କରୋନା ପାଇଁ ଏ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାଫଳ ପ୍ରକାଶନ ବିଳମ୍ବ ହୋଇପାରେ । ପରୀକ୍ଷାଖାତା ମୂଲ୍ୟାୟନ ବନ୍ଦ ରଖାଯିବା ପରିପ୍ରେକ୍ଷୀରେ ଏହି ଆଶଙ୍କା ଉପୁଜିଛି ।
ସିବିଏସ୍ଇ କର୍ତ୍ତୃପକ୍ଷ ଦଶମ ଶ୍ରେଣୀର ପରୀକ୍ଷା ଖାତା ଦେଖାପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ । ତେବେ କରୋନା ପ୍ରତିଷେଧ ପାଇଁ ଚାଲିଥିବା ବ୍ୟାପକ ଅଭିଯାନ ପରିପ୍ରେକ୍ଷୀରେ ଶେଷ ମୂହୂର୍ତ୍ତରେ ପରୀକ୍ଷାଖାତା ମୂଲ୍ୟାୟନ କାର୍ଯ୍ୟକ୍ରମକୁ ଅନିର୍ଦ୍ଧିଷ୍ଟ କାଳପାଇଁ ସ୍ଥଗିତ ରଖାଯାଇଛି । ସେହିପରି ଓଡିଶା ମାଧ୍ୟମି ଶିକ୍ଷା ବୋର୍ଡ ଦ୍ୱାରା ଅନୁଷ୍ଠିତ ଦଶମ ଶ୍ରେଣୀ ପରୀକ୍ଷାର ଖାତା ଦେଖାପାଇଁ ବିଭିନ୍ନ ସ୍ଥାନରେ କେନ୍ଦ୍ର ପ୍ରତିଷ୍ଠା ସଂଗେ ସଂଗେ ପରୀକ୍ଷକମାନଙ୍କୁ ତାଲିମ ଦିଆ ସରିଥିଲା । ତେବେ ଶେଷ ମୂହୂର୍ତ୍ତରେ କର୍ତ୍ତୃପକ୍ଷ ମୂଲ୍ୟାଙ୍କନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ।
ମୂଲ୍ୟାଙ୍କନ କେନ୍ଦ୍ରରେ ନିରାପଦ ବ୍ୟବଧାନରେ ଶିକ୍ଷକ ଶିକ୍ଷୟତ୍ରୀମାନେ ବସି ଖାତା ଦେଖିବାପାଇଁ ବ୍ୟବସ୍ଥା ହୋଇଥିଲା । ପ୍ରତିଦିନ ତିନି ପର୍ଯ୍ୟାୟରେ ଖାତା ଦେଖା ଚାଲିଥାନ୍ତା । ମୂଲ୍ୟାଙ୍କନ କାର୍ଯ୍ୟରେ ନିୟୋଜିତ ପରୀକ୍ଷକମାନଙ୍କୁ ହାତ ଧୋଇବା, ମାସ୍କ ବ୍ୟବହାର ଏବଂ ସାନିଟାଇଜର ବ୍ୟବହାର ସମ୍ପର୍କରେ ବି ସ୍ୱତନ୍ତ୍ର ସଚେତନତା କରାଯାଇଥିଲା । ତେବେ ପରିସ୍ଥିତିକୁ ଆଖିଆଗରେ ରଖି ଶେଷ ମୂହୂର୍ତ୍ତରେ ଖାତା ମୂଲ୍ୟାଙ୍କନ କାର୍ଯ୍ୟ ସ୍ଥଗିତ ରହିଛି । ଏହା ଫଳରେ ଖାତା ମୂଲ୍ୟାଙ୍କନ କରି ଆଗତୁରା ଫଳ ପ୍ରକାଶନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଯେଉଁ ସମୟ ଧାର୍ଯ୍ୟ କରିଥିଲେ ସେଥିରେ ବ୍ୟତିକ୍ରମ ଘଟିବା ସମ୍ଭାବନା ଉପୁଜିଛି ।
ଉଭୟ ସିବିଏସ୍ଇ ଓ ରାଜ୍ୟ ବୋର୍ଡ ପରୀକ୍ଷାଖାତା ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ସ୍ଥଗିତ ରଖିଥିବା ପରିପ୍ରେକ୍ଷୀରେ ଯୁକ୍ତ ଦୁଇ ଶ୍ରେଣୀରେ ନାମାଙ୍କନ ମଧ୍ୟ ବିଳମ୍ବ ହୋଇପାରେ ।
ଇତି ମଧ୍ୟରେ ସିବିଏସ୍ଇ ଓ ରାଜ୍ୟ ଯୁକ୍ତ ଦୁଇ ପରିଷଦ କର୍ତ୍ତୃପକ୍ଷ ମଝିରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଛନ୍ତି । ଯେକୌଣସି ସମୟରେ ଅବଶିଷ୍ଟ ପରୀକ୍ଷା ଲାଗି କାର୍ଯ୍ୟନିର୍ଘଣ୍ଟ ପ୍ରକାଶ ପାଇପାରେ । ଦଶମ ଶ୍ରେଣୀର ପରୀକ୍ଷାଖାତା ମୂଲ୍ୟାଙ୍କନ ସ୍ଥଗିତ ରହିଥିବାବେଳେ ଯୁକ୍ତ ଦୁଇ ପରୀକ୍ଷା ଅଧାରୁ ବନ୍ଦ ଘୋଷଣା ହୋଇଥିବାରୁ ଏହି ଶ୍ରେଣୀର ପରୀକ୍ଷାଖାତା ମୂଲ୍ୟାଙ୍କନ ଲାଗି ସମୟ ମଧ୍ୟ ଗଡିଯାଇପାରେ ।
ସିବିଏସ୍ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରହିବା ଏବଂ ରାଜ୍ୟ ବୋର୍ଡ ଓ ସିବିଏସ୍ଇର ଦଶମଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା ବିଳମ୍ବିତ ହେବା ଘଟଣା ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଉପୁଜିଥିବା କରୋନା ଜନିତ ଅଭାବନୀୟ ପରିସ୍ଥିତିରେ ସାମୟିକ ଭାବେ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ଛଡା ଅନ୍ୟକୌଣସି ବିକଳ୍ପ ନାହିଁ ବୋଲି କର୍ତ୍ତୃପକ୍ଷ କହୁଛନ୍ତି ।