ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଜୈବିକ କୃଷି ପାଇଁ ୧୧ କୋଟିରୁ ଅଧିକ


ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୧ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବେ । ଇତିମଧ୍ୟରେ ସରକାର ଏଥିପାଇଁ ସ୍ୱତନ୍ତ୍ର ଯୋଜନା ସହ ନୀତି ପ୍ରଣୟନ ମଧ୍ୟ କରିଛନ୍ତି ।

୨୦୧୯-୨୦ ବର୍ଷରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଜୈବିକ କୃଷିର ପ୍ରଚାର ପ୍ରସାର ଲାଗି ଏକ ସ୍ୱତନ୍ତ୍ର ଯୋଜନା ହାତକୁ ନେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୮ ବର୍ଷରେ ଓଡ଼ିଶା ଜୈବିକ କୃଷି ନୀତି ପ୍ରଣୟନ କରାଯାଇଛି ।

ଜୈବିକ କୃଷି ନୀତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର ହେକ୍ଟର ଜମିରେ ଜୈବିକ କୃଷି କରାଯାଉଛି । ଏହି କୃଷି ପାଇଁ କୌଣସି ପ୍ରକାରେ ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର କରାଯିବ ନାହିଁ । ତେବେ ବିକ୍ଷିପ୍ତ ଭାବରେ ଜୈବିକ କୃଷି ନ କରି ଅତିକମ୍‍ରେ ଗୋଟିଏ ଗୋଟିଏ ଅଞ୍ଚଳରେ ୨୦ ହେକ୍ଟର କିମ୍ବା ତଦୁର୍ଦ୍ଧ ଜମି ଚିହ୍ନଟ କରି ‘କ୍ଲଷ୍ଟର ମୋଡ୍‍’ରେ ଏହାର ପରିଚାଳନା କରାଯାଉଛି । ଫଳରେ କୃଷି କ୍ଷେତକୁ ରୋଗପୋକ ଦାଉରୁ ପ୍ରାକୃତିକ ପଦ୍ଧତିରେ ନିୟନ୍ତ୍ରଣ କରିବା ସୁବିଧାଜନକ ହେଉଛି ।

ପ୍ରଧାନମନ୍ତ୍ରୀ କୃଷି ବିକାଶ ଯୋଜନା ଅନୁଯାୟୀ ଜୈବିକ କୃଷିର ଗୋଟିଏ ଗୋଟିଏ କ୍ଲଷ୍ଟର ପାଇଁ ୩ ବର୍ଷ ଲାଗି ୧୦ ଲକ୍ଷ ଟଙ୍କା କରି ଆର୍ଥିକ ସହାୟତାର ବ୍ୟବସ୍ଥା ହୋଇଛି । କେବଳ ସେତିକି ନୁହେଁ ଯେଉଁ ଅଞ୍ଚଳରୁ ଜୈବିକ କୃଷି ସାମଗ୍ରୀ ଓ ବିହନ ଉତ୍ପାଦିତ ହେବ ତାହାର ସଠିକ୍‍ ପ୍ରମାଣପତ୍ର ମଧ୍ୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏବେ ସମଗ୍ର ବିଶ୍ୱରେ ଜୈବିକ କୃଷି ପାଇଁ ଆଗ୍ରହ ପ୍ରକାଶ ପାଇଛି । ଏମିତିକି ଜୈବିକ କୃଷି ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି । ରାସାୟନିକ ସାର ଓ ବିଷାକ୍ତ କୀଟନାଶକ ପ୍ରୟୋଗ ନ କରି ଜୈବିକ କୃଷି କରାଯାଉଥିବାରୁ ଏହି ସାମଗ୍ରୀ ବେଶ୍‍ ସ୍ୱାସ୍ଥ୍ୟ ଅନୁକୂଳ ରହୁଛି । କେବଳ ସେତିକି ନୁହେଁ ଜୈବିକ କୃଷିରେ ମଧ୍ୟ କୃଷକ ତାହାର ଉତ୍ପାଦିତ ସାମଗ୍ରୀକୁ ଅଧିକ ମୂଲ୍ୟରେ ବିକ୍ରି କରିପାରୁଛି ।

ହୃତ୍‍ଘାତଠାରୁ ଆରମ୍ଭ କରି ଯକୃତ, ବୃକକ୍‍, ସ୍ନାୟବିକ, କର୍କଟ ଓ ଅନ୍ୟ ବହୁ କିସମର ରୋଗ ବଢ଼ିବାର ଅନ୍ୟତମ କାରଣ କଦର୍ଯ୍ୟ ଖାଦ୍ୟାଭାସ ବୋଲି ବୈଜ୍ଞାନିକମାନେ କହୁଥିବା ପରିପ୍ରେକ୍ଷୀରେ ୟୁରୋପ, ଆମେରିକାର ବିଭିନ୍ନ ଦେଶରେ ଜୈବିକ କୃଷିଜାତ ସାମଗ୍ରୀର ଚାହିଦା ବଢ଼ୁଥିବା ପରିପ୍ରେକ୍ଷୀରେ ଜୈବିକ କୃଷିକୁ ଅନେକ ଲାଭଜନକ ବ୍ୟବସାୟ ଭାବେ ଗ୍ରହଣ କରିନେଇଛନ୍ତି ।

ଜୈବିକ କୃଷି ପାଇଁ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଥିବା ସମ୍ଭବ ଅନୁଷ୍ଠାନ ୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ସଫଳ ପ୍ରୟୋଗ କରିଆସୁଛି । ଏହାକୁ ସ୍ୱୀକୃତି ଦେଇ ନିକଟରେ ଏହି ସଂସ୍ଥା ସହ ସମ୍ପୃକ୍ତ ରାଧାମୋହନ ଓ ତାଙ୍କ କନ୍ୟା ସାବରମତିଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ପୂର୍ବରୁ ଅନ୍ୟଜଣେ ଆଦିବାସୀ ମହିଳା କମଳା ପୂଜାରୀଙ୍କୁ ମଧ୍ୟ ଅନୁରୂପ ସମ୍ମାନ ମିଳିଛି । ବିଶେଷକରି ହାଇବ୍ରିଡ୍‍ ଆତଙ୍କରୁ ପୁରୁଣା ବିହନର ସୁରକ୍ଷା ଏବଂ ପ୍ରାକୃତିକ ପଦ୍ଧତିରେ ଚାଷ ଉପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଚାଷୀ ବି ସଫଳ ପ୍ରୟୋଗ କରୁଛନ୍ତି । ତେବେ ଗୋଟିଏ ପଟେ ଜୈବିକ କୃଷି ପାଇଁ ନୀତି ପ୍ରଣୟନ କରାଯାଇଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ହେକ୍ଟର ପିଛା ରାସାୟନିକ ସାର ଓ ବିଷାକ୍ତ କୀଟନାଶକର ବ୍ୟବହାର ବଢ଼ି ଚାଲିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023