ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଜଗା ଟଙ୍କା ଖାଇଲେ କରୋନା ହେବ


ଜଗନ୍ନାଥଙ୍କ ଅର୍ଥ ଯିଏ ଖାଇବ ତାକୁ କରୋନା ହୋଇଯିବ । ରାଜ୍ୟର ଆର୍ଥିକ ସ୍ଥିତି ଏକ ପ୍ରକାର କରୋନା ସଂକ୍ରମଣ । ଏଥି ସହିତ କରୋନା ମୁକାବିଲା ଲାଗି ରାଜ୍ୟ ସରକାର ଦେଇଥିବା ବିଜ୍ଞାପନକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବ୍ୟଙ୍ଗ ଆଜି ବିଧାନସଭାରେ ହାସ୍ୟରୋଳ ସୃଷ୍ଟି କରିଥିଲା ।

ବିରୋଧିଦଳ ପକ୍ଷରୁ ଦିଆଯାଇଥିବା “କାଳିଆ ନାଁରେ କେଳେଙ୍କାରୀ ସାଙ୍ଗକୁ ଘରୋଇ ବ୍ୟାଙ୍କ୍‍ରେ ଅସୁରକ୍ଷିତ ସରକାରୀ ଅର୍ଥ, ସରକାରଙ୍କ ନିରବତା କାହିଁକି ?” ଶୀର୍ଷକ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା କରି ଶ୍ରୀ ସେଠୀ କହିଥିଲେ ଯେ ୨୦ବର୍ଷର ଶାସନକାଳରେ ସରକାର ଓଡିଆଙ୍କ ଭାବନା ଓ ଚିନ୍ତନ ସହ ଖେଳୁଛନ୍ତି । ବ୍ରହ୍ମ ବଦଳ ଠାରୁ ଆରମ୍ଭକରି ଘରୋଇ ବ୍ୟାଙ୍କ୍‍ରେ ଅର୍ଥ ଜମା ଘଟଣା ଘଟି ଚାଲିଛି । ଜଗନ୍ନାଥଙ୍କର ଅବସ୍ଥା ଏବେ ବିପିଏଲ୍‍ ଷ୍ଟାଣ୍ଡାର୍ଡ ତଳକୁ ଆସିଗଲାଣି ।

ରାଜ୍ୟ ସରକାର କରୋନା ସର୍ତକତା ନେଇ ଯେଉଁ ବିଜ୍ଞାପନ ଦେଇଛନ୍ତି ତାହାକୁ ନେଇ ଶ୍ରୀ ସେଠୀ ବ୍ୟଙ୍ଗ କରିଥିଲେ । ସେ କହିଥିଲେ ଏହି ବିଜ୍ଞାପନରେ ୨୦ ପ୍ରକାର ସତର୍କତା ପାଇଁ କୁହାଯାଇଛି । ସରକାରଙ୍କୁ ବି ରାଜ୍ୟରେ ୨୦ବର୍ଷ । ସେହିଭଳି ହାତକୁ ଅତି କମ୍‍ରେ ୨୦ ସେକେଣ୍ଡ ସଫା କରିବାପାଇଁ କୁହାଯାଇଛି । ଏହାର ମାନେ ହେଉଛି ୨୦ ସେକେଣ୍ଡରେ ସବୁ ଖାଇ ସଫା କରିଦେବେ । ଏହାଛଡା ଆବଶ୍ୟକସ୍ଥଳେ ମୁହଁକୁ ଟିସୁ ପେପରରେ ଢାଙ୍କିବାପାଇଁ କୁହାଯାଇଛି । ଏହାର ଅର୍ଥ ହେଉଛି ସବୁ ଖାଇ ମୁହଁକୁ ଟିସୁ କାଗଜରେ ପୋଛିଦେବେ । ଏହାପରେ ସଂକ୍ରମଣରୁ ଦୂରରେ ରହିବାପାଇଁ ଆଖି,ପାଟି ଓ କାନକୁ ନଛୁଇଁବାପାଇଁ ଯେଉଁ ଉପଦେଶ ଦିଆଯାଇଛି ତାହା ଗାନ୍ଧୀଙ୍କ ତିନି ମାଙ୍କଡ ଉପଦେଶ ଓ ତାହାକୁ କେହି ମାନୁ ନାହାନ୍ତି ବୋଲି ସେ ବ୍ୟଙ୍ଗ କରି କହିଥିଲେ ।

ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗରେ ସେ କହିଥିଲେ ଯେ ଏହାର ତଦନ୍ତ ସିବିଆଇ, ଗୃହ କମିଟି ଅଥବା ଭିଜିଲାନ୍ସ ଦ୍ୱାରା କରାଯାଉ । କେବଳ ଶ୍ରୀମନ୍ଦିର ଅର୍ଥ ନୁହେଁ ୟେସ୍‍ ବ୍ୟାଙ୍କ୍‍ରେ ଓଏମ୍‍ସି ବି ୬୫୦କୋଟି ଟଙ୍କା ରଖିଥିବା ଶ୍ରୀ ସେଠି କହିଥିଲେ । ଜଗନ୍ନାଥଙ୍କ ଟଙ୍କାକୁ ଯିଏ ଖାଇଛି ତାକୁ କରୋନା ହୋଇଯିବ ବୋଲି ଶ୍ରୀ ସେଠି କହିବାରୁ ଗୃହରେ ସଦସ୍ୟମାନେ ନିଜର ହସ ରୋକିପାରି ନଥିଲେ । ଏହାପରେ ଶ୍ରୀ ସେଠୀ ଗୃହରେ ଜଗନ୍ନାଥଙ୍କର ଏକ ଭଜନ ଗାନ କରିଥିଲେ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023