ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଏକାଠି ହୋଇପାରିବେନି ୭ଜଣରୁ ଅଧିକ

 

କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ଯେ କୌଣସି ପରିସ୍ଥିତିରେ ମଧ୍ୟ ୭ ଜଣରୁ ଅଧିକ ଲୋକ ଏକତ୍ର ହେବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି ।

କୋଭିଡ୍‌-୧୯ ଏବଂ ମୌଳିକ ସେବା ପରିଚାଳନା ସଂପର୍କିତ ବୈଠକ ବ୍ୟତୀତ ସରକାରୀ ଦପ୍ତରଗୁଡ଼ିକରେ ଅନ୍ୟକୌଣସି ସଭା ବା ବୈଠକ କରାଯାଇ ପାରିବ ନାହିଁ । ଜରୁରୀ ବୈଠକରେ ପରସ୍ପରଠାରୁ ୨ ମିଟର ଦୂରତା ଅନୁପାଳନକୁ କଡ଼ାକଡ଼ି କରାଯାଇଛି । ସମ୍ଭବ ହେଲେ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରାଯିବ । ସମସ୍ତ ସରକାରୀ ଉତ୍ସବ, ସ୍ମୃତି ଦିବସ ସମେତ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ ଆଦିକୁ ସ୍ଥଗିତ ରଖାଯାଇଥିବା ସୁବ୍ରତ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସଂପ୍ରତି ସାରା ବିଶ୍ୱରେ କୋଭିଡ୍‌-୧୯ ଏକ ମହାମାରୀ ରୂପ ଧାରଣ କରିଥିବା ପରିପ୍ରେକ୍ଷୀରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଜରୁରୀ କଠିନ ପରିସ୍ଥିତିରେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ସହ ଆସନ୍ତା ରବିବାର ମାର୍ଚ୍ଚ ୨୨ ତାରିଖ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫୁ୍’ର ଆହ୍ୱାନ ଦେଇ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ସମସ୍ତ ଏସ୍‌.ଟି/ଏସ୍‌.ସି ଛାତ୍ରାବାସଗୁଡ଼ିକ ମାର୍ଚ୍ଚ ୨୫ରୁ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ୩ ମାସର ପି୍ର-ମାଟି୍ରକ୍‌ ସ୍କଲାରସିପ୍‌ ଆଗୁଆ ପ୍ରଦାନ କରାଯିବ । ବାଳିକା ଅନ୍ତେବାସୀମାନଙ୍କୁ ୨୪୦୦ ଟଙ୍କା ଏବଂ ବାଳକ ଅନ୍ତେବାସୀମାନଙ୍କୁ ୨୨୫୦ ଟଙ୍କା ବିଦ୍ୟାଳୟରେ ଦିଆଯିବ ଏବଂ ସେମାନଙ୍କର ପିତାମାତା/ଅଭିଭାବକଙ୍କର ସ୍ୱାକ୍ଷର ନିଆଯିବ ।

ଓଡ଼ିଶାରେ ଦ୍ୱିତୀୟ କରୋନା ପଜିଟିଭ୍‌ କେସ୍‌ ଚିହ୍ନଟ ହୋଇଛି । ୧୯ ବର୍ଷୀୟ ଏହି ଯୁବକ ୟୁ.କେରୁ ଫେରି ୧୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ୧୯ ତାରିଖରୁ ତାଙ୍କୁ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରଖାଯାଇଛି । ତାଙ୍କ ପରିବାର ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨୯୩୫ ଜଣ ପଞ୍ଜୀକରଣ କରିଛନ୍ତି । ଅଦ୍ୟାବଧି ଓଡ଼ିଶାରେ ୬୬ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୬୨ଟି କରୋନା ନେଗେଟିଭ୍‌ ଥିବାବେଳେ ୨ଟି ପଜିଟିଭ୍‌ ଚିହ୍ନଟ ହୋଇଛି । ଆଜି ସୁଦ୍ଧା ୪ଟି ରିପୋର୍ଟ ହସ୍ତଗତ ହୋଇନାହିଁ ।

ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୪୬ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି ।୮ଟି ମନିଟରିଂ ଟିମ୍‌ ଏଥି ପାଇଁ କାର୍ଯ୍ୟ କରୁଛନ୍ତି । ଅଧିକ ସଂଖ୍ୟାରେ ଲୋକ ଏକତ୍ର ବସି ଖାଉଥିବା ବା ଏକତି୍ରତ ହେଉଥିବା ସମସ୍ତ ରେସ୍ତୋରାଁ, ବାର୍‌, କଫି ସପ୍‌, କ୍ୟାଣ୍ଟିନ୍‌ ଇତ୍ୟାଦିକୁ ତୁରନ୍ତ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ସହରାଞ୍ଚଳ ସୀମା ମଧ୍ୟରେ ଚଳାଚଳ କରୁଥିବା ଟ୍ୟାକ୍ସି, ଅଟୋ ସମେତ ସମସ୍ତ ସାଧାରଣ ପରିବହନ ଗାଡ଼ିଗୁଡ଼ିକ ଦିନେ ଛଡ଼ା ଦିନେ ଯାତାୟତ କରିବେ । ସଂପୃକ୍ତ କର୍ତ୍ତୃପକ୍ଷ ଏହାକୁ ସୁନିଶ୍ଚିତ କରିବେ । କ୍ୟାବିନେଟ୍‌ ଏବଂ କ୍ଷମତାସଂପନ୍ନ ମନ୍ତ୍ରୀସମୂହ ବୈଠକଗୁଡ଼ିକ ଭିଡ଼ିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ କରାଯିବ ।

ସମସ୍ତ ଦୋକାନ, ହାଟ ଏବଂ ସପିଂ କମ୍ପ୍ଲେକ୍ସ ଆଦିରେ କେବଳ ପରିବାପତ୍ର, ସଉଦା, ମାଂସ, ଚିକେନ୍‌, ମାଛ, ଅଣ୍ଡା ଓ ଦୈନନ୍ଦିନ ଆବଶ୍ୟକୀୟ ପଦାର୍ଥ ଆଦି ବିକି୍ର କରାଯାଇପାରିବ । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ପ୍ରଭାବରେ ଆଇସୋଲେସନ୍‌ରେ ଥିବା ବ୍ୟକ୍ତି ସ୍ୱାସ୍ଥ୍ୟ ବିଭାଗରେ ପରାମର୍ଶରେ ଘରକୁ ଫେରିବାରେ ଯଦି ସମସ୍ୟା ନଥାଏ ସେ ପରିସ୍ଥିତିରେ ଗ୍ରାମବାସୀ, ପଡ଼ୋଶୀ, ଗୋଷ୍ଠୀ ତାଙ୍କ ଫେରିବାକୁ ବିରୋଧ କରିବା ସାମାଜିକ ଦୃଷ୍ଟିକୋଣରୁ ଅନୁଚିତ । ଏଭଳି ବିରୋଧ ନଜରକୁ ଆସିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।

ସେହିଭଳି ବିଦେଶାଗତ କୌଣସି ପର୍ଯ୍ୟଟକ, ଅତିଥିଙ୍କୁ ଯଦି କରୋନା ଆଳରେ କେହି ବି ଅସଦାଚରଣ କରିବା ନଜରକୁ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସନ୍ଥକବି ଭୀମଭୋଇ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପରି ମାନବବାଦର ଶ୍ରେଷ୍ଠ ପ୍ରବକ୍ତାମାନଙ୍କ ଆଦର୍ଶ ପାଇଁ ପରିଚିତ ଓଡ଼ିଶାରେ ଏପରି ସମ୍ବେଦନଶୀଳ ସମୟରେ ସମସ୍ତେ ମାନବିକତା ପ୍ରଦର୍ଶନ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023