ୟେସ୍ ବ୍ୟାଙ୍କ୍ ଉପରୁ କେନ୍ଦ୍ର ସରକାର କଟକଣା ହଟାଇ ନେବାପରେ ଆଜି ଏହି ବ୍ୟାଙ୍କରେ ପୁରୀ ଶ୍ରୀଜନ୍ନାଥ ମନ୍ଦିରର ସ୍ଥାୟୀ ଜମା ଆକାରରେ ଥିବା ଅର୍ଥ ଫେରିଛି । ପ୍ରଥମ ପର୍ଯ୍ୟାୟରେ ୩୮୯ କୋଟିର ଜମା ଟଙ୍କା ସହିତ ସୁଧ ବାବଦରେ ୮,୨୩,୨୭,୬୩୬ ଟଙ୍କା ଆସିଛି ।
ଏହି ଅର୍ଥକୁ ପୁରୀ ଷ୍ଟେଟବ୍ୟାଙ୍କ୍ ମୁଖ୍ୟ ଶାଖାରେ ଥିବା ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା କରାଯାଇଛି । ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନର ଥିବା ଆଉ ୧୫୬କୋଟି ଟଙ୍କାର ସ୍ଥାୟୀ ଜମାର ଅବଧି ମାର୍ଚ୍ଚ ୩୦ ତାରିଖରେ ସରିବାକୁ ଯାଉଥିବାରୁ ଏହି ସମୟ ପରେ ସେହି ଅର୍ଥ ଫେରିବ । ୟେସ୍ ବ୍ୟାଙ୍କ୍ ପକ୍ଷରୁ ଆଜି ଅର୍ଥ ଫେରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।
ଉଲ୍ଲେଖନୀୟ ଯେ ୟେସ୍ ବ୍ୟାଙ୍କ୍ରେ ଶ୍ରୀମନ୍ଦିର ପ୍ରଶାସନର ୫୪୫ କୋଟି ଟଙ୍କା ଜମାକୁ ନେଇ ଗତ କିଛିଦିନ ଧରି ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା । ମନ୍ଦିର ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କ୍ ବଦଳରେ କାହିଁକି ଘରୋଇ ବ୍ୟାଙ୍କରେ ରଖାଗଲା ବୋଲି ବିରୋଧିଦଳ ଗୁଡିକ ପ୍ରଶ୍ନ କରିବା ସହିତ ସରକାରଙ୍କୁ ବିଧାନସଭା ଭିତରେ ଓ ବାହାରେ ଘେରିଥିଲେ ।
ଅର୍ଥ ଫେରସ୍ତ ପାଇଁ ରାଜ୍ୟ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସଂଗେ ସଂଗେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖିଥିଲେ । ଓଡିଶାର ସାଂସଦମାନେ ବି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ୟେସ୍ ବ୍ୟାଙ୍କ୍ରୁ ଅର୍ଥ ଉଠାଇବା ଉପରେ ଭାରତୀୟ ରିଜର୍ଭବ୍ୟାଙ୍କ୍ ଯେଉଁ କଟକଣା ଜାରି କରିଥିଲେ ତାହାକୁ ଗତକାଲି ଉଠାଇ ଦେବାପରେ ଆଜି ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ଫେରି ଆସିଛି ।