ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନିବା ଲାଗି ସମସ୍ତଙ୍କୁ କହିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଘରେ କ୍ୱାରେଣ୍ଟାଇନରେ ରହିବା ଲାଗି କୁହାଯାଇଛି ସେମାନେ ତାହା ପାଳନ କରନ୍ତୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଭୁଲିବେ ନାହିଁ-ସତର୍କ ରହିବେ ଭୟଭୀତ ନୁହେଁ! କେବଳ ଘର ଭିତରେ ରହିବା ଜରୁରି ନୁହେଁ ଆପଣ ରହୁଥିବା ସହର ଓ ନଗର ମଧ୍ୟରେ ରହିବା ମଧ୍ୟ ଜରୁରି । ଅନାବଶ୍ୟକ ଯାତ୍ରା ଆପଣଙ୍କୁ କିମ୍ବା ଅନ୍ୟମାନଙ୍କୁ ସହାୟକ ହେବ ନାହିଁ । ଏପରି ସମୟରେ, ଆମ ପକ୍ଷରୁ ପ୍ରତ୍ୟେକ ଛୋଟିଆ ପଦକ୍ଷେପ ଏକ ବଡ଼ ପ୍ରଭାବ ପକାଇବ ।
ଏହି ସମୟରେ ଡାକ୍ତର ଓ ପ୍ରଶାସନର ପରାମର୍ଶକୁ ଆମେ ମାନିବା ଉଚିତ । ଘରେ ଅଲଗା ହୋଇ ରହିବା ଲାଗି ଯେଉଁମାନଙ୍କୁ କୁହାଯାଇଛି, ସେମାନେ ଦୟାକରି ନିର୍ଦ୍ଦେଶ ମାନନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଏହା ଆପଣମାନଙ୍କୁ ଆପଣଙ୍କ ବନ୍ଧୁ ଓ ପରିବାରକୁ ସୁରକ୍ଷିତ ରଖିବ” ।
ନାଗରିକମାନଙ୍କୁ ସେବା ଯୋଗାଉଥିବା ଆଇଟି ପେସାଦାର ଏବଂ କର୍ମଚାରୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଆଗାମୀ ବର୍ଷଗୁଡ଼ିକରେ ସେମାନେ ସ୍ମରଣୀୟ ହୋଇ ରହିବେ ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଥିଲେ, “ସେମାନେ ନାୟକ, ସେମାନେ ଅସାଧାରଣ ବ୍ୟକ୍ତିତ୍ୱ ଯେଉଁମାନଙ୍କ ଉଲ୍ଲେଖନୀୟ ଭୂମିକା ଆଗାମୀ ଦିନରେ ସ୍ମରଣୀୟ ହୋଇ ରହିବ ।” ଭାରତ ଆମର ଆଇଟି ପେସାଦାରମାନଙ୍କୁ ନେଇ ଗର୍ବିତ । ସେମାନେ ନାଗରିକମାନଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଉଛନ୍ତି । ନବୋନ୍ମେଷକାରୀ ଏବଂ ପେସାଦାରମାନଙ୍କ ସମୁଦାୟ କୋଭିଡ-୧୯ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।