଓଡ଼ିଶା ସରକାର କୋଭିଡ୍-୧୯ ସଂପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ନିୟମାନୁସାରେ ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ଆତ୍ମୀୟ, ଚିକିତ୍ସା କରୁଥିବା ଡାକ୍ତର, ସହଯୋଗୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କ ସଂପର୍କିତ ତଥ୍ୟ ଗୋପନ ରଖାଯିବ ।
ଗଣମାଧ୍ୟମ କୋଭିଡ୍-୧୯ରେ ସଂକ୍ରମିତ/ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ସଂପର୍କୀୟ/ଆତ୍ମୀୟ, ଚିକିତ୍ସକ, ସହଯୋଗୀ ସ୍ୱାସ୍ଥ୍ୟକର୍ମଚାରୀଙ୍କ ଠିକଣା ପ୍ରକାଶ କରିପାରିବେ ନାହିଁ । ସେହିପରି କୌଣସି ରୋଗୀ, ତାଙ୍କର ପିତାମାତା, ଆତ୍ମୀୟ, ଚିକିତ୍ସକ, ସହଯୋଗୀ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସାକ୍ଷାତକାର ନେଇପାରିବେ ନାହିଁ । ଏହାର ଉଲ୍ଲଂଘନକୁ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯିବ । ଏହା ପ୍ରିଣ୍ଟ/ଇଲେକ୍ଟ୍ରୋନିକ୍ସ/େୱବ୍/ସୋସିଆଲ୍ ମିଡ଼ିଆ ପ୍ରତି ଲାଗୁ ହେବ ।
ବର୍ତ୍ତମାନ ସୁଦ୍ଧା ୩୨୩୬ ଜଣ ପଞ୍ଜୀକରଣ କରିଛନ୍ତି । କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛି । କୋଭିଡ୍-୧୯ ସ୍ଥିତିରେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବ, ଦୁସ୍ଥ ଓ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇ ଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏହି ହିତାଧିକାରୀମାନେ ମାସିକ କିଲୋଗ୍ରାମ ପ୍ରତି ୧ ଟଙ୍କା ମୂଲ୍ୟରେ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ପାଇବେ ।