କରୋନା ସର୍ତକତା ସ୍ୱରୂପ ଆହାର କେନ୍ଦ୍ର ଗୁଡିକର ସମୟକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପ୍ରତିଦିନ ଏହା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆହାର କେନ୍ଦ୍ର ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି ତାହା କମାଇବାପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଏହି ମର୍ମରେ ସମସ୍ତ ପୌର ପ୍ରଶାସକମାନଙ୍କୁ ପତ୍ର ଲେଖିଛନ୍ତି । ଆହାର କେନ୍ଦ୍ରର ଅବଧି ବୃଦ୍ଧି ସହିତ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅତି କମ୍ରେ ଦେଢ ମିଟର ଦୂରତା ରକ୍ଷା କରିବାକୁ କୁହାଯାଇଛି । ସେହିଭଳି ଲୋକେ ଯେଭଳି ଧାଡିରେ ଆସି ଶୃଙ୍ଖଳାର ସହ ଆହାର ଖାଇବେ ସେଥିପାଇଁ ଆବଶ୍ୟକ ପଡିଲେ ପୁଲିସ୍ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି ।
ଆହାର କେନ୍ଦ୍ର ଗୁଡିକର ପ୍ରବେଶ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଯେଭଳି ସାବୁନରେ ନିଜ ନିଜ ହାତକୁ ପରିସ୍କାର ଭାବେ ଧୋଇବେ ତାହାର ବ୍ୟବସ୍ଥା ଲାଗି କୁହାଯାଇଛି । ବିବାହ ବ୍ରତ ଆଦି ସମୟରେ ଟେଣ୍ଡହାଉସ୍ ଗୁଡିକ ହାତ ଧୋଇବାପାଇଁ ଯେଭଳି ବ୍ୟବସ୍ଥା କରିଥାନ୍ତି ସେହିଭଳି ଅସ୍ଥାୟୀ ଭାବେ ଅନୁରୂପ ବ୍ୟବସ୍ଥା କରିବାକୁ କୁହାଯାଇଛି । ଆହାର କେନ୍ଦ୍ର ବାହାରେ ଏହି ହାତଧୁଆ ବ୍ୟବସ୍ଥା ହେବ । ଖାଇବା ପୂର୍ବରୁ ଲୋକେ ସେଠାରେ ସାବୁନରେ ହାତ ଧୋଇବାପରେ ଆହାର କେନ୍ଦ୍ରରେ ପ୍ରବେଶ କରିବେ ଓ ଖାଇସାରି କେନ୍ଦ୍ର ପରିସରରେ ଥିବା ସ୍ଥାନରେ ହାତ ଧୋଇବେ ।
ଆହାର କେନ୍ଦ୍ର ଭିତରେ ଯେଭଳି ଭିଡ ନହେବ ସେଥିପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ । ଆବଶ୍ୟକ ପଡିଲେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ନେଇ ବାହାରେ ଖାଇବାକୁ ପରାମର୍ଶ ଦେବେ । ଆହାର ପାଇଁ ଲୋକେ ହାତକୁ ପଇସା ଦେବା ବଦଳରେ ସେଠାରେ ଉଦ୍ଦିଷ୍ଟ ଥିବା ବାକ୍ସରେ ପକାଇବେ । ସେହିଭଳି ଆହାର କେନ୍ଦ୍ର ସମ୍ମୁଖରେ ଥିବା କାଉଣ୍ଟରକୁ ନିୟମିତ ଭାବେ ସାନିଟାଇଜ୍ଡ କରାଯିବ ।
ଆହାର କେନ୍ଦ୍ର ବାହାର ପାନୀୟଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି । ଯାହା ଫଳରେ ଗହଳି ହ୍ରାସ ପାଇବ । ଏଥିପାଇଁ ଅସ୍ଥାୟୀ ଭାବେ ସାମଗ୍ରୀ ସବୁ ଭଡାରେ ଆଣିବାକୁ କୁହାଯାଇଛି । ଏଥି ସହିତ ଆହାର କେନ୍ଦ୍ରର କର୍ମଚାରୀମାନେ ଯେଭଳି ପରସ୍କାର ପରିଚ୍ଛନ୍ନ ରହିବେ ତାହା ଉପରେ ଗୁରୁତ୍ୱ ଦେବାକୁ ସରକାର କହିଛନ୍ତି ।