
କରୋନା ପ୍ରତିଷେଧ ପ୍ରସ୍ତୁତିକୁ ଅଧିକ ଜୋରଦାର କରି ଓଡ଼ିଶା ସରକାର ଚଳିତମାସ ୨୨ ତାରିଖ ସକାଳୁ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ନିହାତି ଜରୁରୀ ନ ଥିଲେ ଲୋକେ ଘରୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସହଜଯୋଗ ଲାଗି ନିବେଦନ କରିଛନ୍ତି ।
ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ଭାରତରେ ବ୍ୟାପିବାରେ ଲାଗିଛି । ଏଯାବତ ଏହି ରୋଗର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଔଷଧ ବାହାରିନାହିଁ । ଚୀନର ୱହାନ ସହରରୁ କରୋନା ବ୍ୟାପିଥିଲା । କିନ୍ତୁ ସେଠି ଲୋକେ ସରକାରଙ୍କ ପରାମର୍ଶ ମାନି ଘରେ ନିଜକୁ ଆବଦ୍ଧ ରଖିବା ସହ ଅନ୍ୟାନ୍ୟ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିବାରୁ ୱହାନରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ କିଛିଦିନ ମଧ୍ୟରେ ବିଦେଶରୁ ୩ହଜାରରୁ ଅଧିକ ଲୋକ ଓଡ଼ିଶା ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର । ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ଗାଁ ସହିତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍ ଓ ଯାଜପୁର ସହରରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସମ୍ପୂର୍ଣ୍ଣ ଲକ ଡାଉନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେଏହି ଲକ ଡାଉନ ସମୟରେ କେବଳ ବସ, ଟ୍ରେନ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ, ପେଟ୍ରୋଲ ପମ୍ପ ଓ ଔଷଧ ଦୋକାନ ଆଦି ଖୋଲା ରହିବ । ଏହାଛଡ଼ା ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋଲସେଲ ମାର୍କେଟ ମଧ୍ୟ ଖୋଲା ରହିବ ।
ଏହାଛଡ଼ା ଏହିସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ପୌରସେବା, ପୋଲିସ, ଅଗ୍ନିଶମ, ଓଡ୍ରାଫ, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ ଏବଂ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଖୋଲା ରହିବ । ସାଢ଼େ ୪କୋଟି ଓଡ଼ିଶାବାସୀ ତାଙ୍କର ପରିବାର ହୋଇଥିବାରୁ ପ୍ରତିଟି ଲୋକଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ଉଲ୍ଲେଖ କରି ସରକାରଙ୍କ ନିଷ୍ପତ୍ତିରେ ଲୋକେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହି ସମୟରେ ନିଜର, ନିଜ ପରିବାରର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ନିଜେ ଘରେ ରୁହନ୍ତୁ ।
ରାଜ୍ୟ ସରକାର ଜାରି କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତାହା ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଘରେ ରହିଲେ କରୋନାରୁ ସୁରକ୍ଷିତ ରହିପାରିବେ ଏବଂ କରୋନ ବିରୋଧରେ ଚାଲିଥିବା ଅଭିଯାନ ସଫଳ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଏହି କଟକଣା ସମୟରେ ସମ୍ପୃକ୍ତ ୫ଟି ଜିଲ୍ଲା ଓ ୭ଟି ସହରରେ ସାମାଜିକ ସୁରକ୍ଷା ପେନସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀକ ବିତରଣ କାର୍ଯ୍ୟ ସ୍ଥଗିତ ରଖାଯିବ । ସ୍ଥାନୀୟ ପରିସ୍ଥିତିକୁ ଆକଳନ କରି ଜିଲ୍ଲାପାଳମାନେ ଯେକୌଣସି ସେବା ଓ କ୍ଷେତ୍ରକୁ ବାଦ ଦେଇପାରିବେ କିମ୍ବା ଯୋଗ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଘରୋଇ କମ୍ପାନୀମାନେ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ଘରୁ କାମ କରିବାର ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ସରକାର ପରାମର୍ଶ ଦେଇଛନ୍ତି । ଯଦି ସେମାନେ ଏହା ନ କରନ୍ତି ତେବେ ଏଥିଲାଗି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଅନୁମତି ପତ୍ର ଆଣିବାକୁ ପଡ଼ିବ ।