ଗ୍ରାମାଞ୍ଚଳର କରୋନା ସନ୍ଦିଗ୍ଧଙ୍କ ସୂଚନା ସରପଞ୍ଚମାନେ ଦେବେ । ସେହିଭଳି ସହରାଞ୍ଚଳରେ ଏହି ଦାୟିତ୍ୱ ଆବାସିକ କଲ୍ୟାଣ ସମିତିର କର୍ମକର୍ତ୍ତମାନେ ତୁଲାଇବେ। ଗ୍ରାମାଞ୍ଚଳରେ ଏହି ସୂଚନା ବିଡିଓ ଓ ସହରାଞ୍ଚଳରେ ପୌର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ରାଜ୍ୟ ସରକାର ଗ୍ରାମ ପଂଚାୟତ ସ୍ତରରେ ସରପଂଚ ଏବଂ ସହରାଂଚଳରେ ପୋ÷÷ରାଂଚଳ କର୍ତୃପକ୍ଷଙ୍କୁ ଦାୟିତ୍ୱ ନ୍ୟସ୍ତ କରି ଯଦି କୌଣସି ଯାତ୍ରୀ ବିଦେଶ ଯାତ୍ରାରୁ ଫେରିଛନ୍ତି, ତେବେ ସେମାନେ ତତ୍ ସଂପର୍କିତ ବିବରଣୀ ସରକାରଙ୍କୁ ପ୍ରଦାନ କରିବେ । ସହରାଂଚଳରେ ଏଥିପାଇଁ ଆବାସିକ କଲ୍ୟାଣ ସୋସାଇଟି ( ରେସିଡେନ୍ସିଆଲ ୱେଲଭଫେୟାର ସୋସାଇଟି) କର୍ମକର୍ତାମାନେ ସହାୟତା କରିବେ । ଗ୍ରାମାଂଚଳରେ ବିଡିଓ ଓ ସହରାଂଚଳରେ ମ୍ୟୁନିସିପାଲ କର୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାର ମୁଖ୍ୟ ଉପାୟ ହେଲା ସ୍ୱଚ୍ଛତା ଓ ସତର୍କତା ଅବଲମ୍ବନ କରିବା ।
ପ୍ରକାଶ ଥାଉକି ବର୍ତମାନ ସୁଦ୍ଧା ଓଡିଶାରେ କରୋନା ଭୂତାଣୁ ଜନିତ ସଂକ୍ରମଣରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇନାହାଁନ୍ତି । ଆଜି ସୁଦ୍ଧା ଆମ ରାଜ୍ୟକୁ ଦେଶ ତଥା ଦେଶ ବାହାରୁ ଆସିଥିବା ସନ୍ଦିଗ୍ଧ ୧୪୧ ଜଣ ରୋଗୀଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ପରୀକ୍ଷଣ ପାଇଁ ୨୧ ଟି ର ରକ୍ତ ନମୁନା ପଠାଯାଇଥିବା ବେଳେ ସେଗୁଡିକ କରୋନା ନେଗେଟିଭ୍ ରିପୋର୍ଟ ଆସିଥିବା ଜଣାଯାଇଛି ।
ସଂକ୍ରାମକ ରୋଗର ମୁକାବିଲା ପାଇଁ ଖୁବ୍ ଶୀଘ୍ର ବୈଷୟିକ ପରାମର୍ଶ ଦାତା କମିଟି ଗଠନ ପାଇଁ ସରକାର ନିଷ୍ପତି ନେଇଛନ୍ତି, ଯେଉଁ କମିଟିରେ କି ବରିଷ୍ଠ ବୈଜ୍ଞାନିକ, ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ନିର୍ଦ୍ଦେଶକ, ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରମୁଖ ଏଥିରେ ସଦସ୍ୟ ରହି ସରକାରଙ୍କୁ ନିୟମିତ ସମ୍ଭାବ୍ୟ ସଂକ୍ରମଣ ଓ ପ୍ରତିରୋଧ ସଂପର୍କରେ ପରାମର୍ଶ ଦେବେ । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗ ଦର୍ଶିକା ଅନୁସାରେ ଜିଲ୍ଲାର ସମସ୍ତ ଡାକ୍ତରଖାନାଗୁଡିକୁ ସଫାସୁୁତୁରା କରିବା, ନିରବଚ୍ଛିନ୍ନ ଭାବରେ ପାନୀୟ ଜଳର ଯେଗାଣ, ବିଦ୍ୟୁତ୍ ଯୋଗାଣ ଏବଂ ଅତ୍ୟାବଶ୍ୟକ ଡାକ୍ତରୀ ଚିକିତ୍ସାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
କରୋନା ସଂକ୍ରମଣକୁ ଜାତୀୟ ବିପର୍ଯ୍ୟୟରେ ଅନ୍ତର୍ଭୁକ୍ତ କରାଯାଇଥିବା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏହା ରାଜ୍ୟ ବିପର୍ଯ୍ୟୟ ଭାବେ ଗ୍ରହଣ କରାଯାଇଛି । ଏହାଦ୍ୱାରା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ । ଆହୁରି ମଧ୍ୟ ମାସ୍କ, ଗ୍ଲୋବ୍ସ୍, ସାନିଟାଇଜରକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ୍ରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଫଳରେ ଏହାର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇଛି । ଏବଂ କୌଣସି ପରିସ୍ଥିତିରେ ସେସବୁ ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇପାରିବ ନାହିଁ । ଏହା କଲେ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ ।
ଖୁ୍ବ୍ ଶିଘ୍ର ସରକାର ରାଜ୍ୟ ଏବଂ ଦେଶ ବାହାରୁ ଆସୁଥିବା ବ୍ୟକ୍ତିିବିଶେଷଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଫଳରେ ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନବନ୍ଦରରେ ଅବତରଣ କରୁଥିବା ଯାତ୍ରୀମାନଙ୍କର ସବିଶେଷ ସୂଚନା ରଖାଯାଇ ପରବର୍ତୀ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ଚିକିତ୍ସା ଜନିତ ପଦକ୍ଷେପ ନିଆଯାଇପାରିବ । ଏହି ଅବସରରେ ଶ୍ରୀ ଶର୍ମା “ପରିସ୍କାର ହାତ କରି ଧୁଅନ୍ତୁ, ସୁସ୍ଥ ରୁହନ୍ତୁ”ର ଆହ୍ୱାନ ଦେଇଛନ୍ତି । କରୋନା ସମ୍ବାବ୍ୟ ସଂକ୍ରମଣ ପ୍ରତି କୌଣସି ପ୍ରକାର ଭୟଭୀତ ନହୋଇ ସତର୍କତା ଓ ସଚେତନତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡି.ଏଚ୍.ଏସ୍. ଡାକ୍ତର ବିଜୟ କୁମାର ମହାପାତ୍ର, ସୂଚନା ଓ ଲୋକ ସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।