କରୋନାକୁ ଦୃଷ୍ଟିରେ ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସାରା ଭାରତରେ ବିଜେପି ପକ୍ଷରୁ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯିବ ନାହିଁ । ସେହିପରି ଓଡିଶାରେ ସାମୂହିକ ଭାବେ ବିଜେପି ପକ୍ଷରୁ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରାଯିବ ନାହିଁ ।
ଏହି ନିଷ୍ପତିକୁ ସମସ୍ତ ଜିଲ୍ଲା, ବ୍ଲକ ଏବଂ ମଣ୍ଡଳ ସ୍ତରରେ ଲାଗୁ କରାଯିବ । ଦଳର ସମସ୍ତ କାର୍ଯ୍ୟକର୍ତା ଏହି ନିଷ୍ପତିକୁ ଗ୍ରହଣ କରିବା ସହ କରୋନା ସଚେତନତା ବାର୍ତା ଲୋକଙ୍କ ପାଖରେ ପହଂଚାଇବାର କାର୍ଯ୍ୟ କରିବେ । ଆମେ ସମସ୍ତେ ସର୍ତକ ରହି ସ୍ୱଚ୍ଛତାକୁ ଅବଲମ୍ବନ କରି କରୋନାକୁ ଦୂର କରିବାର ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହଛନ୍ତିି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, କରୋନା ଭାଇରସ୍ ( କୋଭିଡ୍-୧୯ ) ବା କରୋନା ଭୂତାଣୁ ଚୀନ ଦେଶରୁ ଆରମ୍ଭ ହୋଇ ଏବେ ସମଗ୍ର ବିଶ୍ୱରେ ବ୍ୟାପକ ହେବା ସହିତ ମହାମାରୀର ରୂପ ନେଇଛି । ଏହି ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱର ସମସ୍ତ ଦେଶ ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି । କେନ୍ଦ୍ର ସରକାର ଏ ଦିଗରେ ସଚେତନ ଥିବା କଥା ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରମାନେ ସକ୍ରିୟ ପଦକ୍ଷେପ ନେଇ ଏ ଦିଗରେ କାର୍ଯ୍ୟକରୁଛନ୍ତି ।
ଦେଶର ଅଧିକାଂଶ ରାଜ୍ୟ ଏହି ମହାମାରୀର ସଂକ୍ରମଣକୁ ରୋକିବା ଲାଗି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସିନେମା ହଲ, ମଲ, ସୁଇମିଂପୁଲ, ଜିମ୍ ପ୍ରଭୃତି ସାର୍ବଜନୀନ ସ୍ଥାନ ଗୁଡିକୁ କିଛିଦିନ ପାଇଁ ବନ୍ଦ କରିଦେଇଛନ୍ତି । ଭାରତ ସରକାର ବିଦେଶରୁ ଆସୁଥିବା ସମସ୍ତ ନାଗରିକମାନଙ୍କର ବିମାନ ଘାଟୀରେ ସ୍କ୍ରିନିଂ କରାଯାଉଛି । ଆବଶ୍ୟକତା ଅନୁସାରେ ସମସ୍ତଙ୍କୁ ମାସ୍କ, ସାନିଟାଇଜର୍ସ ଓ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।
କରୋନା ସଂପର୍କିତ କୋ÷ଣସି ପ୍ରକାର ଅପପ୍ରଚାର ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ ଓ ଏଭଳି ଅପପ୍ରଚାରକାରୀଙ୍କ ପ୍ରତି ସତର୍କ ରୁହନ୍ତୁ । କେନ୍ଦ୍ର ସରକାର ସହାୟତା ପାଇଁ ଯୋଗାଯୋଗ ନିମନ୍ତ ଏକ ହେଲପ୍ ଲାଇନ୍ ନମ୍ବର (୦୧୧-୨୩୯୭୮୦୪୬) ଜାରି କରିଛନ୍ତି ।
ସେହିଭଳି ncov2019 @ gmail.com ମାଧ୍ୟମରେ ମଧ୍ୟ ସୂଚନା ଦେଇପାରିବେ । ଏସବୁ ସୂଚନା ସବୁ ଲୋକଙ୍କ ପାଖରେ ପହଂଚାଇବାକୁ କାର୍ଯ୍ୟକର୍ତାମାନେ କାର୍ଯ୍ୟ କରିବେ । ପାର୍ଟିର ସମସ୍ତ ୟୁନିଟ୍ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବେ । କାର୍ଯ୍ୟକର୍ତାମାନେ ନିଜ ନିଜ ଭିତରେ ସଚେତନତା ବୃଦ୍ଧି କରିବା ସହିତ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ କରିବା ପାଇଁ ସହଯୋଗ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।