‘କରୋନା’ ଭୂତାଣୁ ସଂକ୍ରମଣ ସମଗ୍ର ପୃଥିବୀର ମାନବ ଜାତି ପାଇଁ ଏକ ଆହ୍ୱାନ ଭାବରେ ଦେଖା ଦେଇଛି । ଏହାର ସଫଳ ମୁକାବିଲା ନିମନ୍ତେ ଓଡ଼ିଶାରେ ରାଜ୍ୟ ସରକାର ଅନେକ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ନେଇଛନ୍ତି । ତେଣୁ ଲୋକେ ଆତଙ୍କିତ ନହୋଇ ନିଜକୁ ତଥା ଅନ୍ୟମାନଙ୍କୁ ‘କରୋନା’ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ସହଯୋଗ ପ୍ରଦର୍ଶନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
‘କରୋନା’ ଭୂତାଣୁ ସଂକ୍ରମଣକୁ ସାମଗି୍ରକ ଭାବରେ ମଣିଷର କରୁଣାହୀନ ଆଚରଣର ଫଳ ବୋଲି ପ୍ରକାଶ କରି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ପ୍ରକୃତି ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଦାୟିତ୍ୱପୂର୍ଣ୍ଣ ଜୀବନଶୈଳୀ ହେଉଛି ସୃଷ୍ଟିର ମୂଳମନ୍ତ୍ର । ଏଥିରେ ବିଚୁ୍ୟତି ହେଲେ ଅନେକ ବିଭ୍ରାଟ ସୃଷ୍ଟି ହୁଏ ଓ ‘କରୋନା’ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ । ଆଧ୍ୟାତ୍ମିକତା ହେଉଛି ଭାରତୀୟତାର ଆତ୍ମା । ଏହାକୁ ଆଧାର କରି ଜୀବନଯାପନ କରିବା ବିଧେୟ ।
ଓଡ଼ିଶା ହେଉଛି ଦିବ୍ୟଭୂମି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଜେସ୍ଥାନ । ଓଡ଼ିଶାର ଜନଜୀବନ ଆଧ୍ୟାତ୍ମିକ ଭାବଧାରାରେ ପରିଚାଳିତ । ମହାପ୍ରଭୁଙ୍କ ଛତ୍ରଛାୟାରେ ରହିଛି ସାରା ଓଡ଼ିଶା । ଏଠାରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆଶା କରାନଯାଇପାରେ । ଯେକୌଣସି ବିପଦକୁ ସାମ୍ନା କରିବାକୁ ଓଡ଼ିଶାବାସୀଙ୍କ ନିକଟରେ ରହିଛି ପ୍ରଭୂତ ନୈତିକ ଶକ୍ତି ଓ ମାନସିକ ସାମର୍ଥ୍ୟ, ଏଣୁ ଆତଙ୍କିତ ନହୋଇ ‘କରୋନା’ ମହାମାରୀ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।
ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢ଼ି ବିଜୟ ହାସଲ କରିଛି ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି । ‘କରୋନା’ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଦର୍ଶ ଭୂମିକା ନେବ । ଏଥି ପାଇଁ ଦରକାର ସମ୍ମିଳିତ ପ୍ରୟାସ ଓ ଆବଶ୍ୟକ ପ୍ରତିରୋଧମୂଳକ ବ୍ୟବସ୍ଥାବଳୀର ପ୍ରୟୋଗ । ତେବେ ଏହି ସ୍ଥିତିରେ ମାନବସମାଜ ପାଇଁ ଯେଉଁ ବାର୍ତ୍ତା ରହିଛି, ତାକୁ ଗ୍ରହଣ କରି ଭବିଷ୍ୟତର କାର୍ଯ୍ୟପନ୍ଥା, ଜୀବନଶୈଳୀ ଓ ପ୍ରକୃତି ଅନୁକୂଳ ଭାବଧାରାକୁ ଆପଣାଇବାକୁ ରାଜ୍ୟପାଳ ପ୍ରଫେସର ଲାଲ ଆହ୍ୱାନ ଦେଇଛନ୍ତି ।