କରୋନା ସଂକ୍ରମଣ ରୋକିବା ପରିପ୍ରେକ୍ଷୀରେ ଜେଲ୍ ଭିତରେ କି ପ୍ରକାରର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିଘେନି ସୁପ୍ରିମ୍କୋର୍ଟ ପ୍ରଶ୍ନ ଉଠାଇବାପରେ ଏବେ ଜେଲ୍ ପ୍ରଶାସନ ଏ ଦିଗରେ ତନାଘନା ଆରମ୍ଭ କରିଛି ।
ଜନସମାଗମ ମାଧ୍ୟମରେ କରୋନା ବ୍ୟାପିବା ସମ୍ଭାବନା ଥିବା ପରିପ୍ରେକ୍ଷୀରେ ରାଜ୍ୟ, କେନ୍ଦ୍ର ଓ ଆର୍ନ୍ତଜାତିକ ସ୍ତରର ବିଭିନ୍ନ ସଂସ୍ଥା ଏହି ସମସ୍ୟାରୁ ଦୂରରେ ରହିବାପାଇଁ ପରାମର୍ଶ ଦେଇ ଆସୁଛନ୍ତି । ଏଥିଲାଗି ଆମେରିକା, ଦିଲ୍ଲୀରୁ ଆରମ୍ଭ କରି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ, ଅଙ୍ଗନବାଡି ଏପରିକି କୋଚିଂ ସେଣ୍ଟର ଗୁଡିକ ବନ୍ଦକରି ଦିଆଯାଇଛି । ଏହାଛଡା ବିବାହ ଉତ୍ସବ ଉପରେ ମଧ୍ୟ କଟକଣା ଲଗାଯାଇ ଯେମିତି ଅଧିକ ଲୋକ ଏଥିରେ ଏକାଠି ନହୁଅନ୍ତି ତାହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି ।
ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ମା’ ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନରେ ବି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏମିତିକି ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଅବଢା ଖାଇବା ଉପରେ ବି ପ୍ରତିବନ୍ଧକ ଲାଗିଛି । ପର୍ଯ୍ୟଟକମାନଙ୍କ ସମାଗମକୁ ରୋକିବାପାଇଁ ପୁରୀ, କୋଣାର୍କ, ଖଣ୍ଡଗିରି ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏମିତିକି ଚିଡିଆଖାନା ଗୁଡିକୁ ଯେପରି ପର୍ଯ୍ୟଟକ ନଆସନ୍ତି ସେ ଦିଗରେ ବି ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି ।
ସୁପ୍ରିମ୍କୋର୍ଟ ଓ ବିଭିନ୍ନ ରାଜ୍ୟର ହାଇକୋର୍ଟ ମଧ୍ୟ କୋର୍ଟରୁମ୍ ପରିସରରେ ଗହଳି କମାଇବାପାଇଁ ପଦକ୍ଷେପ ନେଇଥିବାବେଳେ ଓଡିଶା ହାଇକୋର୍ଟର ଓକିଲମାନେ ଆଉପାଦେ ଆଗେଇ ଚଳିତମାସ ଶେଷ ପର୍ଯ୍ୟନ୍ତ କୋର୍ଟକୁ ନଯିବାପାଇଁ ନିଷ୍ପତ୍ତି ନେଇଛନ୍ତି । ତଳକୋର୍ଟ ଉପରେ ବି ଏହାର ପ୍ରଭାବ ପଡିବାକୁ ଯାଉଛି । ଡାକ୍ତରଖାନା ଗୁଡିକୁ ଯେମିତି ଅଧିକ ଲୋକ ନଆସନ୍ତି ସେଥିପ୍ରତି ମଧ୍ୟ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କଲେଣି । ଏମିତିକି ବିଦେଶ ଯିବା ଉପରେ କଟକଣା ଜାରି ହୋଇଥିବାବେଳେ ବିଦେଶରୁ ଭାରତକୁ ଆସିବାକୁ ଥିବା ଅନେକ ଲୋକଙ୍କ ଭିସା ବାତିଲ କରାଯାଇଛି ଓ ଯେଉଁ ଭାରତୀୟମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ଅନ୍ୟୁନ ୧୪ଦିନ ରଖାଯାଉଛି । ପୁରୀ ଗଜପତିଙ୍କ ଠାରୁ ଆରମ୍ଭକରି ଆଇଏଏସ୍ଙ୍କ ପର୍ଯ୍ୟନ୍ତ ଏଥିରୁ କେହି ବାଦ୍ ପଡୁନାହାନ୍ତି ।
ଚାରିଆଡେ ଏଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ରାଜ୍ୟରେ ଥିବା ପ୍ରାୟ ୯୦ଟି କାରାଗାରରେ ପାଖାପାଖି ୧୯ହଜାର ବନ୍ଦୀଙ୍କ ପାଇଁ ସ୍ଥାନ ରହିଛି । ତେବେ କେତେକ କାରଗାରରେ ସ୍ଥାନ ଅପେକ୍ଷା ଅଧିକ କଏଦୀ ଅଛନ୍ତି । ଗୋଟିଏ ଗୋଟିଏ ଜେଲରେ ବହୁ ସଂଖ୍ୟକ କଏଦୀ ୱାର୍ଡମାନଙ୍କରେ ଆବଦ୍ଧ ରହୁଥିବାରୁ କରୋନା ପରିପ୍ରେକ୍ଷୀରେ ସେମାନଙ୍କ ନିରାପତ୍ତା ଏବେ ସରକାରଙ୍କ ଦାୟିତ୍ୱ । କେବଳ ଓଡିଶା ନୁହେଁ ସାରା ଦେଶର ଜେଲ୍ରେ ବନ୍ଦୀ ଜୀବନ କାଟୁଥିବା ବ୍ୟକ୍ତିଙ୍କ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ସମ୍ପୃକ୍ତ ରାଜ୍ୟର ସରକାରମାନେ କ’ଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା ଜାଣିବାକୁ ସୁପ୍ରିମ୍କୋର୍ଟ ଚାହିଁଛନ୍ତି । ତେଣୁ ଏ ପରିପ୍ରେକ୍ଷୀରେ ଏବେ ଜେଲ୍ ପ୍ରଶାସନ ଅଧିକ ତତ୍ପର ହୋଇ ଉଠିଥିବା ଲକ୍ଷ୍ୟ କରାଯାଉଛି ।