ଓଡିଶା ସରକାର ସଫଳତାର ସହ ୨୩ଟି ଲୁହାପଥର, ମାଙ୍ଗାନିଜ ଓ କ୍ରୋମ ଖଣିର ନିଲାମ କରିଛନ୍ତି । ଏଥିରେ ଥିବା ଖଣିଜ ସମ୍ପଦର ମୂଲ୍ୟ ପ୍ରାୟ ୪ଲକ୍ଷ ୮୭ହଜାର କୋଟି ଟଙ୍କା ହେବ । ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହିସବୁ ଖଣିଜ ବ୍ଲକ ଗୁଡିକର ନିଲାମ ସାରିବାପାଇଁ କେନ୍ଦ୍ର ସରକାର ରାଜ୍ୟକୁ କହିଥିଲେ ।
ରାଜ୍ୟରେ ହୋଇଥିବା ଖଣି ନିଲାମ ଅନ୍ୟ ରାଜ୍ୟ ତୁଳନାରେ ବୃହତ ବୋଲି ଇସ୍ପାତ ଓ ଖଣି ବିଭାଗର ଅଧିକାରୀମାନେ କହୁଛନ୍ତି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଯୋଜନାବଦ୍ଧ ଭାବେ ୨୩ଟି ଖଣିର ସଫଳ ନିଲାମ କରିଥିବାବେଳେ ମାର୍ଚ୍ଚ ୧୮ ତାରିଖରେ ନିଲାମ ସରିଥିବା ଗୁଆଳି ଲୁହାପଥର ଖଣିରୁ ରାଜ୍ୟ ସରକାର ସର୍ବାଧିକ ୧୪୪ ପ୍ରତିଶତ ପ୍ରିମିୟମ ପାଇବେ । ଯୋଜନାବଦ୍ଧ ଭାବେ ନିଲାମ ପ୍ରକ୍ରିୟା ହୋଇଥିବାରୁ ଏଭଳି ସଫଳତା ମିଳିପାରିଛି ।
ଝାଡଖଣ୍ଡ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ଖଣି ନିଲାମ ପ୍ରକ୍ରିୟାରେ ଢେର ପଛରେ ପଡିଥିବାବେଳେ ଓଡିଶା ସରକାର କିନ୍ତୁ ବିନା ବାଧାରେ ଖଣି ନିଲାମ କାର୍ଯ୍ୟ ସାରିଛନ୍ତି । ନିଲାମ ହୋଇଥିବା ୨୩ଟି ଖଣି ମଧ୍ୟରୁ କେନ୍ଦୁଝରରେ ୧୧ଟି ଥିବାବେଳେ ସୁନ୍ଦରଗଡରେ ୮ଟି, ଯାଜପୁରରେ ୩ଟି ଏବଂ ମୟୁରଭଞ୍ଜରେ ଗୋଟିଏ ରହିଛି । ଏଥି ମଧ୍ୟରୁ ଲୁହାପଥର ଖଣିରେ ୧୭୧୬.୯୨ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ ହୋଇଥିବାବେଳେ ୮.୭୭ ନିୟୁତ ଟନ୍ ମାଙ୍ଗାନିଜ ଓ ୧୦୪.୯୬ ନିୟୁତ ଟନ୍ କ୍ରୋମାଇଟ୍ ରହିଛି ଯାହାର ମୂଲ୍ୟ ୪,୮୭,୦୮୨.୫୫ କୋଟି ଟଙ୍କା ହେବ ।
ଗତବର୍ଷ ଜୁଲାଇ ୩୧ ତାରିଖୋର ଦୁଇଟି କ୍ରୋମାଇଟ୍ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବାତିଲ ହୋଇଥିଲା ଏବଂ ଡିସେମ୍ବର ୬ ତାରିଖରେ ଟେଣ୍ଡର ପାଇଁ ପୁଣିଥରେ ନୋଟିସ୍ ଜାରି ହୋଇଥିଲା । ସୁକିନ୍ଦା କ୍ରୋମାଇଟ୍ ଖଣି ଏବଂ ଗୁଆଳି ଲୁହାପଥର ଖଣି ପାଇଁ ଜାନୁୟାରୀ ମାସରେ ଟେଣ୍ଡର ନୋଟିସ୍ ଜାରି ହୋଇଥିଲା ଯାହାକି ମାର୍ଚ୍ଚ ୧୭ ତାରିଖରେ ଚୂଡାନ୍ତ ହୋଇଥିଲା ।
ସେହିଭଳି ଯାଜପୁର ଜିଲ୍ଲାର ୪୦୬ ହେକ୍ଟରରେ ୯୨.୫୫ ନିୟୁତ ଟନ୍ କ୍ରୋମ ମହଜୁଦ ଥିବା ଖଣି ଟିଏସ୍ ଆଲୟଜ ପାଇଥିବାବେଳେ ପ୍ରିମିୟମ ବାବଦରେ ଏହା ୯୩.୭୫ ପ୍ରତିଶତ ଦେବ । ଟିଏସ୍ ଆଲୟଜ ହେଉଛି ଟାଟା ଷ୍ଟିଲ୍ ଅଧିନରେ ଥିବା କମ୍ପାନୀ ଯାହା କି ସୁକିନ୍ଦାରେ ମହଜୁଦ ଥିବା ୭୦,୯୯୨ କୋଟି ୧୨ ଲକ୍ଷ ଟଙ୍କାର କ୍ରୋମ ଖଣିକୁ ହାତେଇଛି । ସେହିଭଳି ଗୁଆଳି ଲୁହାପଥର ଖଣିର ନିଲାମ ୧୦୫ ପ୍ରତିଶତ ପ୍ରିମିୟମରୁ ଆରମ୍ଭ ହୋଇ ୧୪୪ ପ୍ରତିଶତରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ମାର୍ଚ୍ଚ ୧୮ ତାରିଖରେ ନେଇଛି । କେନ୍ଦୁଝର ଜିଲ୍ଲାର ଗୁଆଳି ଲୁହାପଥର ଖଣି ୩୫୫.୦୨୬ ହେକ୍ଟର ପରିମିତ ଅଞ୍ଚଳରେ ଥିବାବେଳେ ଏଥିରେ ୩୯୮୭୭.୭୭ କୋଟି ଟଙ୍କା ମୂଲ୍ୟର ପ୍ରାୟ ୧୯୮.୭୪ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଅଛି । ଅନୁଗୁଳ ଠାରେ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବା ଜେଏସ୍ପିଏଲ୍ର ଏହା ନିଜସ୍ୱ ଖଣି । ଏହି କାରଖାନା କ୍ଷମତାକୁ ଭବିଷ୍ୟତରେ ୨୦ ନିୟୁତ ଟନ୍କୁ ବୃଦ୍ଧି ଲାଗି କମ୍ପାନୀ ଲକ୍ଷ୍ୟ ରଖିଛି ।
ଲୁହାପଥର ଖଣିରୁ ଓଡିଶା ୯୦ ରୁ ୧୪୦ ପ୍ରତିଶତ ପ୍ରିମିୟମ ପାଉଥିବାବେଳେ କର୍ଣ୍ଣାଟକ, ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ନିଲାମ ତୁଳନାରେ ଏହା ଅଧିକ ରହିଛି । ଓଡିଶା ୨୩ଟି ଖଣିର ନିଲାମ ପ୍ରକ୍ରିୟା ସାରିଥିବାବେଳେ ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ଗୋଟିଏ କରି ଏବଂ କର୍ଣ୍ଣାଟକ ୧୨ଟି ଖଣିର ନିଲାମ ସାରିଛି । ଓଡିଶା ଅଧିକ ପ୍ରିମିୟମ ଦରରେ ସର୍ବାଧିକ ଖଣି ନିଲାମ କରିଥିବାରୁ ଭବିଷ୍ୟତରେ ଏହା ରାଜ୍ୟକୁ ଅଧିକ ଲାଭ ଦେବବୋଲି ଅଧିକାରୀମାନେ ଆଶା ରଖିଛନ୍ତି ।