
ଓଡ଼ିଶା ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସଙ୍ଗେ ସଙ୍ଗେ ଏହାର ମୁକାବିଲା କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ପ୍ରତିକାର ଓ ପ୍ରତିଷେଧ ପାଇଁ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସକ ଓ ସାଧାରଣ ଲୋକେ ଦଳମତ ନିର୍ବିଶେଷରେ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚାଲିଥିବା ପରୀକ୍ଷା ବନ୍ଦ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ସିନେମା ହଲ, ସୁଇମିଂ ପୁଲ, ଜିମ ଆଦିକୁ ମଧ୍ୟ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଅତ୍ୟନ୍ତ ଜରୁରୀ ନ ଥିବା ସେମିନାର, ୱାର୍କସପ ଓ ସମ୍ମିଳନୀ ଆଦିକୁ ମଧ୍ୟ ସରକାର ସ୍ଥଗିତ ରଖିଛନ୍ତି । ଏହାଛଡ଼ା ବିଭିନ୍ନ ସଭା ସମିତି, ଧର୍ମୀୟ ଅନୁଷ୍ଠାନ ଓ ବିବାହ ଆଦି ସାମାଜିକ କାର୍ଯ୍ୟକ୍ରମର ଭୋଜିଭାତ ଇତ୍ୟାଦିକୁ ସ୍ଥାନୀୟ ପ୍ରଶାସନ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ ଅନୁଯାୟୀ ଓଡ଼ିଶା ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଡାକ୍ତରଖାନାଗୁଡ଼ିକରେ ଏହି ରୋଗର ପରୀକ୍ଷା, ପ୍ରତିଷେଧ ଓ ଦମନ ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ଲାଗି ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଏକ ମନ୍ତ୍ରୀସ୍ତରୀୟ କମିଟି ଗଢ଼ା ଯାଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଉ ଏକ ସଚିବସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । କରୋନାର ମୁକାବିଲା ମିଶନ ମୋଡରେ କରିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ସମ୍ପର୍କରେ ଯେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଦୃଢ଼ହସ୍ତରେ ଦମନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କରୋନା ପରିପ୍ରେକ୍ଷୀରେ ଭୟଭୀତ ନ ହୋଇ ଆମେ ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।
ବିଶେଷକରି ବିଧାୟକମାନେ ନିଜର ଯତ୍ନ ନେବା ସହ ନିଜ ନିଜ ନିର୍ବାଚନମଣ୍ଡଳୀରେ ଏ ସମୟରେ ପ୍ରେରଣାଦାୟୀ ନେତୃତ୍ୱ ପ୍ରଦାନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ଏଣେତେଣେ ପାନଛେପ ନ ପକାଇବା ଲାଗି ବି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଦେଢ଼ମାସ ଧରି ସମଗ୍ର ବିଶ୍ୱ କରୋନା ଘେନି ଚିନ୍ତାରେ ରହିଛି । ଇଂଲଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କାନାଡ଼ାର ରାଷ୍ଟ୍ରମୁଖ୍ୟଙ୍କ ପରିବାର, ଯୁକ୍ତରାଷ୍ଟ୍ର ଆମେରିକାର କିଛି ସିନେଟର, ଇରାନର କେତେକ କ୍ୟାବିନେଟ ମନ୍ତ୍ରୀ ଏମିତିକି ବହୁ ନାମୀଦାମୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍ଙ୍କଠାରୁ ଆରମ୍ଭ କରି ଧନୀ ଗରିବ ନିର୍ବିଶେଷରେ ଅନେକ କରୋନାରେ ସଂକ୍ରମିତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନାକୁ ଆନ୍ତର୍ଜାତିକ ବିପତ୍ତି ଭାବେ ଘୋଷଣା କରିସାରିଛି ।
ଇତିମଧ୍ୟରେ ରାଜ୍ୟ ସରକାର କରୋନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ କିପରି ଏହାର ପ୍ରଭାବରୁ ବର୍ତ୍ତିବା ପାଇଁ କି ପ୍ରକାର ପଦକ୍ଷେପ ନେବେ ସେଥିଘେନି ମଧ୍ୟ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି ।
କରୋନା ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନକୁ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ମୁତଲବି ରଖାଯାଇଛି । ଏ ସଂକ୍ରାନ୍ତରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଗତ କରିଥିଲେ । ତେବେ ବିଜେପି ଏହାକୁ ବିରୋଧ କରିଥିବା ବେଳେ କଂଗ୍ରେସ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲା । ଶେଷରେ ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହେବାପରେ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଗଲା ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଥିଲେ ।