
ରାଜ୍ୟର ଗ୍ରାମାଞ୍ଚଳରେ ବେକାରୀ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଥିବାରୁ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ବରାଦ ଲାଗି କେନ୍ଦ୍ରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି(ସିଇସି) ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଗ୍ରାମାଞ୍ଚଳ ବେକାରୀ ସମସ୍ୟାକୁ ରୋକିବା ଲାଗି ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏହି କମିଟି କହିଛନ୍ତି ଯେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍ବିଏଡିସି) ଦାୟିତ୍ୱରେ ଥିବା ଅଧିକାରୀମାନେ ସେହିସବୁ ଅଞ୍ଚଳରେ ଅଧିକରୁ ଅଧିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ ।
ନିକଟରେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଟିମ୍ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳଗୁଡ଼ିକୁ ପରିଦର୍ଶନରେ ଆସିଥିବା ବେଳେ ଏଠାରେ ଚଳାଯାଉଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ଜୀବିକା ପ୍ରକଳ୍ପଗୁଡ଼ିକ ଲାଗି କମ୍ ଅର୍ଥ ବରାଦ ହେଉଥିବା ଦେଖିବାକୁ ପାଇଥିଲେ । ତେଣୁ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ବରାଦ ସହିତ ସେହିସବୁ ଅଞ୍ଚଳରେ କାର୍ଯ୍ୟକ୍ରମ ବ୍ୟାପକ ଲାଗି ମତ ଦେଇଛନ୍ତି । ଅନୁରୂପ ଭାବେ କମିଟି ଓଏମ୍ବିଏଡିସିକୁ ସେବା ମାନରେ ଉନ୍ନତି ଆଣିବା ଲାଗି ପରାମର୍ଶ ଦେଇଛନ୍ତି ।
ମହଜୁଦ ଥିବା ୧୬,୫୬୨ କୋଟି ୨୭ ଲକ୍ଷ ଟଙ୍କାରୁ ଓଏମ୍ବିଏଡିସିର ଓଭର ସାଇଟ୍ କମିଟି ୧୧,୮୦୬ କୋଟି ୫୦ ଲକ୍ଷ ଟଙ୍କାକୁ ଦ୍ୱିତୀୟ ପର୍ଯ୍ୟାୟରେ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଓଏମ୍ବିଏଡିସିକୁ କାମ୍ପା ପାଣ୍ଠିରୁ ମିଳିଥିବା ୮୬୯ କୋଟି ୪୨ ଲକ୍ଷ ଟଙ୍କା ମଧ୍ୟରୁ ୮୨୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରିଛି । ଏଥିମଧ୍ୟରୁ ୮୯ ପ୍ରତିଶତ ଅର୍ଥ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିନିଯୋଗ ହୋଇଛି । ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ଲାଗି ସର୍ବାଧିକ ଅର୍ଥ ବ୍ୟୟ ହୋଇଥିବା ବେଳେ ସେବାର ମାନ ବୃଦ୍ଧି ଆବଶ୍ୟକ ହୋଇପଡ଼ିଛି ।
ସାଧାରଣ ଲୋକଙ୍କ ଲାଗି ଆବଶ୍ୟକ ଥିବା ସେବାର ମାନ ବୃଦ୍ଧି କରିବା ଏବେ ଓଏମ୍ବିଏଡିସି ପାଇଁ ଜରୁରୀ ହୋଇପଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯେଭଳି ବ୍ୟବସ୍ଥିତ ସେବା ଯୋଗାଣ ହେଉଛି ଶିକ୍ଷା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଅନୁରୂପ ସେବା ଯୋଗାଣ ଆବଶ୍ୟକ । ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଅନୁଧ୍ୟାନରୁ ଜାଣିଛନ୍ତି ଯେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗଗୁଡ଼ିକ ଯେଉଁଠାରେ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଓଏମ୍ବିଏଡିସି ଅର୍ଥରେ ମଧ୍ୟ ସେହିସବୁ ସ୍ଥାନରେ ଅନୁରୂପ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି ।
ପାନୀୟ ଜଳ ପ୍ରକଳ୍ପଗୁଡ଼ିକରେ ବ୍ୟବହାର ପାଇପ୍ ବିଭିନ୍ନ ସ୍ଥାନରେ ଫାଟି ପାଣି ବୋହି ଯାଉଥିବା ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଟିମ୍ର ନଜରକୁ ଆସିଛି । ତେଣୁ ପଞ୍ଚାୟତଗୁଡ଼ିକ ଯେଭଳି ପାନୀୟ ଜଳର ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନେବେ ସେଥିପାଇଁ କମିଟି ପରାମର୍ଶ ଦେଇଛନ୍ତି । ସେହିଭଳି ବିଭିନ୍ନ ନଦୀ ଉପତ୍ୟକାରେ ଜଳ ସଂରକ୍ଷଣ ସହିତ ଭୂତଳ ଜଳସ୍ତର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି । ଜଳ ସଂରକ୍ଷଣ ସହିତ ଭୂତଳ ଜଳସ୍ତର ବୃଦ୍ଧି, ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ ହାତକୁ ନେବା ଏବଂ ଜଙ୍ଗଲ ଅଞ୍ଚଳରେ ମୃତ୍ତିକା କ୍ଷୟ ରୋକିବା ଲାଗି କମିଟି ଜୋର୍ ଦେଇଛି ।