
କରୋନା ପାଇଁ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟ ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୧ ଜନଗଣନା ସହିତ ଜାତୀୟ ଜନଗଣନା ରେଜିଷ୍ଟର (ଏମପିଆର)ର ସର୍ବଶେଷ ହିସାବ ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛନ୍ତି । ତଦନୁଯାୟୀ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଘର ତାଲିକା ପ୍ରସ୍ତୁତ ପାଇଁ ସମୟ ଧାର୍ଯ୍ୟ ହୋଇଛି ।
ସମଗ୍ର ଦେଶରେ ଏଥିପାଇଁ ୩୦ ଲକ୍ଷ ଗଣନାକାରୀଙ୍କୁ ସାମିଲ କରାଯାଇଥିବା ବେଳେ ସେମାନେ ପ୍ରଥମ ପର୍ଯ୍ୟାୟରେ ଘରକୁ ଘର ବୁଲି ସୂଚନା ସଂଗ୍ରହ କରିବେ । ଏଥିପାଇଁ ଗଣନାକାରୀମାନଙ୍କୁ ତାଲିମ୍ ପ୍ରଦାନ କରାଯିବା ସହ ସଚେତନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ କରୋନା ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଜନଗଣନା କାର୍ଯ୍ୟ ଆରମ୍ଭ ହେଲେ ତାହା କ୍ଷେତ୍ର ସ୍ତରରେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ ।
ତେଣୁ ଜନଗଣନା ପାଇଁ ଦେଶରେ ଧାର୍ଯ୍ୟ ହୋଇଥିବା ସମୟକୁ ବାତିଲ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ତେଣୁ କେନ୍ଦ୍ର ସରକାର ଜନଗଣନା ସଂକ୍ରାନ୍ତରେ ସମୀକ୍ଷା କରିବା ସହିତ ଲୋକଙ୍କ ହିତ ଦୃଷ୍ଟିରୁ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।