ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା କଟକଣା ବଢ଼ିଲା


ସ୍ଥଗିତ ହେଲା ପଞ୍ଚାୟତ ଉପନିର୍ବାଚନ । ରାଜ୍ୟରେ କରୋନା ଭୂତାଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଆସନ୍ତା ୨୪ ମାର୍ଚ୍ଚରେ ରାଜ୍ୟର ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୮ଟି ସମିତି ସଭ୍ୟ ଓ ୮୪ ୱାର୍ଡ ମେମ୍ବର ପଦବୀ ପୂରଣ ପାଇଁ ହେବାକୁ ଥିବା ଉପନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସେହିଭଳି କରୋନା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏବେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଓ ଏକାଦଶର ପରୀକ୍ଷାକୁ ସ୍ଥଗିତ ରହିବାକୁ ନିର୍ଦ୍ଦେଶ ରହିଛି । ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା କେବଳ ଜାରି ରହିବ । ଶିକ୍ଷକମାନେ ସ୍କୁଲକୁ ନ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲକୁ ନ ଆସିଲେ ବି ଶିକ୍ଷକମାନେ ଆଲର୍ଟ ରହିବେ । ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ ବୋଲି କୁହାଯାଇଛି ।

କରୋନା ସତର୍କତା ପାଇଁ ଆଜିଠାରୁ ଉକ୍ରଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଅରଯାଇଛି । ୨୪ ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଜି କାଉନସିଲ ଅଧ୍ୟକ୍ଷା । କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଉକ୍ରଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସଗୁଡିକୁ ବନ୍ଦ କରିବା ନେଇ ରେସିଡେଣ୍ଟସ୍‍ କମିଟି ବୈଠକରେ ନିଷ୍ପତ୍ତି ପରେ ଏପରି ଘୋଷଣା ହୋଇଛି । ଆଗରୁ ୧୪ ତାରିଖରୁ ଯେଉଁ ଛାତ୍ରଛାତ୍ରୀ ଉକ୍ରଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାଡିବାକୁ ଚାହୁଁଛନ୍ତି ସେ ନେଇ ନୋଟିସ ଜାରି କରାଯାଇଥିଲା । ଯେଉଁ ବିଭାଗଗୁଡିକର ମିଡ ସେମିଷ୍ଟର ପରୀକ୍ଷା ରହିଛି ସେଗୁଡିକୁ ନେଇ ମାର୍ଚ୍ଚ ୩୧ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ସେପଟେ କରୋନା ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ବସରେ ଓଭରଲୋଡିଂ ନକରି ନେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସିଟଠୁ ଅଧିକ ଲୋକଙ୍କୁ ବସରେ ନେବାକୁ ମନା କରାଯାଇଛି । ବସର ଡ୍ରାଇଭରଙ୍କ ଠାରୁ ନେଇ ସମସ୍ତେ ମାସ୍କ ପିନ୍ଧିବେ । କର୍ମଚାରୀମାନେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଛି । ଏହି ସମସ୍ତ ନିୟମକୁ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

କରୋନା ମୁକାବିଲା ନେଇ ଟୋଲଗେଟରେ ଯାଞ୍ଚ । ପୁରୀ ଆସୁଥିବା ସମସ୍ତ ଗାଡିକୁ ପିପିଲି ଟୋଲଗେଟରେ ଯାଞ୍ଚ କରାଯାଉଛି । ଆସନ୍ତା ୩୧ ତାରିଖ ଯାଏଁ ପିପିଲି ଟୋଲଗେଟରେ ଏପରି ଯାଞ୍ଚ କାମ ଜାରି ରହିବ । ପରିବହନ କର୍ମଚାରୀ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଟିମ ପୁରୀ ପ୍ରବେଶ ପଥ ପିପିଲି ଟୋଲ ଗେଟରେ ଏହି ଯାଞ୍ଚ କରୁଛନ୍ତି । ଏପିରିକି ଗାଡି ଓ ଗାଡିରେ ଥିବା ପର୍ଯ୍ୟଟକମାନଙ୍କୁ ପିପିଲି ଟୋଲଗେଟ ନିକଟରୁ ଫେରାଇ ଦିଆଯାଉଛି । ଦିନ ୧୨ଟା ସୁଦ୍ଧା ୭୦ରୁ ଅଧିକ ପର୍ଯ୍ୟଟକଙ୍କ ଗାଡିକୁ ପିପିଲି ଟୋଲଗେଟ ନିକଟରୁ ଫେରାଇ ଦିଅଯାଇଥିବା ଜଣାପଡିଛି ।

କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା । ଏକାଠି ହୋଇପାରିବେ ନାହିଁ ୫ରୁ ଅଧିକ ଲୋକ । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବୈତରଣୀର ପ୍ରସିଦ୍ଧ ବାରୁଣୀ ବୁଡ ଉପରେ ମଧ୍ୟ କଟକଣା ଜାରି ହୋଇଛି । ମହାବାରୁଣୀ ପାଇଁ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏହା ସହିତ ଜିଲ୍ଲା ଭିତରକୁ ବାହାର ପର୍ଯ୍ୟଟକଙ୍କ ଗାଡି ପ୍ରବେଶ ନକରାଇବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି ।

କରୋନା ପାଇଁ ଗଜପତିରେ କଡା କଟକଣା । ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି ସମସ୍ତ ସପିଂମଲ । ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଗଜପତି ଜିଲ୍ଲାରେ ମଲ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସେହିପରି ଆଜିଠାରୁ କଟକ-ଭୁବନେଶ୍ୱର ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ସପିଂ ମଲ । ଓଡିଶା ସହରାଞ୍ଚଳ ପୋଲିସ ଆଇନର ଧାରା ୩୫ ଅନୁସାରେ ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି ଟ୍ୱିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ । ଏଥିପାଇଁ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ନିର୍ଦ୍ଦେଶ ଦେଇଥିବା ଟ୍ୱିଟରରେ କୁହାଯାଇଛି । ଏପରିକି କମିଶନରେଟ ପୋଲିସ ଅଞ୍ଚଳରେ ଯେଭଳି କୌଣସି ମଲ ଖୋଲା ନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ଓ କଟକ ଭଳି ସମ୍ବଲପୁର ଓ ବ୍ରହ୍ମପୁରରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଲଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁରର ସହରର ସବୁ ମଲ ଓ ଶୋରୁମ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଜନସମାଗମକୁ ବନ୍ଦ କରିବାକୁ ଗତକାଲିଠୁ ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ସମ୍ୱଲପୁରରେ ସହରରେ ମଧ୍ୟ ସପିଙ୍ଗ ମଲ ଓ ଶୋରୁମ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିରରେ ବି କଟକଣା ଜାରି ହୋଇଛି । ସବୁ ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ହୋଇଛି । ରାଉରକେଲାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଲଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରନା ପାଇଁ ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ସିନେମା ହଲ ଓ ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରାପଡ଼ାରେ କୋଚିଂ ସେଣ୍ଟର, ସପିଂ ମଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଢେଙ୍କାନାଳ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି । କପିଳାସ ଓ ବଳଦେବଜିଉ ମନ୍ଦିର ଦର୍ଶନ ପାଇଁ ମଧ୍ୟ କଟକଣା କରାଯାଇଛି । ପଂକ୍ତି ଭୋଜନ, ସପିଂ ମଲ ଓ ଡିୟର ପାର୍କକୁ ବନ୍ଦ ଘୋଷଣା କରାଯାଇଛି ।

ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମନ୍ଦିରରେ ମଧ୍ୟ କଟକଣା ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ କୁହାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଠା ଦୋକାନୀମାନଙ୍କୁ ସମୁଦ୍ର କୂଳ ଛାଡ଼ି ଚାଲିଯିବାକୁ କୁହାଯାଇଛି । ଏହାସହ ପୁରୀ ଜିଲ୍ଲା ପିପିଲିର ପ୍ରସିଦ୍ଧ ହରିରାଜପୁର ମେଳଣରେ ବି ୧୪୪ ଧାରା ଜାରି କରାଯାଇଛି । ଏଥିସହ ତୁରନ୍ତ ଦୋକାନ ବଜାର ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023