ଦେଶରେ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପୁଞ୍ଜି ଆକର୍ଷଣ ନିମନ୍ତେ ଗଠିତ ହେବାକୁ ଥିବା ଜାତୀୟ ଟାସ୍କଫୋର୍ସରେ ଓଡିଶା ପ୍ରମୁଖ ସ୍ଥାନ ପାଇବ । କାରଣ ପୁଞ୍ଜି ବିନିଯୋଗ ଆକର୍ଷଣ କରିବା କ୍ଷେତ୍ରରେ ଓଡିଶା ଆଗୁଆ ରହିଛି ।
କେନ୍ଦ୍ର, ରାଜ୍ୟ ଓ ଘରୋଇ ପୁଞ୍ଜି ବିନିଯୋଗକାରୀମାନଙ୍କୁ ନେଇ ଗଢାଯାଉଥିବା ଜାତୀୟ ଭିତ୍ତିଭୂମି କାର୍ଯ୍ୟକ୍ରମରେ ଆଗାମୀ ୫ବର୍ଷ ମଧ୍ୟରେ ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚହେବ । ଏହାକୁ କାର୍ଯ୍ୟକାରୀ କରିବା ସକାଶେ ଜାତୀୟ ସମନ୍ୱୟ କମିଟି ଗଠିତ ହେଉଛି । ଏଥିରେ ଓଡିଶା ଅର୍ନ୍ତଭୁକ୍ତ ହେବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଅର୍ଥ ମନ୍ତ୍ରାଳୟର ସମନ୍ୱୟକ୍ରମେ ଏହି କମିଟି ଗଠିତ ହେଉଛି । ଟାସ୍କଫୋର୍ସରେ ଓଡିଶା ସମେତ ବିଭିନ୍ନ ରାଜ୍ୟ, ବ୍ୟବସାୟିକ ବ୍ୟାଙ୍କ୍, ଭିତ୍ତିଭୂମି ଉନ୍ନୟନ କମ୍ପାନୀ ଓ ଅନ୍ୟାନ୍ୟମାନେ ସ୍ଥାନିତ ହେବେ ।
କେନ୍ଦ୍ର ଅର୍ଥନୈତିକ ବ୍ୟାପାର ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠିତ ହୋଇଛି । ତେଣୁ ଟାସ୍କଫୋର୍ସ ଜରିଆରେ ରାଜ୍ୟମାନଙ୍କୁ ଯେଭଳି ଅଧିକରୁ ଅଧିକ ପୁଞ୍ଜି ଆସିପାରିବ ସେଥି ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଯେହେତୁ ଓଡିଶା ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏଥିପାଇଁ ରାଜ୍ୟ ସରକାରଙ୍କର ସହାୟତା ଲୋଡିଥିବା ଜଣାଯାଇଛି ।
୨୦୨୦-୨୫ ମଧ୍ୟରେ ୧୦୦ ଲକ୍ଷ କୋଟି ଟଙ୍କା ଭିତ୍ତିଭୂମିର ବିକାଶ ପାଇଁ ପୁଞ୍ଜି ବିନିଯୋଗ ହେବା ସକାଶେ ଯେଉଁ ଜାତୀୟ ଚିଠା ପ୍ରସ୍ତୁତ ହୋଇଛି ସେଥିରେ କି ପ୍ରକାର ଯୋଜନା ରହିବ ଏବଂ ସେଗୁଡିକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ସଂକ୍ରାନ୍ତରେ ମନ୍ତ୍ରାଳୟସ୍ତରୀୟ ଟାସ୍କଫୋର୍ସମାନ ଗଠନ କରାଯିବ । ବିଭିନ୍ନ ମନ୍ତ୍ରାଳୟ ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠାପାଇଁ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସ ପଦକ୍ଷେପ ଗ୍ରହଣ କରିବେ ।
କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବାପାଇଁ ଅନୁରୋଧ କରିଥିବା ଜଣାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟକୁ ପୁଞ୍ଜି ଆକୃଷ୍ଟ କରିବା ସକାଶେ ଓଡିଶା ସରକାର ମେକ୍ ଇନ୍ ଓଡିଶା ୨୦୨୦ର ଆୟୋଜନ କରି ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ପୁଞ୍ଜିନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ସକାଶେ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ତେଣୁ ଏଭଳି ବିଶାଳ ସମ୍ମେଳନ ଆୟୋଜନ କରୁଥିବା ଦୃଷ୍ଟିରୁ ଓଡିଶାକୁ ଏ ଦିଗରେ ସହଯୋଗ କରିବାପାଇଁ କେନ୍ଦ୍ରୀୟ ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ମନ୍ତ୍ରାଳୟ (ଡିଆଇପିପି) ସଚିବ ଗୁରୁ ପ୍ରସାଦ ମହାପାତ୍ର ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଯୋଗସୂତ୍ର ରକ୍ଷା କରିଥିବା ଜଣାଯାଇଛି । ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଡିଆଇପିପି ସକ୍ରିୟ ଭୂମିକା ଗ୍ରହଣ କରିଥିବାବେଳେ ରାଜ୍ୟ ଓ ଘରୋଇ ପୁଞ୍ଜିବିନିଯୋଗକାରୀମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଅର୍ଥନୈତିକ ମନ୍ତ୍ରାଳୟ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟ ସରକାରମାନେ ଭିତ୍ତିଭୂମି ଉନ୍ନୟନ ପାଇଁ ଯେଉଁ ଆକର୍ଷଣୀୟ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ଘରୋଇ ପୁଞ୍ଜି ବିନିଯୋଗକାରୀମାନଙ୍କୁ ଆକୃଷ୍ଟ କରିବା କ୍ଷେତ୍ରରେ କିଭଳି ସହାୟକ ହୋଇପାରିବ ସେ ସଂକ୍ରାନ୍ତରେ ଟାସ୍କଫୋର୍ସ ପଦକ୍ଷେପ ଗ୍ରହଣ କରିବ ।