
ଅବକାରୀ ବିଭାଗ ହେଉଛି ରାଜ୍ୟ ସରକାରଙ୍କ ଏକ ସମ୍ବଳ ସୃଷ୍ଟିକାରୀ ବିଭାଗ । ତେବେ ନିଶା କାରବାର ସଂକ୍ରାନ୍ତରେ ଯେତେ ଅବକାରୀ ମାମଲା ରୁଜୁ ହେଉଛି ସେଥିରେ ଦଣ୍ଡବିଧାନ ହାର ଖୁବ୍ କମ୍ ରହୁଥିବା ବେଳେ ସଂଖ୍ୟାଧିକ ଅବକାରୀ ମାମଲାରେ ଅଭିଯୁକ୍ତମାନେ ଖଲାସ ହୋଇଯାଉଛନ୍ତି । ଏଭଳି ଅନେକ ରୋଚକ ତଥ୍ୟ ରହିଛି ଏହି ବିଭାଗ ଲାଗି ଥିବା ଓଡ଼ିଶା ବିଧାନସଭାର ସ୍ଥାୟୀ କମିଟିଙ୍କ ରିପୋର୍ଟରେ ।
ବିଭାଗର କାର୍ଯ୍ୟ ବିବରଣୀ ସମ୍ପର୍କରେ ଉଲ୍ଲେଖ କରି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ ଅବକାରୀ ବିଭାଗ ଅବକାରୀ ସାମଗ୍ରୀର ପ୍ରସ୍ତୁତି, ଆମଦାନୀ, ରପ୍ତାନି, ପରିବହନ, ବିପଣନ ଆଦି ବିଭିନ୍ନ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଅବକାରୀ ଆଇନ୍ ଓ ଏନ୍ଡିପିଏସ୍ ଆଇନ୍ର କାର୍ଯ୍ୟକାରିତା ବି ଏହି ବିଭାଗ ଉପରେ ନିର୍ଭର କରେ । ଏ ପ୍ରସଙ୍ଗରେ ଚାହିଦା ମୁତାବକ ଅବକାରୀ ସାମଗ୍ରୀ ଯୋଗାଣ ସରକାରଙ୍କ ଏକ ପ୍ରମୁଖ କର୍ତ୍ତବ୍ୟ । ଚାହିଦା ମୁତାବକ ଶୁଦ୍ଧ ମଦ ଯୋଗାଣ ନ ହେଲେ ଅପମିଶ୍ରିତ ଚୋରାମଦ କାରବାର ବଢ଼ିବ ଏବଂ ତାହା ସାଧାରଣ ଲୋକଙ୍କ ନିରାପତ୍ତା ପାଇଁ ବିପଦ ସୃଷ୍ଟି କରିବ ବୋଲି ଏଥିରେ ଉଲ୍ଲେଖ ରହିଛି ।
ଏହି ରିପୋର୍ଟର ହିସାବ ଅନୁଯାୟୀ ୨୦୦୯-୧୦ ବର୍ଷରେ ୮୪୮କୋଟି ୫୭ ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରାଯାଇଥିବା ବେଳେ ଗତ ଆର୍ଥିକ ବର୍ଷରେ ୩,୯୨୫ କୋଟି ୪୧ ଲକ୍ଷ ଟଙ୍କା ମିଳିଥିଲା । ଚଳିତ ଆର୍ଥିକ ବର୍ଷର ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶା ସରକାର ୩,୪୮୦ କୋଟି ୬୭ ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିଛନ୍ତି ।
ଚଳିତବର୍ଷ ୪,୬୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ତେବେ ଅବକାରୀ ଶୁଳ୍କ, ବିକ୍ରି କର, ପ୍ରବେଶ କର ଅଦିକୁ ମିଶାଇ ଅବକାରୀ ସାମଗ୍ରୀରୁ ୨୦୧୮-୧୯ ବର୍ଷରେ ରାଜ୍ୟ ସରକାର ୪,୮୦୫ କୋଟି ୬୩ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଓଡ଼ିଶା ରାଜ୍ୟ ପାନୀୟ ନିଗମ ୨୦୦୭-୦୮ ବର୍ଷରେ ୭୩୫.୨୮ କୋଟି ଟଙ୍କାର କାରବାର କରିଥିବା ବେଳେ ୨୦୧୮-୧୯ ବର୍ଷରେ ୪୭୩୮.୩୬ କୋଟି ଟଙ୍କାର କାରବାର କରିଛି ଓ ଗତବର୍ଷ ରାଜ୍ୟ ସରକାରଙ୍କୁ ୮କୋଟି ୯୯ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଲାଭାଂଶ ପ୍ରଦାନ କରିଛି ।
ରାଜ୍ୟରେ ୧୧୬୦ଟି ବିଦେଶୀ ମଦର ଠିପି ବନ୍ଦ ଓ ୫୩୩ଟି ଠିପି ଖୋଲା ମଦ ଦୋକାନ ଥିବା ବେଳେ ୧୮ଟି ଠିପି ଖୋଲା କ୍ଲବ୍, ୯୧ଟି ବିଅର୍ ପାର୍ଲର, ୩୭ଟି ମିଲିଟାରୀ କ୍ୟାଣ୍ଟିନ ରହିଛି । ଏହାଛଡ଼ା ୫୫୦ଟି ଲାଇସେନ୍ସପ୍ରାପ୍ତ ମହୁଲି ମଦ ଦୋକାନ ଓ ତାହାର ୧୪୩୩ଟି ଶାଖା ଦୋକାନ ୨୦ଟି ଜିଲ୍ଲାରେ ରହିଛି । ୯ଟି ଜିଲ୍ଲାରେ ୨୪୨ଟି ଦେଶୀ ମଦ ଦୋକାନ ରହିଛି ।
୨୦୦୯-୧୦ ବର୍ଷରେ ୨୬୫.୨୬ ଲଣ୍ଡନ ପ୍ରୁଫ୍ ଲିଟର ଭାରତ ତିଆରି ବିଦେଶୀ ମଦ, ୬୩୫.୧୩ ଲକ୍ଷ ଲିଟର ବିୟର୍ ଓ ୬୮.୩୯ ଲକ୍ଷ ଲିଟର ଦେଶୀ ମଦ ଉଠାଣ ହୋଇଥିବା ବେଳେ ୨୦୧୮-୧୯ ବର୍ଷରେ ୫୨୮.୯୨ ଲକ୍ଷ ଲଣ୍ଡନ ପ୍ରୁଫ୍ ଲିଟର ଭାରତ ତିଆରି ବିଦେଶୀ ମଦ, ୮୬୭.୫୩ ଲକ୍ଷ ଲିଟର ବିଅର୍ ଓ ୯୫.୫୬ ଲକ୍ଷ ଲିଟର ଦେଶୀ ମଦ ଉଠାଣ ହୋଇଥିଲା । ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଢେର୍ କମ୍ ରହୁଥିବାରୁ ସ୍ୱତନ୍ତ୍ର ଅବକାରୀ ଅଦାଲତ ଗଠନ ସଙ୍ଗେ ସଙ୍ଗେ ଅବକାରୀ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦେବା ଲାଗି ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି ମଧ୍ୟ ସୁପାରିଶ କରିଛନ୍ତି ।