
କରୋନା ଆତଙ୍କ ପରିପ୍ରେକ୍ଷୀରେ ଏ ବର୍ଷ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଗୁରୁତର କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି । ଓଡ଼ିଶା ଆସିବାକୁ ଥିବା ବହୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ସେମାନଙ୍କ ବିମାନ ଓ ରେଳ ଟିକେଟ୍ ସହିତ ହୋଟେଲ ପ୍ରକୋଷ୍ଠ ସଂରକ୍ଷଣ ବାତିଲ୍ କରୁଥିବା ପରିପ୍ରେକ୍ଷୀରେ ପର୍ଯ୍ୟଟନ ଶିଳ୍ପ ଉପରେ ନକରାତ୍ମକ ପ୍ରଭାବ ସ୍ପଷ୍ଟ ଅନୁଭୂତ ହେବାରେ ଲାଗିଲାଣି ।
ପର୍ଯ୍ୟଟନ ଶିଳ୍ପ ଯୋଗୁ ଓଡ଼ିଶାରେ ବାର୍ଷିକ ପ୍ରାୟ ୨୦ହଜାର କୋଟି ଟଙ୍କାର ବେପାର ହେଇଥାଏ । ଏଥିରୁ ହୋଟେଲ, ପରିବହନ ଠାରୁ ଅରମ୍ଭ କରି ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ହଜାର ହଜାର ଲୋକ ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ କରୋନା ଯୋଗୁ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇଥିବା ବେଳେ ଆଗାମୀ ଗ୍ରୀଷ୍ମବକାଶ ସମୟରେ ଏହି ସ୍ଥିତି ଉକ୍ରଟଜନକ ହୋଇପାରେ ବୋଲି ପର୍ଯ୍ୟଟନ ଶିଳ୍ପ ସହିତ ସଂଶ୍ଳିଷ୍ଟ ପୁରୁଖା ସଂସ୍ଥାମାନେ କହୁଛନ୍ତି ।
କରୋନାକୁ ଇତିମଧ୍ୟରେ ବିଶ୍ୱ ମହାମାରୀ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଘୋଷଣା କରିସାରିଛି । ଏ ପରିପ୍ରେକ୍ଷୀରେ ବିଭିନ୍ନ ଦେଶର ସରକାର ଜରୁରୀ ନ ଥିଲେ ବିଦେଶ ଗସ୍ତ ନ କରିବା ପାଇଁ ସେମାନଙ୍କ ନାଗରିକମାନଙ୍କୁ ତାଗିଦ୍ କରିଥିବା ବେଳେ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ କଡ଼ା କଟକଣା ଜାରି କରିଛନ୍ତି କେବଳ ସେତିକି ନୁହେଁ ଯେଉଁ ବିଦେଶୀମାନଙ୍କୁ ଭାରତ ଆସିବା ପାଇଁ ଭିସା ଦିଆଯାଇଥିଲା ସେଗୁଡ଼ିକ ଉପରେ ବି କଟକଣା ଜାରି କରାଯାଇଛି । ଇତିମଧ୍ୟରେ ଦେଶ ବିଦେଶରେ ବହୁ ଅନ୍ତର୍ଜାତୀୟ ଓ ଜାତୀୟ ସମ୍ମିଳନୀ, ସମ୍ପାନ ଆଦିକୁ ମଧ୍ୟ ବାତିଲ କରାଯାଇଛି । କେତେକ ସ୍ଥଳରେ କ୍ରିକେଟ ଖେଳ ଲାଗି ଟିକେଟ୍ ବିକ୍ରି ଉପରେ ବି କଟକଣା ଲାଗିଛି ।
କେବଳ ଓଡ଼ିଶା ନୁହେଁ ସାରା ଦେଶର ପର୍ଯ୍ୟଟନ ଶିଳ୍ପ ଏଥିଯୋଗୁ ଗୁରୁତର ଭାବେ ବାଧାପାପ୍ତ ହେଉଛି । ଓଡ଼ିଶାକୁ ବାର୍ଷିକ ପ୍ରାୟ ଦେଢ଼କୋଟି ପର୍ଯ୍ୟଟକ ଆସିଥାନ୍ତି । ଏମାନଙ୍କ ମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଲକ୍ଷାଧିକ । ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ବାର୍ଷିକ ପ୍ରାୟ ୫୮ ଲକ୍ଷ ପର୍ଯ୍ୟଟକ ଆସୁଥିବା ବେଳେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ଭିତରୁ ପ୍ରାୟ ୮୫ ଲକ୍ଷ ପର୍ଯ୍ୟଟକ ଯାଇଥାନ୍ତି । ତେବେ କରୋନା ଆତଙ୍କରେ ସବୁ ଶ୍ରେଣୀର ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି ।
ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ପାଇଁ ପାଖାପାଖି ୨୦୦୦ ହୋଟେଲ ଓ ରେଷ୍ଟୁରାଣ୍ଟରେ ୪୦ହଜାରରୁ ଅଧିକ ପ୍ରକୋଷ୍ଠ ଓ ୮୦ ହଜାରରୁ ଅଧିକ ଶଯ୍ୟା ରହିଛି । ବିଗତ ବର୍ଷଗୁଡ଼ିକରେ ଓଡ଼ିଶାକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ୁଥିବା ପରିପ୍ରେକ୍ଷୀରେ ଏ ବର୍ଷ ଭଲ ବେପାର ହେବ ବୋଲି ପର୍ଯ୍ୟଟନ ଶିଳ୍ପ ସହ ସମ୍ପୃକ୍ତ ସଂସ୍ଥାମାନେ ଆଶା ରଖିଥିଲେ । କିନ୍ତୁ କରୋନା ସେମାନଙ୍କୁ ନିରାଶ କରୁଛି ।
ଇତିମଧ୍ୟରେ ବିମାନ ଉଡ଼ାଣ ଉପରେ ବିଭିନ୍ନ ଦେଶର ସରକାର କଟକଣା ଜାରି କରିଛନ୍ତି । ଏମିତିକି କେତେକ ଦେଶ ମଧ୍ୟ ଉଡ଼ାଣ ବାତିଲ୍ କରିଛନ୍ତି । ଏହାଛଡ଼ା କରୋନାକୁ କେନ୍ଦ୍ରକରି ଯେତେ ପ୍ରଚାର ଓ ଅପପ୍ରଚାର ଚାଲିଛି ସେଥିରେ ପର୍ଯ୍ୟଟକମାନେ ରେଳରେ ଯିବାକୁ ବି ନିରାପଦ ମଣୁନାହାନ୍ତି । ଅନ୍ୟପଟରେ କରୋନା ବିଶ୍ୱ ବଜାରରେ ମାନ୍ଦାବସ୍ଥା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଭାରତ ସମେତ ବିଭିନ୍ନ ଦେଶର ସେୟାର ବଜାର ଉପରେ ବି ପ୍ରତିକୂଳ ପ୍ରଭାବ ପକାଇଛି । କରୋନା ସଂକ୍ରମଣରୁ ଆମ ରାଜ୍ୟ ତଥା ଦେଶର ପର୍ଯ୍ୟଟନ ଶିଳ୍ପ କେତେଦୂର ମୁକ୍ତ ହୋଇପାରିବ ସେଥିଘେନି ବିଭିନ୍ନ ମହଲରେ ଉଦ୍ୟମ ଜାରି ରହିଛି ।